Latestରାଜ୍ୟ

ରାଜ୍ୟ ଦେଖିଲା ରାଜନୀତିର ହାଇଭୋଲଟେଜ୍ ଡ୍ରାମା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଘଟିଛି ବିରଳ ଦୃଶ୍ୟ । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଭିତରେ ଆଲୋଚନା କରିବା ପାଇଁ ପାଛୋଟି ନେଇଥିଲେ । ଆଉ ବିଜେଡିର କିଛି ତୁଙ୍ଗ ନେତା ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିଥିଲେ । ଆଜି ସକାଳ ୧୦ଟାରେ ବିଧାନସଭା ଆରମ୍ଭ ହୋଇଥିଲା । ମଣ୍ଡି ସମସ୍ୟା ଓ ଆତ୍ମହତ୍ୟା ଉଦ୍ୟମ ବିବାଦକୁ ନେଇ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଆରମ୍ଭ କରିଦେଲେ ହଟ୍ଟଗୋଳ । ଯାହାଫଳରେ ଗୃହ ଠିକ୍ ଭାବେ ଚାଲିପାରିନଥିଲା । ଆଉ ଦିନ ଗୋଟାଏ ସମୟରେ ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଆସିଲେ ବିଜେପି ବିଧାୟକ ।

ବିଧାନସଭା ଅଚଳ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବିଜେଡି ବିଧାୟକମାନେ ଲୋକସେବା ଭବନକୁ ଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଲୋକସେବା ଭବନକୁ ବିଜେପି ବିଧାୟକ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅଛନ୍ତି ସେଠାକୁ ଯିବା ପାଇଁ ପରାମର୍ଶ ଦେଲେ ବିଜେଡି ବିଧାୟକ । ଆଉ ଏହାପରେ ନବୀନ ନିବାସ ଅଭିମୁଖେ ଚାଲି ଚାଲି ବାହାରିଲେ ବିଜେପି ବିଧାୟକ ।ନବୀନ ନିବାସରେ ପହଞ୍ଚିବା ପରେ ଦିନ ପ୍ରାୟ ୨ଟା ବେଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନଙ୍କ ଦାବି ଥିଲା, ଗୃହ ଚାଲି ପାରୁନଥିବା ବେଳେ କାହିଁକି ଗୃହକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କର ଦେଖା ମିଳୁନଥିବାରୁ ସେମାନେ ଚାଲି ଚାଲି ଆସିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ରାଜନୀତିର ରୋଚକ ଦୃଶ୍ୟ, ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ବିଧାୟକଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାଶ, ପ୍ରମିଳା ମଲ୍ଲିକ, ରୋହିତ ପୂଜାରୀ ପ୍ରମୁଖ ବିଜେପି ବିଧାୟକଙ୍କୁ ହାତ ଯୋଡି ଭିତରକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ବିଜେପି ବିଧାୟକମାନେ ରାଜି ହୋଇନଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଚିଥିଲେ ବିଜେପି ସଦସ୍ୟଙ୍କ ନିକଟରେ । ମୁଖ୍ୟମନ୍ତ୍ରୀ ପହଁଚିବା ପରେ ବିଜେପି ବିଧାୟକମାନେ ଧାରଣାରୁ ହଟି ନବୀନ ନିବାସ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମଣ୍ଡି ସମସ୍ୟା ସମାଧାନ ଓ ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲା ବିଜେପି ଏବଂ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦିନ ତମାମ ରାଜନୀତିର ଏହି ହାଇଭୋଲଟେଜ୍ ଡ୍ରାମା ଦେଖିଥିଲେ ରାଜ୍ୟବାସୀ ।

Share

Leave a Reply

Your email address will not be published. Required fields are marked *

two × 5 =