BusinessLatestଜାତୀୟରାଜ୍ୟ

ଆର ପାରିରେ ଶିଳ୍ପ ସମ୍ରାଟ ରତନ ଟାଟା

ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଗତକାଲି ରାତିରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ପରେ ଶିଳ୍ପପତି ରତନ ଟାଟାଙ୍କ ମୃତଦେହ କୋଲାବା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ତାଙ୍କୁ ଦର୍ଶନ ପାଇଁ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ରଖାଯିବ।

ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ହେତୁ ଆଜି ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଛି । ରତନ ଟାଟାଙ୍କ ଦେହାନ୍ତ ପରେ ହସ୍ପିଟାଲ ଯାଇ ଶେଷ ଦର୍ଶନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ରତନ ଟାଟା ମହାରାଷ୍ଟ୍ରର ଗର୍ବ ଥିଲେ। ଦେଶର କୋହିନୋର ଥିଲେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତିକ୍ରିୟା ରଖି କହିଛନ୍ତି ବହୁତ ବଡ ହୃଦୟ ଥିବା ବ୍ୟକ୍ତି ଆଜି ଆମକୁ ଛାଡିଛନ୍ତି, ଏହା ଦେଶ ପାଇଁ ଏକ ବଡ କ୍ଷତି।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରତନ ନାଭାଲ ଟାଟା। ନିଜର ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ମେଳାପି ସ୍ୱଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା। ୧୯୬୨ରେ ସେ ପ୍ରଥମେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ।

ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ ରତନ ଟାଟା।

  • ପାର୍ସୀ ରୀତିନୀତିରେ ରତନଙ୍କ ଶେଷକୃତ୍ୟ

ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି।

ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା।

ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। ଏହା ପାର୍ସୀ ପରମ୍ପରାର ନିୟମ ହୋଇଥିବାରୁ ରତନ ଟାଟାଙ୍କ ଶେଷକୃତ୍ୟ ଏହି ଅନୁସାରେ ସମ୍ପନ୍ନ ହୋଇଛି।

ଗତକାଲି ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରତନ ଟାଟା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। 

ସେ ଭାରତୀୟ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଚେହେରା ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

ରତନ ଟାଟାଙ୍କୁ ‘ଭାରତ ରତ୍ନ’! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାସ୍‌

ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନିତ କରାଯାଉ। ଏଭଳି କିଛି ଦାବି ଭିତରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଯିବାକୁ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର କ୍ୟାବିନେଟର ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବର୍ତ୍ତମାନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ରତନ ଟାଟାଙ୍କ କେତେକ ପ୍ରେରଣାଦାୟୀ ବାର୍ତ୍ତା

ଆଜି ଭାରତ ଏକ ରତ୍ନକୁ ହରାଇଛି। ଅର୍ଥାତ୍ ବିଶ୍ୱର ସୁପ୍ରତିଷ୍ଠିତ ଶିଳ୍ପପତି ରତନ ନବଲ ଟାଟା ଚିର ନିଦ୍ରାରେ। 86 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ବର୍ଷିୟାନ ଶିଳ୍ପପତି। ତାଙ୍କ ବିୟୋଗରେ ସମଗ୍ର ଦେଶ ଆଜି ଶୋକ ସନ୍ତପ୍ତ।   

କାରଣ ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କ ଅବଦାନ ଥିଲା ମହନୀୟ। କୋଟି କୋଟି ଯୁବ ବ୍ୟବସାୟୀଙ୍କ ପାଇଁ ସେ ଥିଲେ ଆଦର୍ଶ। ତାଙ୍କ ପ୍ରେରଣାଦାୟୀ ବାର୍ତ୍ତାରେ ଯୁବପିଢି ହେଉଥିଲେ ଅନୁପ୍ରାଣିତ। ଏଥିପାଇଁ ତାଙ୍କୁ ‘ଜୀବନ୍ତ ଧର୍ମନିରପେକ୍ଷ ସନ୍ଥ’ ବୋଲି କୁହାଯାଉଥିଲା। ତେବେ ଏହି ‘ସନ୍ଥ’ ଯୁବ ସମାଜକୁ ଦେଇଥିବା କେତେକ ପ୍ରେରଣାଦାୟୀ ବାର୍ତ୍ତା ଉପରେ ନଜର ପକାନ୍ତୁ… 

  • କେହି ଲୁହାକୁ ନଷ୍ଟ କରିପାରିବେ ନାହିଁ, କିନ୍ତୁ ଏହାର କଳଙ୍କି କରିଦେବ। ସେହିଭଳି, ଜଣେ ବ୍ୟକ୍ତିଙ୍କୁ ଅନ୍ୟ କେହି ନୁହେଁ, ତାର ନିଜ ମାନସିକତା ବିନାଶ କରି ଦେଇପାରେ। 
  • ଲୋକେ ଫିଙ୍ଗୁଥିବା ପଥରକୁ ସାଇତି ରଖ, ଆଉ ଏହାକୁ ସ୍ମାରକୀ ନିର୍ମାଣ ପାଇଁ ବ୍ୟବହାର କର। 
  • ଜୀବନରେ ଆଗକୁ ବଢିବା ପାଇଁ ଉନ୍ନତି ଏବଂ ଅବନତି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ECG ପରୀକ୍ଷଣରେ ସିଧା ରେଖାର ଅର୍ଥ ଆମେ ଜୀବିତ ନାହାଁନ୍ତି।  
  • ଯଦି ତୁମେ ଦ୍ରୁତଗତିରେ ଚାଲିବାକୁ ଚାହୁଁଛ, ଏକୁଟିଆ ଚାଲ। କିନ୍ତୁ ଯଦି ତୁମେ ବହୁତ ଦୂର ଯିବାକୁ ଚାହୁଁଛ, ତେବେ ଏକାଠି ହୋଇ ଚାଲ। 
  • ଦାୟିତ୍ୱରେ ରହିବାକୁ ନେତୃତ୍ୱ କୁହାଯାଏନି। ଏହାର ଅର୍ଥ ତୁମ ଦାୟିତ୍ୱରେ ଥିବା ଲୋକଙ୍କ ଯତ୍ନ ନେବା।
  • ସହାନୁଭୂତି ଏବଂ ଦୟା ହେଉଛି ଜଣେ ଜନନାୟକଙ୍କର ସବୁଠାରୁ ବଡ଼ ଶକ୍ତି।
  • ସଫଳତା ପଦ-ପଦବୀରୁ ମପାଯାଏନି, ଆପଣଙ୍କ ସଫଳତା ଅନ୍ୟମାନଙ୍କ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ମାପ କରାଯାଏ।
  • ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେନି, କଠିନ ପରିଶ୍ରମ ଏବଂ ପ୍ରସ୍ତୁତିରେ ବିଶ୍ୱାସ କରେ।
  • ଯେଉଁ ଦିନ ମୁଁ ନିଜ ପାଇଁ କିଛି କରିପାରିବି ନାହିଁ, ସେହି ଦିନ ମୁଁ ମୋର ବ୍ୟାଗ ପ୍ୟାକ୍ କରି ଛାଡି ଚାଲିଯିବି। 

ସିଭି ପକାଇ ପାଇଥିଲେ ଚାକିରି

ଭାରତର ଘରେ ଘରେ ବ୍ୟବହାର ହେଉଛି ଟାଟାର ଉତ୍ପାଦ । ଟାଟା ଲୁଣଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ରହିଛି ଟାଟାର ଲୋଗୋ । ଏପରିକି ଟାଟା କମ୍ପାନୀର କାର୍‌ଠୁ ଆରମ୍ଭ କରି ଉଡା ଜାହାଜ ପର୍ଯ୍ୟନ୍ତ ବି ରହିଛି। ଭାରତର ଏକ ଅଗ୍ରଣୀ କମ୍ପାନୀ ହେଉଛି ଟାଟା। ମାତ୍ର ରାତାରାତି ଏହି ବିଶାଳକାୟ ସାମ୍ରାଜ୍ୟ ଛିଡ଼ା ହୋଇନି। ଏଥିନିମନ୍ତେ ବିଦେଶ ଫେରନ୍ତା ରତନ ଟାଟା ନିଜ ଝାଳ ବୁହାଇଥିଲେ, ଶ୍ରମିକଙ୍କ ପରି ଇଟା, ସିମେଣ୍ଟ ବି ବୋହିଥିଲେ। ଏହାପରେ ହିଁ ଏକ ବିଶାଳ ଦ୍ରୁମ ଭାବେ ଭାରତର ଶିଳ୍ପ ଜଗତରେ ଆବିର୍ଭାବ ହୋଇଥିଲା ଟାଟା କମ୍ପାନୀ।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା। ମାତ୍ର ୧୯୪୮ ମସିହାରେ ତାଙ୍କ ପିତା ଓ ମାତା ନବଲ ଟାଟା ଓ ସୁନି ଟାଟାଙ୍କ ମଧ୍ୟରେ ବିଚ୍ଛେଦ ହୋଇ ଯାଇଥିଲା। ଫଳରେ ରତନ ଟାଟାଙ୍କ ଜେଜେମା’ ତାଙ୍କ ଲାଲନପାଳନ ଦାୟିତ୍ୱ ନେଇଥିଲେ।

ମୁମ୍ବାଇ ଓ ଶିମଳାରେ ପଢ଼ାପଢ଼ି ସରିବା ପରେ ରତନ ଟାଟା ହାୱାର୍ଡ ବିଜନେସ୍‌ ସ୍କୁଲରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ। ଏହାପରେ ସେ କର୍ଣ୍ଣଲ ୟୁନିଭରସିଟିରୁ ଆର୍କିଟେକ୍ଟର ଓ ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ପାଠ ପଢ଼ା ସରିବା ପରେ ସେ ଆମେରିକାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ। କିନ୍ତୁ ଜେଜେମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଭାରତ ଫେରିଥିଲେ। ଭାରତରେ ସେ IBMରେ ଚାକିରି ଆରମ୍ଭ କରିଥିଲେ।

ମାତ୍ର ଏହା ଶୁଣି ଉକ୍ତ ସମୟରେ ଥିବା ଟାଟା ଚେୟାରମ୍ୟାନ ଜେଆରଡି ଟାଟା ଖୁବ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଟାଟାରେ ଯୋଗ ଦେବାକୁ ରତନ ଟାଟାଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ରତନ ଟାଟା ଟାଟା ଗ୍ରୁପ୍‌କୁ ନିଜ ସିଭି ପଠାଇଥିଲେ। ଚୟନ ହେବା ପରେ ଜଣେ ସାଧାରଣ କର୍ମଚାରୀ ରୂପେ କାର୍ଯ୍ୟାରାମ୍ଭ କରିଥିଲେ।

ନିଜ କ୍ୟାରିଅରର ପ୍ରଥମାବସ୍ଥାରେ ରତନ ଟାଟା କାମ ଶିଖିବାକୁ ଆରମ୍ଭ କରିଥିଲେ। ଏଥିନିମନ୍ତେ ଛୋଟ ଛୋଟ କାମକୁ ବି ସେ ନିଷ୍ଟାର ସହ କରୁଥିଲେ। ୧୯୯୧ ମହିହାରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ହେଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିବା ରତନ ଟାଟା ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଟାଟା ଗ୍ରୁପ୍‌ ନେତୃତ୍ୱ ନେଇଥିଲେ। ଏହି ସମୟରେ ଦେଶଦୁନିଆରେ ସେ ଟାଟାକୁ ଏକ ପ୍ରତିଷ୍ଠିତ କମ୍ପାନୀରେ ଛିଡ଼ା କରାଇ ପାରିଥିଲେ।

ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସବୁଠୁ ଛୋଟ ନାନୋ କାର୍‌ ଲଞ୍ଚ କରି ଦେଶରେ ଚହଳ ପକାଇ ଦେଇଥିଲା। ଏହା ନିମ୍ନ ମଧ୍ୟବିତ ପରିବାରର କାର୍‌ ଚଢ଼ିବା ସ୍ୱପ୍ନକୁ ସାକାର କରିଥିଲା। କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ। ମାତ୍ର କିଛି ବର୍ଷ ପରେ ଯାନ୍ତ୍ରୀକ ତ୍ରୁଟି ହେତୁ ଏହାକୁ ବଜାରରୁ ପ୍ରତ୍ୟାହୃତ କରି ନିଆଗଲା।

କେବଳ ନାନୋ ନୁହେଁ ରତନ ଟାଟାଙ୍କ ନେତୃତ୍ୱରେ ଜାଗୁଆର, ଲ୍ୟାଣ୍ଡ ରୋଭର ପରି ପ୍ରିମିୟର ସେଗେମେଣ୍ଟ କମ୍ପାନୀର କାର୍‌କୁ ବି ଟେକ୍‌ ଓଭର କରିଥିଲା ଟାଟା।

Share

Leave a Reply

Your email address will not be published. Required fields are marked *

5 × five =