ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପଦକ୍ଷେପ ନେଉଛି ବ୍ରହ୍ମପୁର
ବ୍ରହ୍ମପୁର, ଡିସେମ୍ୱର: ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ଶ୍ରୀମତୀ ଚିନ୍ମୟୀ ପଣ୍ଡା । ପିଏମ୍- ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହୋଇ ନିଜ ଘରେ ୩ କିଲୋଓ୍ୱାଟର ସୌର ପ୍ୟାନେଲ୍ ସ୍ଥାପନ କରିଛନ୍ତି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)ର ସହଯୋଗରେ ସେ ଏହି ଯୋଜନା ସହ ଜୋଡ଼ି ହୋଇଛନ୍ତି ।ସୌରଶକ୍ତି ବ୍ୟବହାର ନେଇ ଶ୍ରୀମତୀ ପଣ୍ଡାଙ୍କର ଉତ୍ସାହ ବଢ଼ିବା ହେତୁ, ସେ ଟିପିଏସ୍ଓଡିଏଲର ବ୍ରହ୍ମପୁରସ୍ଥିତ ଉପଭୋକ୍ତା ସମ୍ପର୍କ କେନ୍ଦ୍ରରେ ପହଞ୍ଚି ଏସମ୍ପର୍କରେ ବୁଝିଥିଲେ । ସବୁଜ ଶକ୍ତିକୁ ପ୍ରୋତ୍ସାହନ ଓ ବ୍ୟୟସାପେକ୍ଷ ବିଜୁଳି ସେବା ବ୍ୟବସ୍ଥା ଦ୍ୱାରା ଅନୁପ୍ରାଣିତ ହୋଇ ସେ ପିଏମ୍-ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀମତୀ ପଣ୍ଡା କହିଛନ୍ତି ଯେ, “ ବିକ୍ରେତା ସଂସ୍ଥା ଚୟନଠାରୁ ଆରମ୍ଭ କରି ସୌର ପ୍ଲାଣ୍ଟ୍ ସ୍ଥାପନା ହେବା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । କମ୍ପାନୀର କର୍ମଚାରୀମାନେ ସଠିକ ମାର୍ଗଦର୍ଶନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ । ସୌର ଶକ୍ତିର ବ୍ୟବହାରକୁ ଜୀବନରେ ସାମିଲ କରି ମୁଁ ନିଜର ବିଜୁଳି ବିଲ୍ ହ୍ରାସ କରିବା ସହ ସବୁଜ ପୃଥିବୀ ଗଠନ ଦିଗରେ ମଧ୍ୟ ଭାଗିଦାରୀ ହୋଇପାରିବି । ଏହା ମୋ ପାଇଁ ଗର୍ବର କଥା । ”
ଅନ୍ୟପକ୍ଷରେ ଏହି ସୌର ପ୍ଲାଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଯୋଗ ଦେଇଥିଲେ । ଏହି ଅବସରରେ ପିଏମ୍- ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଉପାଦେୟତା ଓ କାର୍ଯ୍ୟକାରିତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଥିଲେ ଯେ, “ ସହଜରେ ଓ ସୁଲଭରେ ଅକ୍ଷୟ ଶକ୍ତିର ବ୍ୟବହାର ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଦ୍ୱାରା ହିଁ ସମ୍ଭବପର । ସୌରଶକ୍ତିକୁ ବ୍ୟବହାର କରି ଆମେ ସମସ୍ତ ପାରମ୍ପରିକ ଶକ୍ତି ଉତ୍ସ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିପାରିବା । ସେହିପରି ଏହି ଯୋଜନା ଅଧିନରେ ସରକାରୀ ସବସିଡି ମିଳିବା ସହ ବିଜୁଳି ବିଲ୍ ହ୍ରାସ ହୋଇଥାଏ । ମୋର ଅନୁରୋଧ, ସମସ୍ତେ ଏହି ଯୋଜନାରେ ସାମିଲ ହୋଇ ଏକ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ଗଠନରେ ଆମକୁ ସହଯୋଗ କରନ୍ତୁ । ଏଭଳି କରି ଉପଭୋକ୍ତା ସଂପ୍ରଦାୟଙ୍କୁ ସଶକ୍ତ କରିବା ଟିପିଏସ୍ଓଡିଏଲର ଲକ୍ଷ୍ୟ ଅଟେ।”
ସମଗ୍ର ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ଶ୍ରୀମତୀ ପଣ୍ଡାଙ୍କର ଏହି ଉଦ୍ୟମ ଏକ ଛୋଟ ପଦକ୍ଷେପ ହୋଇପାରେ; ମାତ୍ର ଏହା ନିହାତି ପକ୍ଷେ ପ୍ରଭାବଶାଳୀ । ପିଏମ୍-ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ପ୍ରଚାର ପ୍ରସାର ଓ କାର୍ଯ୍ୟକାରିତା ଦିଗରେ ଏହି ଉଦ୍ୟମ ବିଶେଷ ଭାବେ ସହାୟକ ହୋଇପାରିଛି । ଏହିପରି ନିରନ୍ତର ପ୍ରୟାସ, ପ୍ରଚାର-ପ୍ରସାର ଓ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ଟିପିଏସ୍ଓଡିଏଲ୍ ସୌରଶକ୍ତିକୁ ଦକ୍ଷିଣ ଓଡ଼ିଶାର ଅଧିକରୁ ଅଧିକ ଘରେ ପଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।
ଶ୍ରୀମତୀ ପଣ୍ଡାଙ୍କର ଏହି କାହାଣୀ – ଏକ ନୂଆ ଆଶା ସଞ୍ଚାର କରିଛି ଓ ପରିବର୍ତ୍ତନର ଆଭାସ ଦେଉଛି । ଯାହା ଆମ ସମସ୍ତଙ୍କୁ କେବଳ ଜଣେ ବିଦ୍ୟୁତ ଉପଭୋକ୍ତା ଭୂମିକାରେ ସୀମିତ ନରହି ଏକ ଦାୟିତ୍ୱବାନ ନାଗରିକ ହେବାକୁ ପ୍ରେରଣା ଯୋଗାଉଛି ।