60 କୋଟି ଲୋକ ଉତ୍କଟ ପାଣି ସମସ୍ୟାରେ, 75% ଘରେ ପହଁଚିନି ପିଇବା ପାଣି
ଭୁବନେଶ୍ବର () କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ, କେନ୍ଦ୍ର ପନୀୟ ଜଳ ଓ ସ୍ବଚ୍ଛତା ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମିଳିତ ଉଦ୍ୟମରେ ନୀତି ଆୟୋଗ ଦେଶର ଜଳ ପରିଚାଳନା ସ୍ଥିତିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ । ନୀତି ଆୟୋଗଙ୍କ ଏହି ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଚିନ୍ତା ବଢ଼ାଇଛି ।
୨୦୧୬-୧୭ ଆର୍ଥିକ ବର୍ଷ ଦେଶର ପ୍ରମୂଖ ରାଜ୍ୟମାନଙ୍କରେ ଜଳ ସଂରକ୍ଷଣ ଓ ପରିଚାଳନାରେ ୧୦୦ ପ୍ରତିଶତରୁ କେତେ ପ୍ରତିଶତର ପ୍ରଦର୍ଶନ ରହିଛି ସେନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ନୀତି ଆୟୋଗ । ତେବେ ରିପୋର୍ଟ ଅନୁସାରେ ଦୁଇଟି ବିଭାଗ କରାଯାଇଛି ପ୍ରଥମଟି ହିମଗିରି ବାହ୍ୟ ରାଜ୍ୟ ଏବଂ ଅନ୍ୟଟି ହିମଗିରି ଅଧିନରେ ଥିବା ରାଜ୍ୟ ।
ବର୍ତ୍ତମାନ ନୀତି ଆୟୋଗ ରିପୋର୍ଟ ମୁତାବକ ପ୍ରତିବର୍ଷ ପାନୀୟ ଜଳ ସମସ୍ୟାରେ ପାଖାପାଖି ୨ ଲକ୍ଷ ଲୋକ ପ୍ରାଣ ହାରାଉଛନ୍ତି । ଆୟୋଗ ସତର୍କ କରାଇଛନ୍ତି ଯେ ୨୦୩୦ ଜଳ ସମସ୍ୟା ଦ୍ବିଗୁଣିତ କିମ୍ବା ଆହୁରି ବଢ଼ିଯାଇପାରେ । ନୀତି ଆୟୋଗ ମୁଖ୍ୟ ଅମିତାଭ କାନ୍ତଙ୍କ ସୁଚନା ମୁତାବକ ଥିଙ୍କ ଟ୍ୟାଙ୍କ ଜରିଆରେ ଜଳ ସଂରକ୍ଷଣ ଏବଂ ପରିଳାନା ପ୍ରଦର୍ଶନର ଗୁଣବତା ମାପିବା ପାଇଁ ୯ଟି ବ୍ୟାପକ କ୍ଷେତ୍ରରେ ଦର୍ଶାଯାଇଥାଏ । ଯେଉଁଥିରେ ୨୮ଟି ବିଭିନ୍ନ ସାଂକେତିକ ଦିଗ ସୁଚାଇ ଦିଆଯାଇଛି ଯାହା ଭୂ-ଜଳ, ଜଳ ସଂରକ୍ଷଣ ପ୍ରଣାଳୀ, କ୍ଷେତ ସିଞ୍ଚନ, ଚାଷ କ୍ଷେତ୍ରରେ ସମ୍ପାଦନ, ପାନୀୟ ଜଳ ଏବଂ ନୀତି ଓ ସରକାରଙ୍କ ଯୋଗଦାନକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ ।
ନୀତି ଆୟୋଗ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ସବୁଠାରୁ ବଡ ଜଳ ସଙ୍କଟ ଦେଇ ଗତି କରୁଛି । ଯାହାଦ୍ବାରା ଲକ୍ଷ ଲକ୍ଷ ଲୋକମାନଙ୍କ ଜୀବିକା ବିପଦ ମୁହାଁ ହୋଇଛି । ତେବେ ବର୍ତ୍ତମାନ ୬୦୦ ନିୟୁତ ଭାରତୀୟ ଅଧିକ ଜଳ ସମସ୍ୟାରେ ପୀଡିତ ହେଉଥିବା ସହିତ ତାଙ୍କୁ ବିଶୁଦ୍ଧ ପାନୀୟ ଜଳ ପ୍ରାପ୍ତ ନହେବାରୁ ବର୍ଷରେ ୨ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ରିପୋର୍ଟରୁ ଜଣାପଡିଛି । ସେହିପରି ଦେଶରେ ୫୨ ପ୍ରତିଶତ କୃଷି ଜମି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଯୋଗୁଁ ସିଞ୍ଚନ କ୍ଷେତ୍ରରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ ହୋଇପଡିଛି ।
ସେହିପରି ଦେଶର ୬୦ କୋଟି ଲୋକ ବର୍ତ୍ତମାନ ଉତ୍କଟ ଜଳ ସମସ୍ୟାରେ ସମ୍ମୁଖୀନ ହେଉଥିବାବେଳେ ପାଖାପାଖି ୭୫ ପ୍ରତିଶତ ଘରେ ପିଇବା ପାଣି ନାହିଁ , ୮୪ ପ୍ରତିଶତ ଗ୍ରାମୀଣ ପରିବାର ପାଇପ ଜରିଆରେ ମଧ୍ୟ ପାଣି ପାଉ ନଥିବା ନୀତି ଆୟୋଗ କହିଛି । ବର୍ତ୍ତମାନ ଦେଶର ୭୦ ପ୍ରତିଶତ ଜଳ ଭାଗ ଦୂଷିତ ଅଛି ଯାହା ସବୁଠାରୁ ବିପଦଜନକ ବିଷୟ । ବିଶ୍ବରେ ଦୂଷିତ ଜଳସ୍ତର ଦେଶ ତାଲିକା ମଧ୍ୟରେ ଭାରତ ୧୨୨ ଟି ଦେଶରୁ ୧୨୦ ନଂ ସ୍ଥାନରେ ଅଛି । ତେଣୁ ଏହି ରିପୋର୍ଟ ଆଧାରରେ ନୀତି ଆୟୋଗ ସ୍ପଷ୍ଟ କରିଛି ଯେ ଆସନ୍ତା ୨୦୩୦ ସୁଦ୍ଧା ୪୦ ପ୍ରତିଶତ ଦେଶବାସୀ ପାନୀୟ ଜଳ ପାଇଁ ସମସ୍ୟାରେ ସମ୍ମୁଖୀନ ହେବେ । ଏପରିକି ୨୦୨୦ ସୁଦ୍ଧା ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ ଓ ହାଇଦ୍ରାବାଦ ଭଳି ୨୧ ଟି ସହର ଭୂ-ଜଳ ଉପଲବ୍ଧ ରହିବ ନାହିଁ ଏବଂ ଏହାଦ୍ବାରା ୧୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ ଊଲ୍ଲେଖ କରିଛି ଆୟୋଗ ।
ନୀତି ଆୟୋଗର ରିପୋର୍ଟ ଅନୁସାରେ ଜଳ ସୂଚକାଙ୍କ ଫଳାଫଳ ବ୍ୟାପକରୂପେ ସବୁ ରାଜ୍ୟରେ ଏକ ପ୍ରକାର ସ୍ଥିତି ରହିଛି । କିନ୍ତୁ ଅଧିକାଂଶ ରାଜ୍ୟ ୫୦ ପ୍ରତିଶତରୁ କମ ଫଳାଫଳା ହାସଲ କରିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଜଳ ସମ୍ପାଦନ ଓ ପରିଚାଳନାକୁ ନେଇ ଉନ୍ନତ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ଗୁଜୁରାଟକୁ ସର୍ବୋଚ୍ଚ ୭୬ ପ୍ରତିଶତ ସ୍କୋର ମିଳିଥିବା ବେଳେ ମେଘାଳୟକୁ ସର୍ବନିମ୍ନ ୨୬ ପ୍ରତିଶତ ମିଳିଛି । ସେହିପରି ଆନ୍ଧ୍ରପ୍ରଦେଶ ତୃତୀୟରେ ଥିବା ବେଳେ ମାତ୍ର ୯ଟି ରାଜ୍ୟ ବର୍ତ୍ତମାନ ୫୦ ପ୍ରତିଶତ ଜଳ ସଂରକ୍ଷଣ ଏବଂ ସମ୍ପାଦନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ହୀମଗିରି ପରିଷରଭୁକ୍ତ ରାଜ୍ୟ ଏବଂ ହୀମଗିରି ବାହ୍ୟ ରାଜ୍ୟ ମଧ୍ୟରୁ ୧୪ ଟି ରାଜ୍ୟର ପ୍ରଦର୍ଶନକୁ ନେଇ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର । ପାଖାପାଖି ୧୪ଟି ରାଜ୍ୟରେ ୫୦ ପ୍ରତିଶତରୁ କମ ଜଳ ସଂରକ୍ଷଣ ଏବଂ ପରିଚାଳନା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ ସର୍ବନିମ୍ନ ଜଳ ସମ୍ପାଦନା ଏବଂ ପରିଚାଳନା ରାଜ୍ୟମାନଙ୍କର ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି । ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ନୀତି ଆୟୋଗ ରିପୋର୍ଟ ମୁତାବକ ଓଡିଶା ୨୦୧୫-୧୬ ଆର୍ଥିକ ବର୍ଷରେ ୯ନଂ ସ୍ଥାନରେ ଥିବା ବେଳେ ବର୍ତ୍ତମାନ ରିପୋର୍ଟରେ ୧୩ନଂ ସ୍ଥାନକୁ ଖସିଆସିଛି । ଏହାର ଅର୍ଥ ଓଡିଶାରେ ମଧ୍ୟ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ନୀତି ଆୟୋଗଙ୍କ ଗୁଡ ଲିଷ୍ଟରେ ଓଡିଶା ତାର ସ୍ଥିତି ହରାଇଛି ।
ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ କହିବା ମୁତାବକ ଦେଶରେ ଜଳ ସ୍ଥିତି ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ବିଗତ ୭୦ ବର୍ଷ ହେଲାଣି ଜଳ ସମସ୍ୟା ଉପରେ କେହି ଧ୍ୟାନ ଦେଉ ନାହାଁନ୍ତି । ପ୍ରତିବର୍ଷ ବର୍ଷା ହେଉଛି , ବନ୍ୟା ହଉଛି କିନ୍ତୁ ଏଭଳି ଉକ୍ରଟ ଜଳ ସଂକଟ ଦେଖାଯିବ ତାହା କେବେ କେହି ଚିନ୍ତା କରି ନଥିବେ । ତେବେ ସମୟ ଆସିଛି ଦେଶ ଏବଂ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ସହିତ ହାତ ମିଳାଇ ଜଳ ସଂରକ୍ଷଣ ଏବଂ ପରିଚାଳନା କିଭଳି ହେବ ସେନେଇ ସହଯୋଗ କରିବା ଆବଶ୍ୟକ ହୋଇପଡିଛି । ନଚେତ ଏଭଳି ଜଳ ସଂକଟ ଦ୍ବାରା ଦେଶର ପ୍ରତେକ ସହର କେପଟାଉନ ପାଲଟିଯିବ ବୋଲି ସତର୍କ କରାଇଛି ନୀତି ଆୟୋଗ ।