ଗବେଷଣା ନିମନ୍ତେ ଅଧିକ ବ୍ୟୟ ହେବା ଆବଶ୍ୟକ
ଭୁବନେଶ୍ୱର () ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ସହିତ ପ୍ରଗତି ହାସଲ କରିହେବ । ଅର୍ଥନୀତିର ବିକାଶରେ ଗବେଷଣାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଥିବାରୁ ଏ ଦିଗରେ ଅଧିକ ବ୍ୟୟ ହେବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ
ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।
ଆଜି କୃଷିଭବନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ଯୁବଗବେଷକମାନଙ୍କୁ ସିଡ୍ ଫଣ୍ଡିଂ ଓ ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଏବଂ ଚୀନ୍ ଭଳି ବିକଶିତ ଦେଶଗୁଡ଼ିକରେ ଘରୋଇ ଜିଡ଼ିପିର ୨.୨୫ରୁ ଅଧିକ ଅର୍ଥ ଗବେଷଣା ନିମନ୍ତେ ଖର୍ଚ୍ଚ କରାଯାଉଥିବାବେଳେ ଭାରତବର୍ଷରେ ଜିଡିପିର ୦.୬୨ ପ୍ରତିଶତ ଗବେଷଣା ନିମନ୍ତେ ଖର୍ଚ୍ଚ କରାଯାଉଛି ।
ସେହିପରି ଏହିସବୁ ଦେଶ ତୁଳନାରେ ଭାରତରେ କମ୍ ସଂଖ୍ୟକ ଲୋକ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେବଳ ଉଚ୍ଚତର ଗବେଷଣା ମାଧ୍ୟମରେ ଯେକୌଣସି କ୍ଷେତ୍ରରେ ପାରଦର୍ଶିତା ହାସଲ କରିହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶାପ୍ରକଟ କରିଛନ୍ତି । ଗବେଷଣାଲବ୍ଧ ଜ୍ଞାନ ଓ ଅଭିନବ ଜ୍ଞାନକୌଶଳ ଉଦ୍ଭାବନ ସିଧାସଳଖ ଅର୍ଥନୀତିର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ । ଏଥି ନିମନ୍ତେ ବିଶ୍ୱବିଦ୍ୟାଳୟ ସ୍ତରରେ ଅଧିକରୁ ଅଧିକ ଗବେଷଣା ନିମନ୍ତେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସ୍ତରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ତେଣୁ ସମୟ ସହିତ ତାଳଦେଇ ଅଧିକରୁ ଅଧିକ ବିଦ୍ୟାର୍ଥୀ ଗବେଷଣା ପ୍ରତି ଆଗ୍ରହୀ ହେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ଏହି ଯୋଜନା ଅନ୍ତର୍ଗତ ସିଡ୍ ଫଣ୍ଡିଂରେ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ୪୦ ବର୍ଷରୁ କମ ବୟସର ବିଶ୍ୱବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଏବଂ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ଗବେଷଣା ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପ୍ରତିବର୍ଷ ଏହି ଯୋଜନାରେ ୪୦ ଜଣ ଅଧ୍ୟାପକଅଧ୍ୟାପିକାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେହିପରି ରିସର୍ଚ୍ଚ ଫେଲୋସିପ୍ କାର୍ଯ୍ୟକ୍ରମରେ ଏନ୍ଇଟିରେ କୃତକାର୍ଯ୍ୟଙ୍କୁ ଗବେଷଣା ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ୪ ବର୍ଷ ନିମନ୍ତେ ଯୋଗାଇ ଦିଆଯିବ । ଏଥି ସହିତ କଣ୍ଟିଜେନ୍ସି ବାବଦକୁ ବିଜ୍ଞାନରେ ବର୍ଷକୁ ୨୫ ହଜାର ଟଙ୍କା ଏବଂ କଳା ଆଦି ବିଭାଗ ନିମନ୍ତେ ୧୫ ହଜାର ଟଙ୍କା ଯୋଗାଇ ଦିଆଯିବ । ସେମାନେ ବିଶ୍ୱବିଦ୍ୟାଳୟ ଅଧୀନରେ ପୂର୍ଣ୍ଣକାଳୀନ ବିଦ୍ୟାର୍ଥୀ ଭାବେ ସେମାନଙ୍କର ଗବେଷଣା କାର୍ଯ୍ୟ କରିବେ । ଆଜିର କାର୍ଯ୍ୟକ୍ରମରେ ସିଡ୍ ଫଣ୍ଡିଂରେ ୪୦ ଜଣ ଅଧ୍ୟାପକଅଧ୍ୟାପିକା ଓ ରିସର୍ଚ୍ଚ ଫେଲୋସିପ୍ରେ ୧୩ ଜଣଙ୍କୁ ଅନୁମୋଦନ ପତ୍ର ଦିଆଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏହି ଅଭିନବ ଯୋଜନା ସଂପର୍କରେ ଆଲୋଚନା କରିବା ଅବସରରେ କହିଲେ ଯେ ଏହି ଯୋଜନା ଯୋଗୁଁ ରାଜ୍ୟରେ ଅଧିକ ବିଦ୍ୟାର୍ଥୀ ଗବେଷଣା ପ୍ରତି ଆଗ୍ରହ ପ୍ରକାଶ କରିବେ । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ ଯେ ଏହି ଯୋଜନା ପ୍ରଣୟନ ଫଳରେ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ସିଧାସଳଖ ଗବେଷଣା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଚୟନ ସମିତିର ସଭ୍ୟ ପ୍ରଫେସର ଶିବପ୍ରସାଦ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବିଶ୍ୱବିଦ୍ୟାଳୟର ମାନକ ନିର୍ଦ୍ଧାରଣରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଗବେଷଣା ଦିଗରେ ଅଧିକ ବ୍ରତୀ ହେବା ଆବଶ୍ୟକ ।