ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷାରେ ଏକ ଭବ୍ୟ ବଡଦାଣ୍ଡ
ପୁରୀ () ବଡ ଠାକୁରଙ୍କ ବଡ ଦାଣ୍ଡ ଓ ସବୁଠାରୁ ବଡ ରଥ । ଲକ୍ଷ ଲକ୍ଷ ଭକ୍ତ ବିନା ଦଳଚକଟାରେ ଛିଡା ହୋଇ ତିନି ଠାକୁରଙ୍କ ରଥଯାତ୍ରା ଦେଖିବାରେ ଆଉ ସମସ୍ୟା ହେବନି । ରଥରେ ଶ୍ରୀଜିଉମାନଙ୍କ ଦର୍ଶନରେ ବି ହେବନି ଅସୁବିଧା । ଧିରେ ଧିରେ ଏମିତି ଏକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଶତାବ୍ଦୀ ଧରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ବଡଦାଣ୍ଡଟି ଏତେ ପ୍ରଶସ୍ତ ଥିଲା ଯେ, ଠାକରଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ଆଗମନ ଏବଂ ଯାତ୍ରାରେ କୌଣସି ସମସ୍ୟା ହୁଏ ନାହିଁ । କିନ୍ତୁ ସମୟର ପରିବର୍ତ୍ତନରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବେଆଇନ ଜବରଦଖଲ ଯୋଗୁଁ ବଡଦାଣ୍ଡଟି ସଂକୁଚିତ ହୋଇଯାଇଥିଲା । ଯାହାଦ୍ବାରା ତିନି ଠାକୁରଙ୍କ ତିନି ରଥ ସହ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ପୁରୀର ସାଂସ୍କୃତିକ ପରିବେଶଟି କ୍ଷତିଗ୍ରସ୍ତ ହେଉଥିଲା । ଏବେ କିନ୍ତୁ ପୁରୀରେ ଆସିଛି ବିରାଟ ପରିବର୍ତ୍ତନ ।
ପୁରୀକୁ ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବହୁଗୁଣା ବଢିଛି । ଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବି କାହିଁ କେତେ ଗୁଣା ହୋଇଛି । ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିଦେଶୀ ପର୍ଯ୍ୟଟକ ବି ପୁରୀକୁ ବହୁ ସଂଖ୍ୟାରେ ଆସିଥାନ୍ତି । ଅର୍ଥନୀତି ଦୃଷ୍ଟିର ମଧ୍ୟ ଏହାର ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ । ଯେଉଁଥିପାଇଁ ଧିରେ ଧିରେ ପୁରୀ ସହର ସଂକୁଚିତ ହୋଇଯାଇଛି ।
ପୁରୀରେ ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ପଡୁଥିବା ଭୌତିକ ଭିତ୍ତିଭୂମୀର ଅଭାବ ଥିଲା । ତେଣୁ ଏହି ଭୌତିକ ଭିତ୍ତିଭୂମୀର ବିକାଶର ଆବଶ୍ୟକତା ଏବେ ପୂରଣ ହେବାକୁ ଯାଉଛି । କେବଳ ପୁରୀ ସହରର ଭିତ୍ତିଭୂମୀ ବିକାଶ ନୁହେଁ, ଶ୍ରୀମନ୍ଦିର ଚତୁର୍ପାର୍ଶ୍ବର ମଧ୍ୟ ବିକାଶ ବିଶ୍ବସ୍ତରୀୟ ହେବାର ଆବଶ୍ୟକତା ରହିଛି । କାରଣ ଏହା ବିଶ୍ବ ପର୍ଯ୍ୟଟନ ଓ ଧାର୍ମିକ ମାନଚିତ୍ରରେ ଏକ ପ୍ରମୁଖ ଅଙ୍ଗ ।
ସିଂହଦ୍ବାର ସମ୍ମୁଖ ଏବଂ ଶ୍ରୀମନ୍ଦିର ଚତୁପାର୍ଶ୍ବର ବିକାଶର ଆବଶ୍ୟକତା ରହିଥିଲା । କାରଣ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଏହି ବଡଦାଣ୍ଡରୁ ହିଁ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଯାଆସ ଲାଗି ରହିଥାଏ । ସିଂହ ଦ୍ବାର ସମ୍ମୁଖରେ ତିନି ରଥର ନିର୍ମାଣ ପରେ ରଥଯାତ୍ରା ପାଇଁ ପ୍ରସ୍ତୁତ ତିନି ରଥ ସିଂହଦ୍ବାର ସମ୍ମୁଖରେ ହିଁ ଛିଡା ହୋଇଥାନ୍ତି । ବିଶ୍ବର ଏହି ଏକମାତ୍ର ଦେବତା ଯିଏକି ସବୁ ଧର୍ମ, ବର୍ଣ୍ଣ, ଜାତି ଓ ଗୋତ୍ର ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାକୁ ରତ୍ନ ସିଂହାସନରୁ ଓହ୍ଲାଇ ଭକ୍ତଙ୍କ ମେଳକୁ ଆସିଥାନ୍ତି । ତେଣୁ ମହାପ୍ରଭୁଙ୍କ ସେହି ଗୋଟିଏ ଝଲକର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ରଥଯାତ୍ରାରେ ବଡଦାଣ୍ଡରେ ଏକାଠି ହୋଇଥାନ୍ତି ।
ଏହି ରୂପାନ୍ତରଣ ପ୍ରକ୍ରିୟାରେ ପର୍ଯ୍ୟଟକମାନେ କେବଳ ବଡଦାଣ୍ଡରେ ଶ୍ରୀଜିଉମାନଙ୍କ ଭଲ ଦର୍ଶନ କରିପାରିବେ ତାନୁହେଁ । ହୋଟେଲ ଶିଳ୍ପର ମଧ୍ୟ ବିକାଶ ହେବ । ପର୍ଯ୍ୟଟମାନେ ବିଶ୍ବସ୍ତରୀୟ ହୋଟେଲ ଭିତ୍ତିଭୂମୀ ମଧ୍ୟ ପାଇପାରିବେ । ଏଥିସହିତ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ରଥଯାତ୍ରା ସମୟରେ ମୋବାଇଲ ପୋଲିସ ୟୁନିଟର ପରିଚାଳନା, ଅଶ୍ନିଶମ ଗାଡି ଏବଂ ଅନ୍ୟାନ ସୁରକ୍ଷା ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ ଭାବେ ପରିଚଳିତ ହୋଇପାରିବ ।
ଶ୍ରୀଜିଉମାନଙ୍କ ସୁନା ବେଶ ଓ ନିଳାଦ୍ରିବିଜେରେ ସର୍ବାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଯୋଗୁଁ ଭକ୍ତମାନେ ତିନି ଠାକୁରଙ୍କ ଏହି ନିଆରା ଲିଳାର ଭରପୂର ମଜା ନେଇପାରିନ୍ତି ନାହିଁ । ତେବେ ବେଆଇନ ଜବରଦଖଲକୁ ହଟାଯାଇପାରିଲେ ଭକ୍ତମାନେ ଏହି ଦୁଇଟି ଦୃଶ୍ୟକୁ ମନଭରି ଦେଖିପାରିବେ । ଜିଲ୍ଲା ଓ ପୋଲିସ ପ୍ରଶାସନକୁ ସେ ସମୟରେ ଭିଡ ପରିଚାଳନା ଅପେକ୍ଷାକୃତ ସହଜ ହେବ । ଏହିସବୁ ଦୃଷ୍ଟିରୁ ପୁରୀର ରୂପାନ୍ତରଣ ପ୍ରକ୍ରିୟାରେ ବେଆଇନ ନିର୍ମାଣ ଏବଂ ବିପଦଶଙ୍କୁଳ ବିଲ୍ଡିଂର ଉଚ୍ଛେଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଖାଲି ସ୍ଥାନା ମଧ୍ୟରୁ ବହୁ ଅଂଚଳକୁ ମଠ ଓ କିଛି ବ୍ୟବସାୟିକ ପ୍ରତିଷ୍ଠାନ ମାଡିବସିଥିଲେ । ହେବେ ଏହିସବୁ ବେଆଇନ ନିର୍ମାଣର ଉଚ୍ଛେଦ ପରେ ବଡଦାଣ୍ଡରେ ପୁଣି ଥରେ ପୂର୍ବଭଳି ବିରାଟ ଖାଲି ଅଂଚଳ ସୃଷ୍ଟି ହୋଇପାରିଛି, ଯେଉଁଠୁ ଭକ୍ତମାନେ ବିନା କୌଣସି ସମସ୍ୟାରେ ଅତି ସୁରୁଖୁରରେ ରତ୍ନବେଦୀ ବାହାରେ ଅନୁଷ୍ଠିତ ହେଉଥିବା ସବୁ ରିତିନୀତିକୁ ଉପଭୋଗ କରିପାରିବେ ।
ଏକକାଳିନ 40 ହଜାର ଲୋକ ଗୋଟିଏ ସ୍ଥାନରୁ ରଥଯାତ୍ରା ଓ ଏହା ସହ ସଂଶ୍ଲିଷ୍ଟ ଅନ୍ୟାନ ରିତିନୀତିକୁ ଦେଖିପାରିବା ଭଳି ଖାଲିସ୍ଥାନ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି । ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ପରେ ପର୍ଯ୍ୟଟକମାନେ ତିରୁପତି ଓ ସ୍ବର୍ଣ୍ଣ ମନ୍ଦିର ଭଳି ପୁରୀରେ ମଧ୍ୟ ଉତ୍ତମ ଧର୍ମୀୟ ପରିବେଶ ପାଇପାରିବେ । ଶ୍ରୀମନ୍ଦିର ଓ ବଡଦାଣ୍ଡ ଭିନ୍ନ ପାରିପାର୍ଶ୍ବିକ ଅଂଚଳର ବିକାଶକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି । କାରଣ ଏହା ସେମାନଙ୍କ ଭବିଷ୍ୟତ ପିଢି ପାଇଁ ଲାଭଦାୟକ ହେବ । ପୁରୀବାସୀ ଆଶା ରଖିଛନ୍ତି ଯେ, ଏହି ରୂପାନ୍ତରଣ ପରେ ପୁରୀ କେବଳ ଏକ ବିଶ୍ବ ଐତିହ୍ୟ ସହରରେ ପରିଣତ ହେବନି, ବରଂ ସହରର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ତ୍ବରାନ୍ବିତ ହୋଇପାରିବ ।
ଭିମସେନ ମହାନ୍ତି ନାମକ ଜଣେ ପୁରୀ ବାସିନ୍ଦା ସରକାରଙ୍କ ରୂପାନ୍ତରଣ ପ୍ରକ୍ରିୟାକୁ ସ୍ବାଗତ କରିବାକୁ ଯାଇ କହିଛନ୍ତି ଯେ, ଏହା ପୁରୀ ପାଇଁ ଦୁଇଆଡୁ ବିଜୟ ଭଳି । ରଥଯାତ୍ରା ସମୟରେ ପୁରୀ ଲୋକେ ନାନା ହାଇରାଣ ହରକତ ହେଉଥିଲେ । ଏବେ ସରକାର ସ୍ଥାନାନ୍ତରିତ ହେଉଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବା ସହ ଦୋକାନ ଘର ମଧ୍ୟ ଦେବେ । ଏଥିସହିତ ପୁରୀର ଚିରାଚରିତ ପାର୍କିଂ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ ।