BusinessUncategorized

ଜେ ଏନ୍ ଟାଟା: ଏକ ସ୍ୱାବଲମ୍ବୀ ଦେଶ ଗଠନର ଦୂରଦ୍ରଷ୍ଟା

ଜେ ଏନ୍ ଟାଟାଙ୍କ ୧୮୪ତମ ଜୟନ୍ତୀ ଅବସରରେ
ଭୁବନେଶ୍ୱର: ଭାରତୀୟ ଶିଳ୍ପ କ୍ଷେତ୍ରରେ କିଛି ହାତଗଣତି ଦୂରଦ୍ରଷ୍ଟା ରହିଛନ୍ତି ଯେଉଁମାନେ ଭାରତରେ କେବଳ ଶିଳ୍ପ କ୍ଷେତ୍ରର ଶୁଭାରମ୍ଭ କରିନାହାନ୍ତି ବରଂ ସାମାଜିକ ବିକାଶ ଏବଂ ଦାତବ୍ୟ କାର୍ଯ୍ୟ କରିବାର ମୂଳଦୁଆ ମଧ୍ୟ ସ୍ଥାପନ କରିଛନ୍ତି ।
ମାର୍ଚ୍ଚରେ ୩ରେ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତାଙ୍କ ଦିବସ ପାଳନ କରାଯାଉଥିବା ବେଳେ ଏହା ହେଉଛି ସେହି ବିଶିଷ୍ଟ ବ୍ୟବସାୟୀ ତଥା ଦୂରଦ୍ରଷ୍ଟା ଜାମସେତଜୀ ନୁସେରୱାନଜୀ ଟାଟାଙ୍କ ସ୍ମୃତିଚାରଣ କରିବାର ସମୟ ଯିଏ ଏଭଳି ଏକ ବ୍ୟବସାୟ ସାମ୍ରାଜ୍ୟ ସ୍ଥାପନ କରିଛନ୍ତି ଯାହା ତାଙ୍କ ପରଲୋକର ଏକ ଶତାବ୍ଦୀ ପରେ ମଧ୍ୟ ତାଙ୍କ ଦ୍ୱାରା ନିର୍ଧାରିତ ଲକ୍ଷ୍ୟ, ନୀତି ଓ ଅଭିଳାଷକୁ ଅନୁସରଣ କରି ସମୃଦ୍ଧ ହୋଇରହିଛି ।
୧୮୩୯ରେ ଗୁଜରାଟର ନବସରିରେ ଜନ୍ମ ଗ୍ରହଣ କରିଥିବା ଜେ ଏନ୍ ଟାଟା ନିଜ ପିତା ନୁସେରୱାନଜୀ ଟାଟାଙ୍କ ସହ ମିଶି ବମ୍ବେରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରବର୍ତୀ ସମୟରେ ସେ ଭାରତର ପ୍ରଥମ ଇସ୍ପାତ କାରଖାନା ସ୍ଥାପନ କରିପାରିଥିଲେ ଯାହାକୁ ବର୍ତମାନ ସୁଦ୍ଧା ଭାରତୀୟ ଇସ୍ପାତ କ୍ଷେତ୍ରର ପ୍ରମୁଖ ୟୁନିଟ୍ ଭାବେ ବିଚାର କରାଯାଉଛି । ଏହା ମାନଦଣ୍ଡ ଧାର୍ଯ୍ୟ କରିଥିବା ବେଳେ ବହୁ ଦଶଦ୍ଧି ପର୍ଯ୍ୟନ୍ତ ଏକ୍ଷେତ୍ରରେ ଅଗ୍ରଣୀ ହୋଇରହିଛି ।
ଟାଟା ହେଉଛି ଭାରତର ଅଗ୍ରଦୂତ ଶିଳ୍ପପତି ଯିଏ ଭାରତୀୟ ଶିଳ୍ପକୁ ନୂଆ ଦୃଷ୍ଟିକୋଣ ଓ ସଂସ୍କୃତି ପ୍ରଦାନ କରିଛନ୍ତି । ମାତ୍ର ୧.୫ ଲକ୍ଷ ଟଙ୍କାର ସିଡ୍ ପୁଂଜି ଜରିଆରେ ସେଂଟ୍ରାଲ୍ ଇଣ୍ଡିଆ ସ୍ପିନିଂ ୱିଭିଂ ଆଣ୍ଡ୍ ମାନୁଫାକ୍‌ଚରିଂ କଂପାନିର ଶୁଭାରମ୍ଭ କରି ୧୮୭୪ରେ ଟାଟା ନିଜର ଭାଗ୍ୟକୁ ଖୋଲିଥିଲେ ଏବଂ ଉଚ୍ଚ ଶିକ୍ଷା ପାଇଁ ୧୮୯୨ରେ ଜେଏନ୍ ଟାଟା ଏଣ୍ଡାଓମେଂଟ୍ ସ୍ଥାପନ କରିଥିଲେ ଯାହା ଥିଲା ଟାଟା ଟ୍ରଷ୍ଟ୍‌ସର ଶୁଭାରମ୍ଭ ପଦକ୍ଷେପ ।
ବୟନ ଶିଳ୍ପରେ କାର୍ଯ୍ୟ କରୁଥିବା ବେଳେ ଆମେରିକା ଗୃହ ଯୁଦ୍ଧ ପର୍ବତୀ ସମୟରେ ତାଙ୍କ ଟେକ୍ସଟାଇଲ୍ ମିଲ୍ (ବୟନ କାରଖାନା) ଲାଗି ନୂଆ ମେସିନ୍‌ର ଅନୁସନ୍ଦାନ କରିବା ଲାଗି ବ୍ରିଟେନ୍‌ର ମାଚେଂଷ୍ଟର ଗସ୍ତ କରିବା ସମୟରେ ସେ ଥୋମାସ୍ କାର୍ଲାଇଲଙ୍କ ବକ୍ତବ୍ୟ ଶୁଣିଥିଲେ ଯାହା ଜେ ଏନ୍ ଟାଟାଙ୍କ ମଧ୍ୟରେ ଭାରତରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାର ଚିନ୍ତାଧାରା ଜାଗ୍ରତ କରିଥିଲା । ୧୮୯୯ରେ ମେଜର ମୋହନଙ୍କ ଏକ ରିପୋର୍ଟ ପରେ ଲର୍ଡ କର୍ଜନ ଭାରତରେ ଲାଇସେନ୍ସ ବ୍ୟବସ୍ଥାରେ ଉଦାରୀକରଣ ଆରମ୍ଭ କରିଥିଲେ ଯାହା ଭାରତକୁ ଏକ ଇସ୍ପାତ କାରଖାନା ଭେଟି ଦେବା ଲାଗି ଟାଟାଙ୍କୁ ସୁଯୋଗ ପ୍ରଦାନ କରିଥିଲା । ଏହା ପୂର୍ବରୁ ଥିବା ନିୟମ ଅନୁସାରେ ଭାରତୀୟମାନଙ୍କୁ ଇସ୍ପାତ କାରଖାନା ସ୍ଥାପନ କରିବାର ଅନୁମତି ନଥିଲା ।
ଇସ୍ପାତ କାରଖାନା ସ୍ଥାପନ କରିବାର ପଥ ଏତେ ସରଳ ନଥିଲା ଏବଂ ପ୍ରତି ପାହାଚରେ ଟାଟାଙ୍କୁ ସମସ୍ୟା ସାମ୍ନା କରିବାକୁୁ ପଡ଼ିଥିଲା, କିନ୍ତୁ ତଥାପି ଯେ ନିଜ ସଂକଳ୍ପରେ ଅଟଳ ରହି ତାହାକୁ ବାସ୍ତବତାରେ ପରିଣତ କରିଥିଲେ । ଏଭଳି ସଂସ୍ଥା କୌଣସି ଲାଭ ପ୍ରଦାନ କରିବ ନାହିଁ ବୋଲି ବ୍ରିଟିଶମାନେ କହୁଥିବା ସହ ସେମାନଙ୍କର ସବୁ ପ୍ରତିବନ୍ଧକ ଓ ପ୍ରତିବାଦକୁ ଅତିକ୍ରମ କରିବା ସହ ଜେ ଏନ୍ ଟାଟାଙ୍କ ଦେହାନ୍ତର ୮ ବର୍ଷ ପରେ ୧୯୧୨ରେ କଂପାନିର କାରଖାନାରୁ ପ୍ରଥମ ଇସ୍ପାତ ଇନ୍‌ଗଟ୍ ଉତ୍ପାଦର ଶୁଭାରମ୍ଭ ହୋଇଥିଲା । ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଏବଂ ତାଙ୍କ ପୁଅ ଜୋରାବ ଓ ସମ୍ପର୍କୀ ଆର୍ ଡି ଟାଟାଙ୍କ ଉଦ୍ୟମରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥିଲା ।
ଜେ ଏନ୍ ଟାଟାଙ୍କ ଅବଦାନ ଇସ୍ପାତଠାରୁ ଆହୁରି ବହୁତ କିଛି ଅଧିକ । ନିଜ ସମ୍ପତିରୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ ଏବଂ ଭାଇସରଏ, ଲର୍ଡ କର୍ଜନ ଓ ସ୍ୱାମୀ ବିବେକାନନ୍ଦଙ୍କ ସହଯୋଗରେ ବେଙ୍ଗାଲୁରୁରେ ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍‌ସି)କୁ ସ୍ଥାପନ କରି ଭାରତର ଶିକ୍ଷା କ୍ଷେତ୍ର ପ୍ରତି ଯେ ମୂଲ୍ୟବାନ ଯୋଗଦାନ ପ୍ରଦାନ କରିଥିଲେ । ଆଇଆଇଏସ୍‌ସି କାର୍ଯ୍ୟକ୍ଷମ ହେବା ଲାଗି ୧୨ ବର୍ଷ ସମୟ ଲାଗିଥିଲା ଏବଂ ୧୯୧୧ରେ ତାହାର ଶୁଭାରମ୍ଭ ହୋଇଥିଲା ।
ଏଡେଲ୍‌ଗିଭ୍ ଫାଉଣ୍ଡେସନ ଓ ହୁରୁନ୍ ରିପୋର୍ଟ ଅନୁସାରେ ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ସର୍ବବୃହତ ବଦାନ୍ୟ ବ୍ୟକ୍ତିଙ୍କ ତାଲିକାରେ ଜେ ଏନ୍ ଟାଟାଙ୍କ ନାମ ସବୁଠୁ ଆଗରେ ରହିଛି ।
ଜେ ଏନ୍ ଟାଟାଙ୍କ ବଦାନ୍ୟ କାର୍ଯ୍ୟ୧୮୯୨ରୁ ଆରମ୍ଭ ହୋଇଥିଲା ଏବଂ ଅଧିକାଂଶ ରାଶି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରଦାନ କରାଯାଇଛି । ଦାତବ୍ୟ କାର୍ଯ୍ୟରେ ନିୟୋଜିତ ଟ୍ରଷ୍ଟ୍‌କୁ ସେ ତାଙକ ଦୁଇ ତୃତୀୟାଂଶ ମାଲିକାନା ପ୍ରଦାନ କରିଥିଲେ । ସେ ଯେଉଁ ପଥରେ ଚାଲୁଥିଲେ ବର୍ତମାନ ସୁଦ୍ଧା ଟାଟା ଗ୍ରୁପ୍ ତାହାକୁ ଅନୁସରଣ କରୁଛି ଏବଂ ନିଜ ପ୍ରତିଷ୍ଠାତାଙ୍କ ବ୍ୟବସାୟ ଓ ସାମାଜିକ ଦର୍ଶନକୁ ପାଳନ କରି ଭାରତର ଅନ୍ୟତମ ସର୍ବବୃହତ ଦାତବ୍ୟ ଅନୁଷ୍ଠାନ ହୋଇରହିଛି ଟାଟା ଗ୍ରୁପ୍ ।
କେବଳ ଇସ୍ପାତ କାରଖାନା ସ୍ଥାପନ କରିବା ନୁହେଁ, ସେ ନୂଆ କର୍ମ ଏବଂ ଶିଳ୍ପ ସଂସ୍କୃତି ଆଣିଥିଲେ ଯାହା ଲୋକଙ୍କ ମଧ୍ୟରେ ସମାଜର ଏକ ଭାବ ଜାଗ୍ରତ କରିଥିଲା । କମ୍ କାର୍ଯ୍ୟ ସମୟ, ଭଲ ଭାବେ ବାୟୁ ଚଳାଚଳ କରୁଥିବା କାର୍ଯ୍ୟକ୍ଷେତ୍ର, ଭବିଷ୍ୟନିଧି ପାଣ୍ଠି ଓ ଗ୍ରାଚୁଇଟି ଭଳି ସୁବିଧା ଆଦିକୁ ପାଶ୍ଚାତ୍ୟ ଦେଶରେ ଏକ ନିୟମରେ ପରିଣତ ହେବା ପୂର୍ବରୁ ସେ ଆରମ୍ଭ କରିଥିଲେ । ସଂସ୍ଥା ଲାଗି ସଠିକ୍ ସ୍ଥାନ ସନ୍ଧାନ ହେବା ପୂର୍ବରୁ କର୍ମଚାରୀମାନଙ୍କ ଲାଗି ଏକ ଟାଉନ୍‌ସିପ୍ ସ୍ଥାପନ କରିବାର ଚିନ୍ତାଧାରାକୁ ୧୯୦୨ରେ ଦୋରାବ ଟାଟାଙ୍କୁ ଲେଖିଥିବା ଏକ ଚିଠିରେ ସେ ଜଣାଇଥିଲେ ।
ନିଜ ସମୟର ନେତୃବୃନ୍ଦଙ୍କ ତୁଳନାରେ ସେ ଅଧିକ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ଏବଂ ସେ ବୁଣିଥିବା ଆଧୁନିକ କର୍ମସଂସ୍କୃତିର ମଂଜିକୁ ଆଜି ମଧ୍ୟ ଅନୁସରଣ କରାଯାଉଛି । ଆଜି ବି ଟାଟା ଗ୍ରୁପ୍ ତାଙ୍କ କର୍ପୋରେଟ୍ ସଂସ୍କୃତି, ସମସ୍ତ କାରଖାନାରେ ଶ୍ରମିକ ଉନ୍ନତି ଓ ଗୋଷ୍ଠୀ ବିକାଶ ଚିନ୍ତାଧାରାକୁ ଅନୁସରଣ କରୁଛି ଏବଂ ସମାଜ ପାଇଁ କିଛି ଭଲ କରିବା ଲାଗି ତାଙ୍କ ମୂଲ୍ୟବୋଧ, ନିର୍ଧାରିତ ଲକ୍ଷ୍ୟ ଏବଂ ତାଙ୍କ ଅଭିଳାଷକୁ ଆଗକୁ ବଢ଼ାଇବା ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

four + 9 =