Latestରାଜ୍ୟ

ବାତ୍ୟା ମୁକାବିଲାରେ ଓଡିଶା ରୋଲ ମଡେଲ

  • 1999 ମହାବାତ୍ୟାରେ ମୃତ୍ୟୁ ସଂଖ୍ୟା 15ହଜାରରୁ ଅଧିକ
  • 2013 ଫାଇଲିନରେ 21ଜଣଙ୍କ ଜୀବନହାନୀ
  • 2014 ହୁଡହୁଡରେ ଜୀବନହାନୀ 2କୁ ହ୍ରାସ
  • 2018 ତିତଲିରେ ଜିରୋ କାଜୁଆଲିଟି

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ, ଦୃଢ ମନୋବଳ ଏବଂ ସର୍ବୋପରି ତୃଣମୂଳ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶା ଶେଷରେ ଜିରୋ କାଜୁଆଲିଟି ବା ଜଣେ ହେଲେ ବି ଲୋକ ମୃତ୍ୟୁବରଣ ନକରିବାର ମାନ୍ୟତା ପାଇଛି । ଆଜି ସକାଳ ସାଢେ ପାଂଚଟାରେ ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ପଲାସା ନିକଟରେ ସ୍ଥଳଭାଗକୁ ଛୁଇଁଛି ଅତି ଭୟଙ୍କର ବାତ୍ୟା ତିତଲି । ଏହାର ପ୍ରଭାବରେ ଗଂଜାମ, ଗଜପତି, ରାୟଗଡା ଆଦି ଜିଲ୍ଲାରେ 140ରୁ ଅଧିକ ବେଗରେ ପବନ ବହିଥିଲା, ବିରାଟ ଦ୍ରୁମମାନ ଟଳିଗଲା । କିନ୍ତୁ ସୌଭାଗ୍ୟର କଥା ଯେ, ଏହି ବିପର୍ଯ୍ୟୟରେ ଜଣେ ହେଲେ ଲୋକଙ୍କ ମୃତ୍ୟୁ ହୋଇନାହିଁ ।

ମିଶନ ଜିରୋ କାଜୁଆଲିଟି ପାଇଁ ଅନ୍ଧାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତିତଲି ସହ ଯୁଦ୍ଧ କରିଥିଲେ ପ୍ରାଶାସନ । ପୁରୀରୁ ପାରଳାଖେମୁଣ୍ଡି, ଗଂଜାମରୁ ବାଲେଶ୍ବର ଅନ୍ଧାର ରାତିରେ ତିତଲିର ଡେଣା କାଟିବାକୁ ପ୍ରଶାସନ ପୂରା ଦମରେ ତୟାର ହୋଇଥିଲା । ସେପଟେ କିନ୍ତୁ ତିତଲିର ଆଗମନକୁ ନେଇ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ଆତଙ୍କ ଖେଳିଯାଇଥିଲା । 1999 ମହାବାତ୍ୟା ପରେ ଫାଇଲିନ, ହୁଡହୁଡ ଆଉ ଏବେ ତିତଲି । କଣ ହେବ, କେତେ କ୍ଷୟକ୍ଷତି ହେବ ତାକୁ ନେଇ ଉପକୂଳିଆ ଲୋକେ ପ୍ରମାଦ ଗଣୁଥିବା ବେଳେ ପ୍ରକୃତି ସହ ଲଢିବାକୁ ରାଜ୍ୟ ସରକାରଙ୍କ ପ୍ରାକ ପ୍ରସ୍ତୁତି ଯୋଗୁଁ ମିଶନ ଜିରୋ କାଜୁଆଲଟି ସଫଳ ହୋଇଛି ।

ମୋଟାମୋଟି ଭାବେ କହିବାକୁ ଗଲେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ବିଶ୍ବରେ ପାଲଟିଛି ରୋଲ ମଡେଲ । ଭୌଗୋଳିକ ଅବସ୍ଥିତି ଯୋଗୁଁ ପ୍ରାୟ ପ୍ରତିବର୍ଷ ଓଡିଶା ଅତି ଭୟଙ୍କର ବାତ୍ୟା କିମ୍ବା ବାତ୍ୟାର ସମ୍ମୁଖୀନ ହେଉଛି । 1991ରୁ 2000 ମସିହା, ଏହି 10 ବର୍ଷ ମଧ୍ୟରେ ଓଡିଶା 98ଟି ବାତ୍ୟା ଓ ଭୟଙ୍କର ବାତ୍ୟା ବା ସିଭିଅର ସାଇକ୍ଲୋନର ସମ୍ମୁଖୀନ ହୋଇଛି । 2000 ମସିହା ପରେ ମଧ୍ୟ ଫାଇଲିନ ଓ ହୁଡହୁଡ ପରି ଅତି ଭୟଙ୍କର ବାତ୍ୟାର ସମ୍ମୁଖୀନ ହୋଇଛି ଉପକୂଳ ଓଡିଶା ।

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଶିକ୍ଷା ଗ୍ରହଣ କରି ବିଗତ ବର୍ଷମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ସରକାର । ଏଥିପାଇଁ ଓଡିଶା ବିଶ୍ବ ଦରବାରରେ ଏପରିକି ୟୁନାଇଟେଡ ନେସନସ୍ ଦ୍ବାରା ମଧ୍ୟ ପ୍ରଶଂସିତ ମଧ୍ୟ ହୋଇଛି । ୧୯୯୯ ମହାବାତ୍ୟା ସମୟରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆଦୌ ପ୍ରସ୍ତୁତ ନଥିଲା । ଯାହାର ଫଳସ୍ବରୂପ ୧5ହଜାରରୁ ଅଧିକ ଲୋକଙ୍କ ଜୀବନହାନୀ ହୋଇଥିଲା । ମହାବାତ୍ୟାର ବିଭିଷିକାରୁ ଶିକ୍ଷାଗ୍ରହଣ କରିବା ସହ ଗତ ୨୦ ବର୍ଷ ଧରି ସରକାରଙ୍କ ସକରାତ୍ମକ ପଦକ୍ଷେପ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରୟାସ ଏବଂ ସିଭିଲ ସୋସାଇଟିର ସହଯୋଗରେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାର ବିପର୍ଯ୍ୟୟ ମୁକାବିଲାରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଡ ଅତିକ୍ରମ କରିଚାଲିଛି। ଏଭିତରେ ରାଜ୍ୟ ସରକାର ୨୦ଟି ଓଡିଶା ବିପର୍ଯ୍ୟୟ ତ୍ବରିତ ଆକ୍ସନ ଫୋର୍ସ ବା ଓଡ୍ରାଫ ୟୁନିଟ ଗଠନ କରାଯାଇଛି ।

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ନିଜର ଦକ୍ଷତା ୨୦୧୩ ଫାଇଲିନ ସମୟରେ ଦେଖାଇଥିଲେ । ଫାଇଲିନ ପୂର୍ବରୁ ମାତ୍ର ୪୮ ଘଣ୍ଟାରେ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏତେ ବଡ ସ୍ଥାନାନ୍ତର କରିବାରେ ଓଡିଶା ବିଶ୍ବସ୍ତରରେ ରେକର୍ଡ ସୃଷ୍ଟି କରିଥିଲା । ପ୍ରାକ ପ୍ରସ୍ତୁତି ଓ ଲୋକଙ୍କ ସ୍ଥାନାନ୍ତର ଦ୍ବାରା ଫାଇଲିନରେ ମାତ୍ର ୨୧ ଜଣ ଲୋକଙ୍କ ଜୀବନହାନୀ ହୋଇଥିଲା । ସେହିପରି ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁ ତା ପରବର୍ଷ ହୁଡହୁଡରେ ମାତ୍ର ୨ଜଣଙ୍କ ଜୀବନହାନୀ ହୋଇଥିଲା । ମହାବାତ୍ୟା ପରେ ଏହିଦୁଇଟି ବଡ ବାତ୍ୟାରେ ପୁଣି ଥରେ ଉପକୂଳ ଓଡିଶାର ଅର୍ଥନୀତିକୁ ଦୋହଲାଇ ଦେଇଥିଲା । କିନ୍ତୁ ପ୍ରାକ ମୁକାବିଲା ପ୍ରସ୍ତୁତି ଯୋଗୁ ଜୀବନହାନୀକୁ ବହୁମାତ୍ରାରେ ହ୍ରାସ କରାଯାଇପାରିଥିଲା । ଫାଇଲିନ ଓ ହୁଡହୁଡ ପରେ ତିତଲି ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ନିଦ ହଜେଇ ଦେଇଥିଲା । କିନ୍ତୁ ପ୍ରାକ ପ୍ରସ୍ତୁତି ଓ ପ୍ରାୟ 12 ଘଣ୍ଟା ମଧ୍ୟରେ ସାଢେ ତିନି ଲକ୍ଷ ଲୋକଙ୍କ ସ୍ଥାନାନ୍ତର ଯୋଗୁଁ ଗୋଟିଏ ହେଲେ ଜୀବନହାନୀ ଘଟିନାହିଁ ।

ବିଶ୍ବସ୍ତରରେ ପ୍ରଥମ ଥର ପାଇଁ ଓଡିଶା ସରକାର ୧୯୯୯ରେ  ପ୍ରତିଷ୍ଠା କଲେ ଓଡିଶା ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ । ପ୍ରାଧିକରଣ ଗଠନର ପ୍ରାୟ ୬ ବର୍ଷ ପରେ ଅର୍ଥାତ୨୦୦୫ରେ ଆସିଥିଲା ଓଡିଶା ବିପର୍ଯ୍ୟୟ ପରିଚାଳନା ଆଇନ । ଜାତୀୟ ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ ଗଠନ ହୋଇଥିଲା ୨୦୦୧ରେ । ସେତେବେଳକୁ ଓଡିଶା ବିପର୍ଯ୍ୟୟ ମୁକାବିଲା ପ୍ରାଧିକରଣ କାର୍ଯ୍ୟକ୍ଷମ ହୋଇସାରିଥିଲା । ଏବେ ସୁଦ୍ଧା ଓଡିଶା ଭିନ୍ନ ଆସାମ, ବିହାର ଓ ଗୁଜୁରାଟରେ ଗଠନ ହୋଇଛି ସ୍ବୟଂଚାଳିତ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ । ଅନ୍ୟ ରାଜ୍ୟଗୁଡିରେ ଏହି ପ୍ରାଧିକରଣ ଏବେ ବି ରାଜସ୍ବ ବିଭାଗ ଅଧିନରେ ପରିଚାଳିତ ହେଉଛି । ରାଜ୍ୟର ବିଭିନ୍ନ ଦୁର୍ବିପାକ ପ୍ରବଣ ଅଂଚଳରେ ପ୍ରାୟ ୮୦୦ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ । ଏହିସବୁ ଆଶ୍ରୟସ୍ଥଳୀଗୁଡିକର ଡିଜାଇନ ଆଇଆଇଟି ଖଡଗପୁର ଦ୍ବାରା ପ୍ରସ୍ତୁତ ହୋଇଛି । ଓଡିଶାର ଏହି ବହୁମୁଖୀ ଆଶ୍ରୟସ୍ଥଳୀର ଡିଜାଇନକୁ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟଗୁଡିକ ଏହାକୁ କାର୍ଯ୍ୟକାରୀ କରିବାକୁ ବିଶ୍ବବ୍ୟାଙ୍କ ମଧ୍ୟ ପରାମର୍ଶ ଦେଇଛି । ବିପର୍ଯ୍ୟୟ ପ୍ରବଣ ଅଂଚଳରେ ବାତ୍ୟା ପରିଚାଳନା କେନ୍ଦ୍ରମାନ ପ୍ରତିଷ୍ଟା କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ବିପର୍ଯ୍ୟୟ ମୁକାବିଲାର ତାଲିମ ଦେଉଛି ଓଡିଶା ପୋଲିସ । ହାତରେ ଲାଠି ଓ ବନ୍ଧୁକ ଧରୁଥିବା ପୋଲିସ ଅଧିକାରୀମାନେ ଏବେ ବିପର୍ଯ୍ୟୟ ସମୟରେ ଯନ୍ତ୍ରଚାଳିତ କରତ, ଲାଇଟ ଓ ରବର ବୋଟ ଧରି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ।  ଏଥିସହିତ ବାତ୍ୟା ସତର୍କ ସୂଚନା ସଂଗ୍ରହ ଏବଂ ତାହାକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଁଚାଇବାରେ ମଧ୍ୟ ରାଜ୍ୟ ସରକାର ସଫଳତା ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − nine =