Businessରାଜ୍ୟ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଯୁବକଯୁବତୀଙ୍କ ପାଇଁ ଆଉଟଡୋର ଲିଡରଶିପ କ୍ୟାମ୍ପର ଶୁଭାରମ୍ଭ

ସୁକିନ୍ଦା : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍‌) ପକ୍ଷରୁ କିଶୋର କିଶୋରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଜନନ ଓ ଯୌନ ସ୍ବାସ୍ଥ୍ୟ ଉପକ୍ରମ ବା ରିସ୍ତା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଆଉଟ୍ ଡୋର୍ ଲିଡରସିପ୍ କ୍ୟାମ୍ପ (ଓଏଲ୍‌ସି) ବା ବାହ୍ୟ ନେତୃତ୍ୱ ଶିବିରର ଶୁଭାରମ୍ଭ କରାଯାଇଛି। ଏଥିରେ ଭାଗନେବାକୁ ଯାଉଥିବା ସୁକିନ୍ଦା ଅଞ୍ଚଳର ୪୦ଜଣ ଯୁବକଯୁବତୀଙ୍କ ଯାତ୍ରାକୁ ଟିଏସଏଫ ର କର୍ମଚାରୀମାନଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଏଣ୍ଡ ମିନେରାଲସ ଡିଭିଜନର (ଏଫ୍ଏଏମଡି) ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଉଦ୍‌ଘାଟନ କରିଥିଲେ।

‘ପ୍ରୋଜେକ୍ଟ ରିସ୍ତା’ ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏଥିରେ ଟାଟା ଷ୍ଟିଲ୍‌ର କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ କିଶୋର କିଶୋରୀ ଓ ଯୁବ ଦମ୍ପତିଙ୍କ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥାଏ।

ଯୁବାବର୍ଗଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଝାଡ଼ଖଣ୍ଡର ତୁମୁଙ୍ଗ ଠାରେ ଏହି ବାହ୍ୟ ନେତୃତ୍ୱ ଶିବିରର ଆୟୋଜନ କରାଯାଇଛି। ଦଳଗତ କାର୍ଯ୍ୟର ପ୍ରସାର କରିବା ଏବଂ ଗୋଷ୍ଠୀରେ ସକରାତ୍ମକ ପରିବର୍ତନ ସୃଷ୍ଟି କରିବା ଲାଗି ଅଂଶଗ୍ରହଣକାରୀଙ୍କୁ ଏଠାରେ ତାଲିମ ଦିଆଯିବ।

ଶିବିର ଅଂଶଗ୍ରହଣକାରୀମାନଙ୍କୁ ଏକ କଠିନ ପ୍ରକ୍ରିୟାରେ ଚୟନ କରାଯାଇଛି। ପ୍ରତି ଯୁବକ ଯୁବତୀ ନିଜ ଗାଁର ୩୦ କିଶୋର କିଶୋରୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ସମସ୍ତ ଅଂଶଗ୍ରହଣକାରୀ ପୂର୍ବରୁ ଟିଏସ୍ଏଫର ସାଥିୟା ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି, ଯେଉଁଥିରେ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଇଛି । ସେହି ମୁଳଦୁଆ ଆଧାରରେ ଜଣେ ଦକ୍ଷ ଲିଡରଙ୍କ ଦ୍ୱାରା ତାଲିମ ଅଧିବେଶନ ଓ ଦଳ ଗଠନ କାର୍ଯ୍ୟ ଉପରେ ଏହି କ୍ୟାମ୍ପରେ ଅଂଶଗ୍ରହଣକାରୀଙ୍କୁ ଟ୍ରେନିଂ ଦିଆଯିବ । ନିଜ ଗ୍ରାମରେ ସେମାନେ ଲକ୍ଷ୍ୟ କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଂଶଗ୍ରହଣକାରୀମାନେ ପ୍ରତ୍ୟକ୍ଷ ତାଲିମ ହାସଲ କରିବେ, ଯାହା ସ୍ଥାୟୀ ଗୋଷ୍ଠୀ ବିକାଶ ଲାଗି ଉତ୍ସର୍ଗୀକୃତ ଏକ ସଶକ୍ତ ଯୁବବର୍ଗ ଗଠନ କରିବାରେ ରିସ୍ତାର ଲକ୍ଷ୍ୟକୁ ଆଗକୁ ବଢ଼ାଇବ।

ଏହି ଅଭିଯାନ ଯୁବଗୋଷ୍ଠୀଙ୍କ ସମ୍ଭାବନାକୁ ସୁଦୃଢ଼ କରିବା ଏବଂ ସାମାଜିକ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରହିଥିବା ଦୃଢ଼ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ। ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ଏବଂ ନେତୃତ୍ୱ ନେବା ଲାଗି ସେମାନଙ୍କୁ ଅନୁପ୍ରାଣିତ କରି ଟିଏସ୍‌ଏଫ୍ ଏହାର କାର୍ଯ୍ୟକ୍ଷେତ୍ର ଅଂଚଳରେ ସକାରାତ୍ମକ ଓ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

13 − one =