ଟାଟା ଷ୍ଟିଲ ଓଡ଼ିଶା ପକ୍ଷରୁ ପ୍ରତିଷ୍ଠାତା ଜାମସେତଜୀ ନୁସେରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳନ
ଭୁବନେଶ୍ୱର, ୦୩/୦୩/୨୦୨୫: ଓଡିଶାରେ ଥିବା ଟାଟା ଷ୍ଟିଲର ବିଭିନ୍ନ ୟୁନିଟ ଓ ଏହାର ସବସିଡାଏରି ସଂସ୍ଥା ପକ୍ଷରୁ କମ୍ପାନିର ଦୂରଦର୍ଶୀ ପ୍ରତିଷ୍ଠାତା ଜାମସେତଜୀ ନୁସେରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳନ କରାଯାଇଛି। ଭାରତୀୟ ଶିଳ୍ପର ଜନକ ଭାବେ ପରିଚିତ ଜେ ଏନ ଟାଟାଙ୍କ ଶିଳ୍ପ ପ୍ରତିଷ୍ଠା ଏବଂ ସାମାଜିକ କଲ୍ୟାଣର ବଳିଷ୍ଠ ପରମ୍ପରା, ଟାଟା ଗ୍ରୁପ ସମେତ ସାରା ଦେଶକୁ ପ୍ରେରଣା ଦେଇଆସୁଛି। ୧୮୭୦ ଦଶକରେ ଏକ କପଡ଼ା ମିଲରୁ ଉଦ୍ୟୋଗିକ ଯାତ୍ରା ଆରମ୍ଭ କରିଥିଲେ ଜେ ଏନ ଟାଟା। କିନ୍ତୁ ତାଙ୍କ ଦୃଷ୍ଟିକୋଣ ତା’ଠାରୁ ବହୁ ଦୂରକୁ ପହଂଚିଥିଲା। ସେ ଭାରତରେ ଇସ୍ପାତ ଏବଂ ବିଦ୍ୟୁତ ଶିଳ୍ପର ଭିତ୍ତିଭୂମି ସ୍ଥାପନା କରିଥିଲେ। ପ୍ରଯୁକ୍ତିବିଦ୍ୟାକୁ ଆଗକୁ ନେବା ସହ ଏଭଳି ଏକ ଭବିଷ୍ୟତର ସ୍ଵପ୍ନ ଦେଖିଥିଲେ, ଯାହାଦ୍ଵାରା ଉଦ୍ୟୋଗିକ ବିକାଶ ସହ ସମାଜ କଲ୍ୟାଣ ଏକସଙ୍ଗେ ହୋଇପାରିବ।
ତାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଟାଟା ଷ୍ଟିଲର ସମସ୍ତ କାର୍ୟ୍ୟଳୟରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରତିଷ୍ଠାତାଙ୍କ ଶିଳ୍ପ ପ୍ରଗତି ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତିଫଳିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ବଜାର, ପ୍ରଯୁକ୍ତି ଏବଂ ଖର୍ଚ୍ଚରେ ନେତୃତ୍ୱ’ ଯାହା ଟାଟା ଷ୍ଟିଲର ନବସୃଜନ, ଗ୍ରାହକ-କୈନ୍ଦ୍ରିକ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ପ୍ରତିବଦ୍ଧତାକୁ ଦର୍ଶାଇଥିଲା।
ଭୁବନେଶ୍ୱରସ୍ଥିତ ଟାଟା ଷ୍ଟିଲର ମୁଖ୍ୟ ଆବାସିକ କାର୍ୟ୍ୟଳୟ, ଟାଟା ଷ୍ଟିଲ ଟେକ୍ନିକାଲ ସର୍ଭିସ ଲିମିଟେଡ଼, ଟାଟା ଷ୍ଟିଲ ବିଜନେସ ଡେଲିଭେରି ସେଂଟର ଲିମିଟେଡ, ଏବଂ ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫର୍ମାନ୍ସ ସେଂଟରରେ ପ୍ରତିଷ୍ଠତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଯାଜପୁର ଜିଲ୍ଲାରେ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନଆଇଏନଏଲ)ରେ ୧୦୦୦ରୁ ଅଧିକ ଟାଟା ପରିବାର ସଦସ୍ୟ ସପ୍ତାହବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଏବଂ ସାମାଜିକ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନ୍, ଟିଏସକେ ଏବଂ ଫେରୋ ଆଲଏଜ ପ୍ଲାଂଟ, ବ୍ରାହ୍ମଣୀପାଳ ପକ୍ଷରୁ କେନ୍ଦୁଝରର ରେମାଲ ଡ୍ୟାମରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ (ଗୋଟିଏ ଥର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ) ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା। ସେଥିରେ ପ୍ରାୟ ୧ କ୍ୱିଂଟାଲ ଅଣ-ଜୈବବିଘଟିତ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ।
ଢେଙ୍କାନାଳ ଜିଲ୍ଲାରେ ଟାଟା ଷ୍ଟିଲ ମେରାମଣ୍ଡଳି (ଟିଏସଏମ)ରେ କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟମାନେ ଜେ ଏନ ଟାଟାଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲ। ପରେ ପ୍ଲାଂଟ ନିକଟସ୍ଥ ତାଳବାହାଲ ଗାଁରେ କ୍ରୀଡ଼ା ପ୍ରତିଯୋଗିତା ଏବଂ ଭଲିବଲ ଟୁର୍ନାମେଂଟ ଆୟୋଜନ କରାଯାଇଥିଲା। ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଯୋଡ଼ା ଇଷ୍ଟ ଆଇରନ ମାଇନ, ଖଣ୍ଡବନ୍ଧ ଆଇରନ ମାଇନ, ଏନଆଇଏନଏଲ ଖଣି ଏବଂ କଳମାଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ କାର୍ୟ୍ୟାଳୟରେ ପ୍ରତିଷ୍ଠାତାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। କର୍ମଚାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଟାଟା ଷ୍ଟିଲ ମୁଖ୍ୟ ଡାକ୍ତରଖାନା, ଯୋଡ଼ାରେ ରୋଗୀମାନଙ୍କୁ ଫଳ ପ୍ୟାକେଟ୍ ବଂଟନ କରାଯାଇଥିଲା।
ଭୁବନେଶ୍ୱର, ଗୋପାଳପୁର, ଆଠଗଡ଼, ବାଲେଶ୍ୱର, କଳିଙ୍ଗନଗର, ଏବଂ ସୁକିନ୍ଦାରେ ଫେରୋ ଆଲଏଜ ଏବଂ ମିନେରାଲ ଡିଭିଜନ୍ ୟୁନିଟରେ କର୍ମଚାରୀମାନେ ମଧ୍ୟ ଜେ ଏନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୋପାଳପୁରସ୍ଥିତ ଫେରୋ ଆଲୟଜ ପ୍ଲାଂଟ (ଏଫଏପି) ପକ୍ଷରୁ ଏକ ରକ୍ତଦାନ ଶିବିର ଏବଂ ଏଫଏପି ଯାଜପୁର ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା। ବାଲେଶ୍ୱରର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ଼, ଗୋପାଳପୁରରେ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ୍ ଜୋନର କର୍ମଚାରୀମାନେ ମଧ୍ୟ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।