ଗାଁରେ ବ୍ୟାଙ୍କ ନାହିଁ, ଚାଷୀ ପାଉନାହାଁନ୍ତି ଋଣ
ଭୁବନେଶ୍ବର () ଓଡ଼ିଶାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ବ୍ୟାପକ କରିବା ପାଇଁ ଅଧିକ ସଂଖ୍ୟକ ବ୍ୟାଙ୍କ, ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ଖୋଲିବା ଆବଶ୍ୟକ । ଏହା ଋଣ ପ୍ରଦାନରେ ସହାୟକ ହେବା ସହ ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଆବଶ୍ୟକୀୟ ସ୍ଥାନ, ଗୃହ, ଭିସାଟ୍ ଯୋଗଯୋଗ, ବିଦ୍ୟୁତ ସଂଯୋଗ ଆଦି ଯୋଗାଇଦେବେ ବୋଲି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।
ଆଜି ଅପରାହ୍ନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୧ତମ ବୈଠକରେ ଯୋଗଦେଇ ସେ କହିଲେ ଯେ ୧୪୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ନିଷ୍ପତ୍ତି କ୍ରମେ ୧୪୭୪ଟି ଗ୍ରାମପଞ୍ଚାୟତର ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ପ୍ରକାର ସୁବିଧା ନଥିବା ପଞ୍ଚାୟତ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୫୮ଟି ବ୍ୟାଙ୍କିଙ୍ଗ ଆଉଟ୍ଲେଟ୍ ଖୋଲାଯାଇଛି । ଅବଶିଷ୍ଟ ୪୧୬ଟି ଗ୍ରାମପଞ୍ଚାୟତରେ ୨୦୧୯ ମାର୍ଚ୍ଚ ପୂର୍ବରୁ ବାଙ୍କ ସୁବିଧା ଯୋଗାଇବା ପାଇଁ ସେ କହିଥିଲେ । ଏହି ଅବସରରେ ସେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍କ୍ଲୁଜନ୍) ଦେବାଶିଷ ପଣ୍ଡାଙ୍କ ଓଡ଼ିଶାରେ ବ୍ୟାଙ୍କିଙ୍ଗ ନେଟ୍ୱାର୍କରେ ଥିବା ଅସନ୍ତୁଳନକୁ ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ।
କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କୃଷି ଋଣ ଉପଲବ୍ଧ କରାଇବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ଥିବା କ୍ରେଡିଟ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଅନୁରୂପ କୃଷକମାନଙ୍କ ନିମନ୍ତେ ଋଣ ପ୍ରଦାନ ବ୍ୟବସ୍ଥା କରିବା କରାଗଲେ କୃଷକମାନଙ୍କୁ ମଧ୍ୟ ସହଜରେ ଋଣ ମିଳିପାରିବ । ଏହାଦ୍ବାର କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ । ଅର୍ଥ ମନ୍ତ୍ରୀ କହିଲେ ଯେ, ଜିଲ୍ଲା ଓ ଉପଖଣ୍ଡରେ କାର୍ଯ୍ୟ କରୁଥିବା ସ୍ବଳ୍ପ ସଂଚୟ ଅଧିକାରୀଙ୍କୁ ସେମାନଙ୍କ ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତି ଓ ଡିଜିଟାଲ ପେମେଣ୍ଟକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ସେମାନେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାଙ୍କ ଓ ବୀମା ସୁବିଧାର ଉପଯୋଗ ଆଦି ବିଷୟ ଉପରେ ଆର୍ଥିକ ସଚେତନତା ସୃଷ୍ଟି କରିବେ । ଏହି ଅଧିକାରୀମାନଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଗଲେ ତାହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଗତ ୨୦୧୭-୧୮ ବର୍ଷରେ ବ୍ୟାଙ୍କମାନଙ୍କ ଦ୍ବାରା ବାର୍ଷିକ ଋଣ ଯୋଜନାରେ ୬୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବାବେଳେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ୭୧ ହଜାର ୪୨୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କର୍ସ ଏବଂ ସଂପୃକ୍ତ ସରକାରୀ ବିଭାଗଗୁଡ଼ିକ ଆର୍ଥିକ ବର୍ଷ ଆରମ୍ଭରୁ ମିଳିତ ପ୍ରୟାସ କରିବା ପାଇଁ ଅର୍ଥ ମନ୍ତ୍ରୀ କହିଥିଲେ । ଅଗ୍ରାଧିକାର କ୍ଷେତ୍ରରେ ଋଣ ପରିମାଣ ମୋଟ ଋଣର ୨.୯୭ ପ୍ରତିଶତ ହ୍ରାସ ପାଇଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ । ୭ଟି ଜିଲ୍ଲାରେ ଋଣ ଜମା ଅନୁପାତ ୪୦ ପ୍ରତିଶତରୁ କମଥିବା ଚିନ୍ତାଜନକ ବୋଲି ସେ କହିଥିଲେ । ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଋଣ ଏବଂ ମୁଦ୍ରା ଋଣ ଯୋଗାଣ ଉତ୍ସାହପ୍ରଦ ନୁହେଁ ବୋଲି ମଧ୍ୟ ସେ କହିଥିଲେ ।
ଏହି ବୈଠକରେ ଅତିରିକ୍ତ ସଚିବ(ଫାଇନାନ୍ସ ଇନ୍କ୍ଲୁଜନ୍) ଶ୍ରୀ ପଣ୍ଡା କହିଲେ ଯେ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କ ଋଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ କରି କୃଷକମାନଙ୍କର ଆୟ ବୃଦ୍ଧି କରାଯାଇପାରିବ । ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ କୃଷି ଓ ଆନୁଷଙ୍ଗିକ ତଥା ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ବୃଦ୍ଧି କରିବା ପାଇଁ କହିଥିଲେ । ସେ ଶସ୍ୟବୀମା ଯୋଜନା ରାଶି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ କୃଷି ଉକ୍ସଊାଦନ କମିଶନର ଗଗନ ଧଳ, ଏମ୍ଏମ୍ଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଏମ୍.କେ. ମଲ, ନାବାର୍ଡର ସିଜିଏମ୍ କେ.ସି. ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ରଜିର୍ଭ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।