Latestରାଜ୍ୟ

ତାଳଚେରଠାରେ ତୃତୀୟ କୋଭିଡ 19 ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର()  ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି ।କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼।

ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ 19 ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କାନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ 156 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ ।

156 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ  ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ ।

ଏହି ଭିଡିଓ କନଫରେନସିଂ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ  କରୋନା ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ । ହସ୍ପିଟାଲ କୁ ନେଇ ଏମସିଏଲ ର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତା କୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ 682 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି । ତେବେ ଆଗାମୀ 6 ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲ ଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ ।

ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର  ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କୋଭିଡ 19 ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ ।

ସୋମବାର ତାଳଚେର ସମେତ ଜଗତସିଂହପୁର, ନବରଙ୍ଗପୁର, ବରଗଡ ଓ ସୁନ୍ଦରଗଡ଼ ରେ ମଧ୍ୟ ଆଇଓସିଏଲ, ପାରାଦ୍ୱୀପ ପୋର୍ଟ ଲିମିଟେଡ଼ ଓ ଏନଟିପିସି ର ସହଯୋଗରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠୀ କହିଥିଲେଯେ ଓଡିଶାର 22 ଟି ଜିଲ୍ଲାରେ 5000 ରୁ ଉର୍ଧ୍ଵ ଶଯ୍ୟା ବିଶିଷ୍ଟ 25 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବା ବେଳେ ସୋମବାର ଆଉ 825 ଶଯ୍ୟା ବିଶିଷ୍ଟ 5 ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସମ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଈଶ୍ୱର ବେହେରା ଏବଂ ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ତାଳଚେରରେ ଉପସ୍ଥିତ ଥିଲେ ।

ଏପ୍ରିଲ 6 ତାରିଖରେ 525 ଶଯ୍ୟା ବିଶିଷ୍ଟ  ଓଡିଶାର ବୃହତମ କୋଭିଡ ହସ୍ପିଟାଲ ସୋଆ ପକ୍ଷରୁ କ୍ୟାମ୍ପସ 2 ରେ ଆରମ୍ଭ ହୋଇଥିବା ବେଳେ ନିକଟରେ କେନ୍ଦ୍ରାପଡ଼ା ର ଛତା ଠାରେ ସମ ପକ୍ଷରୁ 110 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

three + 4 =