ନବୀନଙ୍କ ସମଦୁରତ୍ୱ ଫଣ୍ଡା : ରାଜନୈତିକ ବାଧ୍ୟବାଧକତା ନୁହେଁ, ରାଜ୍ୟ ସ୍ୱାର୍ଥ ପାଇଁ
ଭୁବନେଶ୍ୱର () ୨୦୦୦ ମସିହାରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମୂଳଦୁଆ ପକାଇଥିବା ବିଜେଡି, କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ପରେ ୨୦୦୯ରେ ବିଜେପି ହାତ ଛାଡିଥିଲା । ଯେଉଁଦିନ ବିଜେପି ଠାରୁ ଅଲଗା ହୋଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକି ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଘୋଷଣା କଲେ ସେହି ଦିନଠାରୁ ଦୁଇଟି ଯାକ ସର୍ବବୃହତ ଜାତୀୟ ଦଳଠାରୁ ସମଦୂରତା ନୀତି ଆପଣେଇଲେ । ବିଜେଡିର ଏହି ସମଦୂରତା ନିଷ୍ପତ୍ତିକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ସମୀକ୍ଷକମାନେ ଭୁଲ ନିଷ୍ପତ୍ତି ବୋଲି କହୁଥିଲେ ବି ନବୀନ କିନ୍ତୁ ନିଜ ନିଷ୍ପତ୍ତିର ପୂର୍ନବିଚାର କରିନାହାଁନ୍ତି କି କରିବା ସ୍ଥିତିରେ ନାହାଁନ୍ତି । କାରଣ ଜାତୀୟ ରାଜନୀତିରେ ଉଭୟ ବିଜେପି ଓ କଂଗ୍ରେସ ବିଜେଡି ସହ ରାଜନୈତିକ ବୁଝାମଣା କରିବାକୁ ଚାହୁଁଥିଲେ ବି ନବୀନ କିନ୍ତୁ ରାଜ୍ୟ ସ୍ୱାର୍ଥ ପାଇଁ ଦୁଇଟି ଯାକ ଜାତୀୟ ଶକ୍ତିକୁ ବିଶ୍ୱାସକୁ ନେଇପାରୁନାହାଁନ୍ତି ।
ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖୁଥିବା ବିଜେଡି ୧୯ ତାରିଖରେ କୋଲକୋତାରେ ଆୟୋଜିତ ବିଜେପି ବିରୋଧୀ ମହାମେଳୀରେ ଯୋଗଦେବେ ବୋଲି ପ୍ରାକ ଆକଳନ କରାଯାଉଥିଲା । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମହାମେଳୀର ନେତୃତ୍ୱ ନେଉଥିବା ବେଳେ ନବୀନଙ୍କ ସହ ତାଙ୍କ ସଂପର୍କ ବେଶ ଭଲ । କିନ୍ତୁ ସମସ୍ତଙ୍କୁ ଚକିତ କରି ନବୀନ ଏହି ମେହାମେଳୀକୁ ଗଲେ ନାହିଁ । କାରଣ ଏହି ମହାମେଳୀରେ କଂଗ୍ରେସ ବି ଯୋଗ ଦେଇଥିଲା । ୨୦୦୯ରେ ବିଜେପି ସହ ସଂପର୍କ ଛିହ୍ନ କରିବା ପରେ ନବୀନଙ୍କୁ ୟୁପିଏରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ନିଜର ସମଦୂରତା ଫଣ୍ଡାରେ ସେ ୟୁପିଏରେ ସାମିଲ ହେଲେନି । ତେଣୁ ଏବେ କେଉଁ ନ୍ୟାୟରେ ସେ କଂଗ୍ରେସ ସହ ଏହି ମହାମେଳୀରେ ଯୋଗଦେବେ ।
ଏକଥା ସତ ଯେ, ନବୀନ ପଟ୍ଟନାୟକ ଏବେ କେନ୍ଦ୍ର ବିରୋଧରେ ଏକ ପ୍ରକାର ଯୁଧଂଦେହୀ ଡାକରା ଦେଇଛନ୍ତି । କାରଣ ରାଜ୍ୟର ନ୍ୟାୟୋଚିତ ଦାବିକୁ କେନ୍ଦ୍ର ଗ୍ରହଣ କରୁନି ଏବଂ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଅର୍ଥ ଦେବା ବନ୍ଦ କରିଦେଇଛି । ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହେଉ କି ରାଜ୍ୟକୁ ଆର୍ଥିକ ସ୍ୱାତନ୍ତ୍ରତା ଦାବି ନେଇ ନବୀନ କେନ୍ଦ୍ର ସହ ସିଧାସଳଖ ମୁକାବିଲା ସ୍ଥିତିକୁ ଆସିଛନ୍ତି । ଏପରିକି ଚାଷୀ ଓ ଚାଷ ପାଇଁ ଧାନର ଏମଏସପି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା କରିବା ଦାବିରେ ଦିଲ୍ଲୀ ଦରବାରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ତେଣୁ ଏହି ଦୃଷ୍ଟିରୁ ୧୯ ତାରିଖର ବିଜେପି ବିରୋଧୀ ମହାମେଳୀରେ ବିଜେଡି ଯୋଗଦେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ନବୀନଙ୍କ ସମଦୂରତ୍ୱ ଫଣ୍ଡା ପୁଣି ଥରେ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରିଛି ।
ତାଙ୍କ ଭାଷାରେ ଉଭୟ କଂଗ୍ରେସ ଓ ବିଜେପି ଚାଷୀ, ଗରିବ, ଅନୁସୂଚିତ ଜାତି ଜନଜାତି ଏବଂ ସର୍ବୋପରି ରାଜ୍ୟ ସ୍ୱାର୍ଥ ବିରୋଧୀ, ତେଣୁ ଏହି ଦୁଇ ଜାତୀୟ ଦଳ ସହ କୌଣସି ରାଜନୈତିକ ବୁଝାମଣାର ଅବକାଶ ନାହିଁ । ବରଂ ଟିଆରଏସ, ତୃଣମୂଳ କଂଗ୍ରେସ, ଏଆଇଡିଏମକେ, ଟିଡିପି ପରି ଆଞ୍ଚଳିକ ଦଳଗୁଡିକ ନିଜ ନିଜ ରାଜ୍ୟରେ ଅଧିକ ଲୋକପ୍ରିୟ ହେଉଥିବାରୁ ଆଗାମୀ ଦିନରେ ସବୁ ଆଂଚଳିକ ଦଳକ ଅଧିକ ଶକ୍ତିଶାଳୀ ହେବା ସହ ଏକାଠି ହେବାକୁ ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଦେଇଥିବା ଆହ୍ୱାନକୁ ମଧ୍ୟ ନବୀନ ସମର୍ଥନ ଜଣାଇଥିଲେ । ଏହାକୁ ବିଚାର କଲେ ନବୀନ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଆଂଚଳିକ ଦଳର ଏକତ୍ରିକରଣ ଏବଂ ସଶକ୍ତିକରଣର ମଙ୍ଗ ଧରିପାରିନ୍ତି ।
ସେପଟେ ଧିରେ ଧିରେ ନବୀନ ଜାତୀୟ ରାଜନୀତିରେ ଏକ ବ୍ରାଣ୍ଡ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଫେସ ଟୁ ଫେସ ହେବା ସହ ରାଜ୍ୟରେ ଦୁଇ ଦୁଇଟି ଆନ୍ତର୍ଜାତିକ କ୍ରିଡା ମହାକୁମ୍ଭର ଆୟୋଜନ ସାଙ୍ଗକୁ ମେକ ଇନ ଓଡିଶା କଲକ୍ଲେଭ ଜରିଆରେ ବିଶ୍ୱସ୍ତରୀୟ ଶିଳ୍ପପତିଙ୍କୁ ଗୋଟିଏ ସଭାମଂଚରେ ଏକାଠି କରିବା, ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପ୍ରସ୍ତାବ, ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବା, ହକିକୁ ଜାତୀୟ କ୍ରିଡାର ମାନ୍ୟତା ଦେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ପାଇଁ ଦାବି ଆଦି ପ୍ରସଙ୍ଗରେ ନବୀନ ଜାତୀୟ ରାଜନୀତିରେ ଏକ ବ୍ରାଣ୍ଡ ହୋଇ ଉଭା ହୋଇଛନ୍ତି । ଏଥିସହିତ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିପିଏଲ ପରିବାରକୁ ଏଲଇଡି ବଲବ, ମହିଳାଙ୍କ ପାଇଁ ମାଗଣା ମୋବାଇଲ ଫୋନ, ଆହାର ଏମତି ଡର୍ଜନେରୁ ଅଧିକ ଏକକ ଯୋଜନା ଜାତୀୟ ସ୍ତରରେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି ।