ଯାହାଙ୍କ ପାଇଁ ଆସନ୍ତାକାଲି ପଞ୍ଚାୟତିରାଜ ଦିବସ
ଭୁବନେଶ୍ୱର() ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ । ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସକ୍ରିୟ କରିବାକୁ ଉଦ୍ୟମ ଆରମ୍ଭ କଲେ ।
ନିର୍ବାଚନରେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସ୍ଥାନ ସଂରକ୍ଷଣ କରାଯିବାରୁ ୨୭ ହଜାର ମହିଳା ନିର୍ବାଚିତ ପ୍ରତିନିଧୀ ହେବାର ଗୌରବ ହାସଲ କଲେ । ଗ୍ରାମ ପଞ୍ଚାୟତର ସରପଞ୍ଚ ପୁରୁଷ ଥିଲେ ମହିଳା ନାଏବ ସରପଞ୍ଚ ଏବଂ ପଞ୍ଚାୟତ ସମିତି ପୁରୁଷ ଚେୟାରମ୍ୟାନ ରହିଥିଲେ ମହିଳା ଭାଏସ ଚେୟାରମ୍ୟାନ ରହିବା ପାଇଁ ଆଇନ ପ୍ରଣୟନ କରାଗଲା । ସେହିପରି ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳର ବିକାଶ ଲାଗି ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ବନୀକରଣ, ପୁଷ୍ଟିକର ଖାଦ୍ୟ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ମହିଳା ପ୍ରତିନିଧୀମାନଙ୍କୁ ଦାୟିତ୍ୱରେ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଶାର ଏହି ପ୍ରବାଦ ପୁରୁଷ ଓଡ଼ିଶାର ଜନପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଣେ ସମାଜବିଜ୍ଞାନୀ ନଥିଲେ ମଧ୍ୟ ତାଙ୍କର ପଞ୍ଚାୟତିରାଜର ପରିକଳ୍ପନା ଓ ସଫଳ ରୂପାୟନ ଏ ଦେଶ ଲାଗି ପ୍ରକୃତରେ ଆଲୋକ ବର୍ତ୍ତିକା ସଦୃଶ । ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ଯଥାର୍ଥ ଭାବରେ ଗଢିତୋଳିବା ପାଇଁ ଓ ଏହାକୁ ତୃଣମୂଳ ସ୍ତରରେ ଥିବା ସଦର ମହକୁମାରେ ପ୍ରତିଷ୍ଠିତ କରାଇବାର ପ୍ରୟାସ କରାଯାଇଥିଲା ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ।
ସେହିପରି ଭାବେ ବିଧାୟକ ବା ସାଂସଦମାନଙ୍କ ସିଧାସଳଖ ପଞ୍ଚାୟତିରାଜ ବ୍ୟବସ୍ଥାରେ ହସ୍ତକ୍ଷେପକୁ ବିଜୁବାବୁ ବରଦାସ୍ତ କରୁନଥିଲେ । ତାଙ୍କର ବାର୍ତ୍ତା ଥିଲା ନିଜ ପଞ୍ଚାୟତର କାମ, ସେମାନେ ନିଜେ କରନ୍ତୁ । କିଛି ଯଦି ଭୂଲ ଭଟକା ରହିଯାଏ ତେବେ ବି ସେଥିରୁ ସେମାନେ ଶିକ୍ଷାଲାଭ କରି ପରବର୍ତ୍ତୀ ସମୟରେ ସଫଳ ହୋଇପାରିବେ । ବିଜୁବାବୁ ଓଡ଼ିଶାର ପ୍ରଥମ ରାଜନେତା, ଯେ ଦୃଢଭାବରେ ନିଜର କାର୍ୟ୍ୟକୁ ସମ୍ପାଦନ କରୁଥିଲେ । ଏହାଥିଲା ତାଙ୍କର ଜନ୍ମଗତ ସଦଗୁଣ । ମାର୍ଚ୍ଚ ୫ ତାରିଖ ହେଉଛି ବିଜୁ ବାବୁଙ୍କର ଜନ୍ମ ଦିନ । ଏହି ଦିନଟିକୁ ଆମ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳିତ ହୋଇଥାଏ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ୨ୟ ଦଫା ମୁଖ୍ୟମନ୍ତ୍ରୀତ୍ୱ ଗ୍ରହଣ କରିଥିଲେ ୧୯୯୦, ମାର୍ଚ୍ଚ ୫ ତାରିଖରେ ।
ତେବେ ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ନେଲେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶା ବିଧାନସଭାରେ ତିନୋଟି ବିଲକୁ ଗୃହିତ କରାଇ ନେଇଥିଲେ ବିଜୁବାବୁ । ସେହି ବିଲଗୁଡ଼ିକ ହେଲା ଯଥାକ୍ରମେ – ଗ୍ରାମପଞ୍ଚାୟତ ବିଲ- ୧୯୯୧, ଓଡ଼ିଶା ଜିଲ୍ଲା ପରିଷଦ ଆଇନ – ୧୯୯୧ ଏବଂ ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧିତ ଆଇନ – ୧୯୯୧ ।
ଏହି ଆଇନ ଗୁଡ଼ିକ ଦ୍ୱାରା ବିଶେଷଭାବେ ସମାଜର ଅବହେଳିତ, ନିଷ୍ପେସିତ, ଅନୂସୂଚିତ ଜାତି ଓ ଉପଜାତି ମହିଳାବର୍ଗକୁ ଏକ ତୃତୀୟାଂଶ ପ୍ରତିନିଧିତ୍ୱ କରିବାର ସୁଯୋଗ ଉପଲବଧି ହେଲା ।
ନବେ ଦଶକରେ ବିଜୁବାବୁ ଶାସନର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆମୂଳଚୁଳ ପରିବର୍ତ୍ତିତ ଢାଞ୍ଚାରେ କାର୍ୟ୍ୟକାରୀ କରିବାରେ ସକ୍ଷମ ହୋଇଥିଲେ ।