Latestରାଜ୍ୟ

କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ

ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି । ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା କରାଯିବ ।
ଏହି ସମ୍ମିଳନୀଟି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ବର୍ତମାନ ପରିସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନା ଆଲୋଚନାର ପ୍ରସଙ୍ଗ ହେବ ।
ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ସୋଆ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରିଛି ।
ଏହି ସମ୍ମିଳନୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ନାମ ରଖାଯାଇଛି “ଧାରା:ଆନ୍ ଡେ ଅଡ୍ ଟୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌” । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ “ଆଜାଦୀ କା ଅମୃତ ମହୋତ୍ସବ” ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବାଲିଯାତ୍ରା ଉତ୍ସବର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟି ଶିକ୍ଷାବିତ୍ ବିଦ୍ୱାନ ଓ ଗବେଷକମାନେ ଯୋଗ ଦେବେ । ଏହା ଦ୍ୱାରା ମେରିଟାଇମ୍ ଟ୍ରାଡିସନ୍ – ୨୦୪୭ ନିମନ୍ତେ ଏକ ଭିଜନ୍ ଡକୁମେଂଟ ପ୍ରସ୍ତୁତ କରାଯିବା ସହ ଓଡ଼ିଶାର ମହାନ୍ ସାମୁଦ୍ରିକ ପରମ୍ପରାର ଇତିହାସକୁ ଜନସାଧାରଣଙ୍କ ମନରେ ଉଦ୍‌ଜୀବିତ କରାଯିବ ।
ପ୍ରାଚୀନ କାଳରେ ଓଡ଼ିଶାର ବଣିକମାନେ ସମୁଦ୍ର ପଥରେ ବାଣିଜ୍ୟ କରିବା ନିମନ୍ତେ ବିଭିନ୍ନ ଦେଶକୁ ଯାତ୍ରା କରୁଥିଲେ । ଏହା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ ଓ ସମୃଦ୍ଧିକୁ ନେଇ ଓଡ଼ିଶାର ମହାନ ପରମ୍ପରା ରହିଛି । ଦେଶ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱାରା ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅନେକ ଆଦାନ ପ୍ରଦାନ ହେଉଥିଲା ।
କଟକର ମହାନଦୀ କୂଳରେ ପ୍ରତିବର୍ଷ ଆୟୋଜିତ ହେଉଥିôବା ଏହି ପ୍ରସିଦ୍ଧ ବାଲିଯାତ୍ରା ଓଡ଼ିଶାର ଉପକୂଳରୁ ବାଲି ଦ୍ୱୀପ ଏବଂ ସୁଦୂର ଇଣ୍ଡୋନେସିଆ ସହ ସମ୍ପର୍କ ଓ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ପାଳନ କରାଯାଇଥାଏ ।
ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ନଭେମ୍ବର ୮ ରେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କରାଯିବ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଶେଷ କରି ଭାରତୀୟ ନୌସେନା ପକ୍ଷରୁ ଏକ ଷ୍ଟିଚ୍‌ଡ ବୋଟ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯିବ ।

Share

Leave a Reply

Your email address will not be published. Required fields are marked *

1 × 1 =