ମାସ୍କ ଦୁର୍ନୀତି ହୋଇନି: ସସ୍ମିତ ପାତ୍ର
ଭୁବନେଶ୍ୱର() କରୋନା ମହାମାରୀ ବର୍ତ୍ତମାନ ଯେଉଁ ବିପର୍ଯ୍ୟୟ ସୃଷ୍ଟି କରିଛି ପୂର୍ବରୁ ତାହା ବିଶ୍ୱ ପୂର୍ବରୁ କେବେ ଦେଖିନଥିଲା । ଉଭୟ ବିକଶିତ ଓ ବିକାଶଶୀଳ ଦେଶଗୁଡିକ ଏହି ମହାମାରୀ ଦ୍ୱାରା ପ୍ରଭାବିତ । ବିଶ୍ୱର ପ୍ରମୁଖ ବିକାଶଶୀଳ ଦେଶ ଆମେରିକା, ୟୁରୋପୀୟରାଷ୍ଟ୍ର ଏବଂ ଚାଇନା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କରୋନା ମୁକାବିଲା ପାଇଁ ଏହିସବୁ ଦେଶ ଗୁଡିକରେ ମାସ୍କ, ପିପିଇ, ଭେଣ୍ଟିଲେଟର ଭଳି ଡାକ୍ତରୀ ଉପରକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ବିକାଶଶୀଳ ଦେଶ ଗୁଡିକରେ ବ୍ୟାପକ ବିପର୍ଯ୍ୟୟ ଘଟାଇବା ପରେ କରୋନା ଭାରତରେ ପ୍ରବେଶ କରିଥିଲା । ଆମ ଦେଶରେ ପ୍ରଥମେ ଏହା ପଶ୍ଚିମ ଓ ଦକ୍ଷିଣ ରାଜ୍ୟ ଗୁଡିକରେ ଦେଖା ଦେଇଥିବାବେଳେ ସେତେବେଳେ ବିକାଶଶୀଳ ଦେଶ ଗୁଡିକ ଭଳି ଏଠାରେ ମୃତ୍ୟୁହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଥିଲା । ଏହା ଥିଲା ମାର୍ଚ୍ଚ ପ୍ରଥମ ସପ୍ତାହର ଘଟଣା ।
ଓଡିଶା ସରକାର କିନ୍ତୁ ମାର୍ଚ୍ଚ ପ୍ରାରମ୍ଭରୁ କରୋନା ବିପଦର ପୂର୍ବାନୁମାନ କରି ରାଜ୍ୟବାସୀଙ୍କ ଜୀବନ ରକ୍ଷା ପାଇଁ ଆଗୁଆ ଭାବେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । ଏହା ମଧ୍ୟରେ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ମେଡିକାଲ ଉପକରଣ ଖରିଦ, କୋଭିଡ ଡାକ୍ତରଖାନା ପ୍ରତିଷ୍ଠା, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ପଞ୍ଚାୟତ ସ୍ତରରେ ପୃଥକ ଭାବେ କ୍ୱାରେଣ୍ଟାଇନ୍ କେନ୍ଦ୍ର/ଅସ୍ଥାୟୀ ମେଡିକାଲ କେନ୍ଦ୍ର ପ୍ରତିଷ୍ଠା, କୋଭିଡ୍ ଡାକ୍ତରଖାନା ଗୁଡିକରେ ପୃଥକ ଭାବେ ୬୦୦୦ ଶଯ୍ୟା ଉପଲବ୍ଧ ଆଦି ଅର୍ନ୍ତଭୁକ୍ତ । ଏହାର ଫଳ ସ୍ୱରୂପ କୋଭିଡ୍ ମୁକାବିଲା ପରିଚାଳନା କ୍ଷେତ୍ରରେ ଓଡିଶା ଏବେ ଦେଶର ଅନ୍ୟତମ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟଭାବେ ପରିଗଣିତ ହେଉଛି ।
ପ୍ରତ୍ୟେକ ଦେଶ ଏପରିକି ଆମ ଦେଶରେ ଥିବା ପ୍ରତ୍ୟେକ ରାଜ୍ୟ ଲୋକଙ୍କ ଜୀବନ ରକ୍ଷା ଲାଗି କରୋନା ମୁକାବିଲା ସକାଶେ ଆବଶ୍ୟକ ସାମଗ୍ରୀ କିଣିବାକୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଳାଇଥିଲେ । କୋଭିଡ ଯୋଦ୍ଧା ଓ ଆଗଧାଡିରେ ରହି କରୋନା ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ମାସ୍କ ଅତ୍ୟନ୍ତ ଜରୁରୀ । ସେତେବେଳେ ଏହା ରାଜ୍ୟ ମଧ୍ୟରେ ଆଦୌ ଉତ୍ପାଦିତ ହେଉନଥିଲା । ଲୋକଙ୍କ ଜୀବନ ରକ୍ଷା ଆମର ଲକ୍ଷ୍ୟ ଥିବାରୁ ପର୍ଯ୍ୟାୟ ପରିମାଣରେ ଏହା ଖରିଦ କରାଯାଇଥିଲା । ଲୋକଙ୍କ ଜୀବନ ପାଇଁ ଦର ହ୍ରାସକୁ ଅପେକ୍ଷା କରାଯାଇନଥିଲା । ସେତେବେଳେ ଏହାର ବ୍ୟାପକ ଚାହିଦା ଥିବାବେଳେ କମ୍ ପରିମାଣରେ ଉତ୍ପାଦନ ହେଉଥିଲା । ରାଜ୍ୟର ଆବଶ୍ୟକତାକୁ ଦେଖି ବୈଷୟିକ କମିଟିର ଆକଳନ ଅନୁଯାୟୀ ରାଜ୍ୟ ସରକାର ସଫଳତାର ସହ ସାମଗ୍ରୀ ମହଜୁଦ କରିଥିଲେ ।
ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ବୈଷୟିକ କମିଟି କରୋନା ମହାମାରୀର ମୁକାବିଲା ପାଇଁ କେତେ ପରିମାଣରେ କେଉଁସବୁ ଡାକ୍ତରୀ ଉପକରଣ ଆବଶ୍ୟକ ତାହାର ଆକଳନ କରିଥାନ୍ତି । ତଦନୁଯାୟୀ ସେମାନେ ହାରାହାରି ଭାବେ ୫କୋଟି ୩-ପ୍ଲାଇ ମାସ୍କ ରାଜ୍ୟ ପାଇଁ ଆବଶ୍ୟକ କରିଥିଲେ । ଏହି ମହାମାରୀର ମୁକାବିଲା ପାଇଁ କରୋନା ଯୋଦ୍ଧାଙ୍କ ସକାଶେ ମାସ୍କ ସବୁଠାରୁ ଅଧିକ ଜରୁରୀ । ତେଣୁ ଏହି ଯୋଦ୍ଧାଙ୍କ ଜୀବନ ରକ୍ଷାଲାଗି ଓଡିଶା ସରକାର ପ୍ରାଥମିକତା ଭାବେ ମାସ୍କ ଖରିଦ କରିଥିଲେ । ଦେଶର ପଶ୍ଚିମ ଓ ଦକ୍ଷିଣାତ୍ୟ ରାଜ୍ୟ ଗୁଡିକରେ ଥିବା କମ୍ପାନୀମାନେ ହିଁ ଅଧିକାଂଶ ମାସ୍କ ତିଆରି କରିଥାନ୍ତି ।
ଫେବୃୟାରୀ ମାସରେ ଗୋଟିଏ ମାସ୍କର ଦର ଏକ ଟଙ୍କା ଥିଲା । କିନ୍ତୁ କରୋନା ପରିସ୍ଥିତି ଜନିତ ଲକ୍ଡାଉନ୍ ଯୋଗୁଁ ସପ୍ଲାଇ ଚେନ୍ରେ ଗୁରୁତର ସମସ୍ୟା ଦେଖାଦେଇଥିଲା । ଫଳରେ ମାସ୍କ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକ କଞ୍ଚାମାଲ ପାଇପାରିନଥିଲେ ଏବଂ କର୍ମଚାରୀ ସଙ୍କଟର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ ଦେଶର ସମସ୍ତ ରାଜ୍ୟ ଅଧିକରୁ ଅଧିକ ସଂଖ୍ୟାରେ ମାସ୍କ ଖରିଦ କରି ତାହାକୁ ମହଜୁଦ ଲାଗି ଉଦ୍ୟମ ଆରମ୍ଭ କରିଦେଇଥିଲେ । ହଠାତ୍ ବଜାରରେ ୩-ପ୍ଲାଇ ମାସ୍କ ସହିତ ପିପିଇ ଓ ଭେଣ୍ଟିଲେଟର ଆଦିର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାଧ୍ୟ ହୋଇ ୩-ପ୍ଲାଇ ମାସ୍କର ଦର ୧୦ ଟଙ୍କା ସ୍ଥିର କରିବା ସହିତ ଏ ନେଇ ବିଜ୍ଞପ୍ତି ଜାରି କରିଥିଲେ । ଦର ବଢିଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମାସ୍କ ଯୋଗାଣ ହୋଇପାରିନଥିଲା । ଫଳରେ ମାତ୍ର ତିନିଦିନ ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ସରକାର ୩-ପ୍ଲାଇ ମାସ୍କର ଦର ୧୬ଟଙ୍କାକୁ ବଢାଇବା ସହିତ ଏ ନେଇ ପୁର୍ନବାର ବିଜ୍ଞପ୍ତି ଜାରି କରିଥିଲେ ।
ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ଦେଶର ଅଧିକାଂଶ ରାଜ୍ୟ ଚଢା ଦରରେ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ । ଏପରିକି କେତେକ ରାଜ୍ୟ କେନ୍ଦ୍ର ସରକାର ମାସ୍କର ଦର ୧୬ଟଙ୍କା ଧାର୍ଯ୍ୟ କରିବା ପୂର୍ବରୁ ହିଁ ଲୋକଙ୍କ ଜୀବନ ରକ୍ଷା ଲାଗି ଅଧିକ ଦରରେ ମାସ୍କ କିଣିଥିଲେ । ମହାରାଷ୍ଟ୍ର ୧୬ଟଙ୍କା ଦରରେ ମାସ୍କ କିଣିଥିବାବେଳେ କେରଳ ୧୬ଟଙ୍କା, ଗୁଜୁରାଟ ୨୦ ଟଙ୍କା, କର୍ଣ୍ଣାଟକ ୧୮ଟଙ୍କା ୭୪ପଇସା, ପଶ୍ଚିମବଙ୍ଗ ୧୮ଟଙ୍କା ୭୪ପଇସା ଓ ତାମିଲନାଡୁ ୧୫ଟଙ୍କା ୯୬ପଇସାରେ ମାସ୍କ ଖରିଦ କରିଛନ୍ତି । ଆମେ କହୁ ନାହୁଁ ଏ କ୍ଷେତ୍ରରେ ସଂପୃକ୍ତ ଅନ୍ୟ ରାଜ୍ୟଗୁଡିକ କୌଣସି ଭୁଲ୍ କରିଛନ୍ତି ।
ଏହା ସ୍ପଷ୍ଟ ଯେ କରୋନା ମହାମାରୀ ସମୟରେ ଆବଶ୍ୟକ ଜରୁରୀ ମେଡିକାଲ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । କରୋନା ମୁକାବିଲା ପାଇଁ ସମ୍ମୁଖ ଭାଗରେ ରହି ଲଢୁଥିବା ଯୋଦ୍ଧା ବିଶେଷକରି ଡାକ୍ତର, ନର୍ସ, ପାରାମେଡିକସ୍, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ପୁଲିସ୍ ଆଦିଙ୍କ ଜୀବନ ରକ୍ଷାପାଇଁ ସମସ୍ତ ରାଜ୍ୟ ଚଢା ଦରରେ ଡାକ୍ତରୀ ଉପକରଣ ଖରିଦ କରିଛନ୍ତି । ତେଣୁ ଓଡିଶା ସରକାର ମଧ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଅନୁରୂପ ସାମଗ୍ରୀ କିଣିଛନ୍ତି ।
ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନ ରକ୍ଷାକୁ ଓଡିଶା ସରକାର ଅଗ୍ରାଧିକାର ଦେଇଥିଲେ । ଏହା ସତ୍ୱେ ବି କେନ୍ଦ୍ର ସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ଟଙ୍କାର ଦରକୁ ରାଜ୍ୟ ସରକାର କେଉଁଠାରେ ଅତିକ୍ରମ କରିନାହାନ୍ତି କି ଏହାଠାରୁ ଅଧିକ ଦରରେ ମାସ୍କ ଖରିଦ କରିନାହାନ୍ତି । ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ସାଜ ସରଞ୍ଜାମ ଯୋଗାଇଦେବା କ’ଣ ଆମର ଦାୟିତ୍ୱ ନୁହେଁ । କାରଣ ରୋଗୀ ସଂଖ୍ୟା ବୃଦ୍ଧି ସହିତ ସଂକ୍ରମଣ ବଢିବାରୁ ଅନ୍ୟ ରାଜ୍ୟରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କିନ୍ତୁ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସୁରକ୍ଷିତ କରିଥିବାରୁ ଓଡିଶାରେ ଏବେ ବି ଦେଶର ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ।
ବର୍ତ୍ତମାନ ଯେଉଁମାନେ ମାସ୍କ ଖରିଦ ନେଇ ଚିତ୍କାର କରୁଛନ୍ତି ଆମେ ଯଦି ମାସ୍କ ଖରିଦ କରିନଥାନ୍ତୁ ତେବେ ସେମାନେ ମାସ୍କର ଅଭାବ ଦର୍ଶାଇ ଲୁହ ଗଡାଇଥାନ୍ତ । କେନ୍ଦ୍ର ସରକାର ଦର ବଢାଇବା ସତ୍ୱେ ଆମେ ମାସ୍କ କିଣିବରେ ବିଫଳ ହୋଇଛୁ ବୋଲି ଦର୍ଶାଇଥାନ୍ତେ । ଅନ୍ୟ ଯେଉଁ ରାଜ୍ୟ ଏହି ଦରରେ ମାସ୍କ କିଣିଛନ୍ତି ତାହାର ଉଦାହରଣ ଦେଇଥାନ୍ତେ । କରୋନା ମୁକାବିଲାରେ ସମ୍ମୁଖ ଭାଗରେ ଲଢେଇ କରୁଥିବା ଆମର ଯୋଦ୍ଧାଙ୍କ ସୁରକ୍ଷା ଏବଂ ମହାମାରୀ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷାଲାଗି ଯେତେଶୀଘ୍ର ସମ୍ଭବ ଏହା ଖରିଦ କରିଥିଲୁ । ତ୍ୱରିତ ନିଷ୍ପତ୍ତି ଏବଂ ଦୃଢ ନେତୃତ୍ୱ ଏବଂ ଆମ ଲୋକଙ୍କ ତ୍ୟାଗ ରାଜ୍ୟକୁ ବେଶ୍ ସହାୟକ ହୋଇଛି ।
ବିଗତ ତିନିମାସ ମଧ୍ୟରେ ଓଡିଶାବାସୀ କରୋନା ମୁକାବିଲା ପାଇଁ ଅନେକ କିଛି ତ୍ୟାଗ କରିସାରିଲେଣି । ସାଢେ ଚାରି କୋଟି ଲୋକଙ୍କ ସହଯୋଗ ପାଇଁ ଓଡିଶା ଆଜି କରୋନା ମୁକାବିଲା ପରିଚାଳନାରେ ସମଗ୍ର ଦେଶରେ ଉତତ୍ତ ପ୍ରଦର୍ଶନ କରୁଥିବା ରାଜ୍ୟ ହୋଇପାରିଛି । ଏ କ୍ଷେତ୍ରରେ ରାଜ୍ୟ ଜାତୀୟ ସ୍ତରରେ ମାନ୍ୟତା ହାସଲ କରିପାରିଛି । କୋଭିଡ ଯୁଦ୍ଧରେ ଓଡିଶାକୁ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ଦେବାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଆଗଧାଡିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ପାରାମେଡିକସ୍, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ପୁଲିସ୍ ଆଦିଙ୍କ ମନୋବଳକୁ କିନ୍ତୁ ଏଭଳି ମିଥ୍ୟା ଓ ମନଗଢା ସୂଚନା ପ୍ରସାର ଭାଙ୍ଗିପାରିବ ନାହିଁ । ଯେତେବେଳେ ଏଭଳି ମିଛ ଓ ମନଗଢା ଖବର ପ୍ରସାରିତ ହୋଇଛି ଆମେ ତାହାର ସ୍ପଷ୍ଟୀକରଣ ପ୍ରଦାନ କରିଛୁ । ଯଦି ବିରୋଧିଙ୍କ ନିକଟରେ କିଛି ପ୍ରମାଣ ଅଛି ତେବେ ସେମାନେ ଅଦାଲତ କିମ୍ବା ଅନ୍ୟ କୌଣସି ଫୋରମକୁ ଯାଇପାରନ୍ତି । କିନ୍ତୁ ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଥିବାବେଳେ ଯୋଦ୍ଧାମାନଙ୍କର ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ । ଓଡିଶାର ଲୋକ ସବୁକିଛି ଉପରେ ନଜର ରଖିଛନ୍ତି । ଏଭଳି ମହାମାରୀ ସଙ୍କଟ ସମୟରେ ବିରୋଧିମାନେ ଯେଭଳି ହୀନ ରାଜନୀତି କରୁଛନ୍ତି ତାହାକୁ ସେମାନେ କେବେହେଲେ ଭୁଲିବେ ନାହିଁ ।