ଶିଳ୍ପାୟନ ଓ ସାମାଜିକ ନ୍ୟାୟର ବ୍ରାଣ୍ଡ ଆମ୍ବାସଡ଼ର ନବୀନ
ଭୁବନେଶ୍ୱର () ରାଜ୍ୟରେ ପୁଞ୍ଜିନିବେଶର ନୂଆ ସମ୍ଭାବନା, ଅଧିକ କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦ୍ରୁତ ଅର୍ଥନୈତିକ ବିକାଶ । ଏସବୁ ଏବେ ସମ୍ଭବ ହେବାକୁ ଯାଉଛି । ଆଜି ଶେଷ ହୋଇଥିବା ମେକ ଇନ ଓଡିଶା କନକ୍ଳେଭର ଦ୍ଵିତୀୟ ସଂସ୍କରଣର ସଫଳତା ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦେଶ ବିଦେଶର ବିଜନେସ ଟାଇକୁନମାନେ ପ୍ରକଟ କରିଥିବା ଆସ୍ଥା ଓ ବିଶ୍ୱାସରୁ ଏହା ପ୍ରମାଣିତ ହୋଇଛି ।
ଏହି ଶିଳ୍ପ ମହାକୁମ୍ଭର ସଫଳତା ପରେ ନବୀନ ପଟ୍ଟନାୟକ ଶିଳ୍ପାୟନ ଓ ସାମାଜିକ ନ୍ୟାୟର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି । 15ଟି କ୍ଷେତ୍ରରୁ 4.19 ଲକ୍ଷ କୋଟି ପୁଞ୍ଜିନିବେଶ ସହ 5 ଲକ୍ଷ 91ହଜାର ନୂଆ ନିଯୁକ୍ତି ସୁଯୋଗ ରାଜ୍ୟ ପାଇଁ ସୃଷ୍ଟି ହୋଇଛି ।
ଶିଳ୍ପାୟନ ଇତିହାସର ନୂଆ ଦିଗନ୍ତ
ଶିଳ୍ପ ସମ୍ମିଳନୀର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଦ୍ଵିତୀୟ ସଂସ୍କରଣ ଓଡ଼ିଶା ଶିଳ୍ପାୟନ ଇତିହାସର ସଂଜ୍ଞା ନିର୍ଦ୍ଧାରଣ କରିଛି। ଏହି ମହାକୁମ୍ଭରେ ଜୈବସମାଜ ଓ ଶିଳ୍ପାୟନ ସୁଯୋଗ ସମ୍ପର୍କିତ ଆଲୋଚନା ଆଗାମୀ ଦିନରେ ରାଜ୍ୟକୁ ପୁଞ୍ଜିପତିଙ୍କ ପୁଞ୍ଜିନିବେଶ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଭାବେ ପ୍ରତିଷ୍ଠିତ କରିବ । ଏହି ଐତିହାସିକ କନକ୍ଳେଭରେ 5074 ଜଣ ଶିଳ୍ପ ସମ୍ବ୍ରାଟ ଯୋଗଦେଇଥିବା ବେଳେ 31ହଜାର 806 ଜଣ ସାଧାରଣ ଲୋକ ଏହି ଶିଳ୍ପ ଏକ୍ସପୋକୁ ବୁଲି ଦେଖିଛନ୍ତି ।
ଏହି କନକ୍ଳେଭ ରାଜ୍ୟ ସରକାରଙ୍କୁ ଆଗାମୀ ଦିନରେ ରାସାୟନିକ, ସାର, ପେଟ୍ରୋକେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, କୃଷି ଓ ମହିଳା ଉଦ୍ୟୋଗୀକରଣ ଦିଗରେ ନିଜର ଆଭିମୁଖ୍ୟକୁ ହାସଲ କରିବାରେ ସହାୟକ ହେବ ।
ଭିଜନ 2025
କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଉତ୍ପାଦନ ଶିଳ୍ପକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଭିଜନ 2025 । ଏଥିରେ ସରକାର ଉତ୍ପାଦନ ଶିଳ୍ପରେ ଅଢେଇ ଲକ୍ଷ କୋଟି ପୁଞ୍ଜି ନିବେଶ ସହ 30 ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଟାର୍ଗେଟ ରଖାଯାଇଛି । ମେକ ଇନ ଓଡିଶା 2018 ଏଦିଗରେ ଏକ ବୃହତ ପଦକ୍ଷେପ ।
ଏରୋସ୍ପେସ ଓ ଡିଫେନ୍ସ ନୀତି
ରାଜ୍ୟ ସରକାର ନିକଟରେ ଏରୋସ୍ପେସ ଓ ଡିଫେନ୍ସ ନୀତିିିି ପ୍ରଣୟନ କରିଛନ୍ତି । ରାଜ୍ୟରେ ସମାରିକ ଯନ୍ତ୍ରାଂଶ ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟର ଇକୋ-ସିଷ୍ଟମକୁ ଦୃଷ୍ଟିରେ ରଖି ଶିଳ୍ପ ପାଇଁ ସ୍ବତନ୍ତ୍ର ନୀତି ମଧ୍ୟ ପ୍ରସ୍ତୁତ ହୋଇଛି । ବନ୍ଦର ଭିତ୍ତିକ ବିକାଶ ପାଇଁ ପୂର୍ବ ଉପକୂଳରେ ଏକାଧିକ ବନ୍ଦର ନିର୍ମାଣ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ପାରାଦ୍ବୀପ ଓ ଧାମରା ବ୍ୟତିତ ସୁବର୍ଣ୍ଣରେଖା ଓ ଗୋପଳପୁରରେ ଗଭୀର ବନ୍ଦନର ନିର୍ମାଣ ସହ ନଦୀ-ଭିତ୍ତିକ ବନ୍ଦର ମଧ୍ୟ ନିର୍ମାଣ କରାଯାଉଛି ।
ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ ସାମାଜିକ ଅର୍ଥନୀତି
ରାଜ୍ୟରେ ଦକ୍ଷତାର ବିକାଶ ପାଇଁ ସରକାର ଦକ୍ଷତା ବିକାଶ ମିଶନ ଆରମ୍ଭ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଲଗାତର ଭାବେ ଦୁଇ ବର୍ଷ ହେଲା ଓଡିଶାର ଦକ୍ଷତା ବିକାଶ ମିଶନକୁ ପ୍ରଶଂସା କରିଛନ୍ତି । ଦକ୍ଷତାର ବିକାଶ ପାଇଁ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ଭିତ୍ତିଭୂମୀ ସହ 18 ମହଲା ବିଶିଷ୍ଟ ବିଶ୍ବ ଦକ୍ଷତା କେନ୍ଦ୍ରର ନିର୍ମାଣ କରାଯାଇଛି । ସିଙ୍ଗାପୁରର ଆଇଟିଇଇଏସ ସହଯୋଗରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏହାର ପରିଚାଳନା ଦାୟିତ୍ବ ନେଇଛି । 14ଶହ କୋଟି ଟଙ୍କାରେ ନିର୍ମିତ ଏହି ଦକ୍ଷତା ବିକାଶ କେନ୍ଦ୍ରରେ ଆସନ୍ତା 4 ବର୍ଷ ମଧ୍ୟରେ ଦେଢ ଲକ୍ଷ ତାଲିମଦାତାଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଷ୍ଟାର୍ଟ-ଅପ ପ୍ରକଳ୍ପରେ ମଧ୍ୟ ଓଡିଶା ଏକ ଅଗ୍ରଣୀ ରାଜ୍ୟ । ଗତ 18 ମାସ ମଧ୍ୟରେ ରାଜ୍ୟରେ 310ଟି ଷ୍ଟାର୍ଟ-ଅପ ପ୍ରକଳ୍ପ ମଂଜୁରୀ ପାଇଥିବା ବେଳେ 40ଜଣଙ୍କୁ ସହୟତା ପ୍ରଦାନ କରାଯାଇଛି । 2020 ସୁଦ୍ଧା ଏକ ହଜାର ଷ୍ଟାର୍ଟ-ଅପ ପ୍ରକଳ୍ପ ଜରିଆରେ ଦେଶର ପ୍ରମୁଖ ତିନୋଟି ଷ୍ଟାର୍ଟ-ଅପ ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ ରଖାଯାଇଛି । ରାଜ୍ୟରେ ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ବ ଦେଇ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କାରଯାଇଛି । କୃଷି କେନ୍ଦ୍ରରେ ମଧ୍ୟ ପୁଂଜି ନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧ୍ୟମ-କ୍ଷୁଦ୍ର-ଅଣୁ ଶିଳ୍ପ କ୍ଷେତ୍ରରେ 2014-15ରୁ ଏବେ ସୁଦ୍ଧା ପ୍ରାୟ ଦୁଇ ଲକ୍ଷ 25 ହଜାର ଏମଏସଏମଇ ଶିଳ୍ପ ଉତ୍ପାଦନକ୍ଷମ ହୋଇଛନ୍ତି । ଏହିସବୁ ଶିଳ୍ପରେ 6ଲକ୍ଷ 70ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ରାଜ୍ୟର ଉତ୍ପାଦନ କ୍ଷେତ୍ରରେ ମଧ୍ୟ 2000-01ରୁ 2017-18 ମଧ୍ୟରେ ଶହେଗୁଣା ବୃଦ୍ଧି ପାଇଛି ।
ବିକାଶ ଏବଂ ରୂପାନ୍ତରଣରେ ଓଡିଶାର ସଫଳତାର କେତେକ ଦୃଷ୍ଟାନ୍ତ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୃଢ ଇଚ୍ଛାଶକ୍ତି ଯୋଗୁଁ ରାଜ୍ୟର 8 ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମା ଉପରକୁ ଉଠାଯାଇପାରିଛି । ଗତ ଗୋଟିଏ ଦଶନ୍ଧି ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟକୁ ଦ୍ବିଗୁଣିତ କରାଯାପାରିଛି । ଗତ 5 ବର୍ଷ ମଧ୍ୟରେ ରାଜ୍ୟ ସରକାର 2ଲକ୍ଷ ପକ୍କା ଘର ନିର୍ମାଣ କରିଥିବା ବେଳେ ଦୃଢ ଇଚ୍ଛାଶକ୍ତି ବଳରେ ରାଜ୍ୟର ସବୁ ପକ୍କା ଘରକୁ କଚ୍ଚା ଘରରେ ରୂପାନ୍ତରିତ କରିବାକୁ ଲକ୍ଷ ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର ନିଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ମାତୃ ମୃତ୍ୟୁହାର ସର୍ବାଧିକ ହ୍ରାସ କରି ଓଡିଶା ସବୁଠାରୁ ଆଗରେ ରହିଛି । ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ବହୁତ ଭଲ ସ୍ଥିତିରେ ରହିଛି । ଡାକ୍ତରଖାନାରେ ପ୍ରସବ ସଂଖ୍ୟା ଆମ ରାଜ୍ୟରେ ରେକର୍ଡ 90 ପ୍ରତିଶତ ରହିଛି । ମହିଳାମାନଙ୍କ ସମ୍ପତ୍ତି ମାଲିକାନା ଓଡିଶାରେ ସର୍ବାଧିକ । ସର୍ବୋପରି ମୋ ପାଇଁ ବ୍ୟକ୍ତିଗତ ଭାବେ ସବୁଠାରୁ ସନ୍ତୋଷଜନକ କଥା ହେଉଛି, ଆମ ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟେକ ମହିଳାଙ୍କ ଆୟୁଷ ହାରାହାରି 10 ବର୍ଷ ବୃଦ୍ଧି ଘଟିଛି।
ମହିଳା ସଶକ୍ତିକରଣ
ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଲୋକାଭିମୁଖୀ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ସବୁ ମହିଳା ସ୍ବୟଂ ସହାୟକ ଗ୍ରୁପକୁ ସ୍ମାର୍ଟ ଫୋନ ଦିଆଯିବ । ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗଠନ, ତା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ଋଣ ପ୍ରଦାନ, ରାଜନୀତିରେ ମହିଳାଙ୍କ ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ । ଆଉ ଏବେ ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ଉଦ୍ୟମ । ରାଜ୍ୟର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅନୁଷ୍ଠାନ ଗଢାଯାଉଛି, କୋଠା ବାଡି ତିଆରି ହେଉଛି, ସେତୁ ଓ ରାସ୍ତା ନିର୍ମାଣ ହେଉଛି । କିନ୍ତୁ ଯେତେବେଳେ ମହିଳାଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଉଛି, ତାହା ରାଜ୍ୟର ବିକାଶରେ ସର୍ବାଧିକ ପ୍ରଭାବ ପକାଉଛି । କାରଣ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ମହିଳା ସଶକ୍ତିକରଣ ବିନା ଆଗେଇପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
2000 ମସିହାରୁ ବିଜେଡି ସରକାର ଦାୟିତ୍ବ ଗ୍ରହଣ କରିବା ପରେ ମହିଳାଙ୍କ ଶକ୍ତିଶାଳୀ ଭୂମିକା ସଂପର୍କରେ ସଚେତନ ରହିଆସିଛି । ବିଶେଷ କରି ପ୍ରତିକୂଳ ସାମଜିକ, ଅର୍ଥନୈତିକ ସୂଚକାଙ୍କ ଥିବା ଓଡିଶା ଭଳି ରାଜ୍ୟରେ ମହିଳାମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଶିଶୁ ମୃତ୍ୟୁହାର ବା ମାତୃ ମୃତ୍ୟୁ ହାର, ହାରାହାରି ଆୟୁଷ ହେଉ ବା ମହିଳା ସାକ୍ଷରତା ଏସବୁ ଗୁଡିକ ସରକାର ପାଇଁ ଏକ କଷ୍ଟକର ଦାୟିତ୍ବ ଥିଲା । ଏହାକୁ ଦୃଷ୍ଟିରେ ରଖି 2001ରେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ଆଜି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି । ଏଥିରେ ବର୍ତ୍ତମାନ 70 ଲକ୍ଷ ମହିଳା, 6 ଲକ୍ଷ ଗ୍ରୁପ 5ହଜାର କୋଟି ଟଙ୍କାର ସଂଚୟ ଓ 2ହଜାର କୋଟି ଟଙ୍କାର ବାର୍ଷିକ ବ୍ୟାଙ୍କ କାରବାର ରାଜ୍ୟରେ ଏପରି କୌଣସି ଗାଁ ବା ପଡା ନାହିଁ ଯେଉଁଠି ମିଶନ ଶକ୍ତି ଗ୍ରୁପ ନାହିଁ ।
ମୁକେଶ ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତର
ନିବେଶ କ୍ଷେତ୍ର କଥା କହିବାକୁ ଗଲେ ଆମ ସରକାର ଖଣିଜ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଉଛି। ଏହାର ସୁବିନିଯୋଗ କିପରି ହେବ ଏବଂ ଓଡ଼ିଶାର ଲୋକମାନେ ଏହାର ଲାଭ ପାଇବେ ଏବଂ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି। ଖଣିଜ ସଂପଦ କ୍ଷେତ୍ରକୁ ବାଦ ଦେଲେ ରାଜ୍ୟରେ ଅନ୍ୟାନ ବହୁ ଦିଗରେ ପୁଂଜି ନିବେଶର ସୁଯୋଗ ରହିଛି । କ୍ରିଡା କ୍ଷେତ୍ରରେ ପୁଂଜି ନିବେଶ ସଂପର୍କରେ କହିବାକୁ ଗଲେ, କ୍ରିଡା ହେଉଛି ଯୁବକଙ୍କ ପାଇଁ ଏବଂ ଯୁବକମାନେ ହେଉଛନ୍ତି ଆଗାମୀକାଲିର ଭବିଷ୍ୟତ । ତେଣୁ କ୍ରୀଡ଼ା କ୍ଷେତ୍ରରେ ନିବେଶ ହେଉଛି ଯୁବଶକ୍ତିଙ୍କ ପାଇଁ ନିବେଶ। ଆଉ ଯୁବଶକ୍ତିଙ୍କ ପାଇଁ ନିବେଶ ହେଉଛି ଭବିଷ୍ୟତ ପାଇଁ ନିବେଶ। ମୁଁ ଏଥିପାଇଁ କୃତଜ୍ଞ ଯେ,କିଛି ଶିଳ୍ପ ଏ କ୍ଷେତ୍ରରେ ନିବେଶ ପାଇଁ ଆଗକୁ ଆସିଛନ୍ତି। ସେ କ୍ଷେତ୍ରରେ କୁମାରମଙ୍ଗଳମ୍ ବିର୍ଲାଙ୍କ ପ୍ରସ୍ତାବିତ ଶୁଟିଂ ପ୍ରତିଷ୍ଠାନ ଅନ୍ୟତମ।