ରାଜନୀତି

ବିଜେପିରେ ମିଶିପାରନ୍ତି ଜାଗୀ !

ଭୁବନେଶ୍ୱର (): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିଳ୍ପପତି ପତ୍ନୀ ଜାଗୀ ମଙ୍ଗତ ପଣ୍ଡା ଖୁବ୍‍ଶୀଘ୍ର ବିଜେପିରେ ଯୋଗଦେବେ । ରାଜନୀତି ପ୍ରବେଶ ସହିତ ସ୍ୱାମୀ ବୈଜୟନ୍ତଙ୍କ ଆଗାମୀ ନିର୍ବାଚନରେ ଜିଣିବାର ବାଟ ପରିଷ୍କାର କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ପୂର୍ବରୁ ଜାଗୀ ନାଗପୁର ଠାରେ ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିବାପରେ ତାଙ୍କର ବିଜେପି ପ୍ରବେଶ ନେଇ ରାଜନୀତି ଜୋର ଧରିଥିଲା । ହେଲେ ବୈଜୟନ୍ତ କୌଣସି ଦଳରେ ଯୋଗ ନଦେବା ଫଳରେ ଜାଗୀଙ୍କୁ ନେଇ ଚାଲିଥିବା ଆଲୋଚନ ଥମି ଯାଇଥିଲା । ହେଲେ ନିକଟରେ ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଶ୍ରୀମତୀ ପଣ୍ଡା ବିଜେପିର କିଛି ଛାମୁଆ ନେତାଙ୍କ ନିକଟତର ହେବାରୁ ପୁଣିଥରେ ତାଙ୍କର ରାଜନୀତି ପ୍ରବେଶ ବିଶେଷକରି ବିଜେପିକୁ ଯିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଜେଡିରୁ ବହିଷ୍କୃତ ହେବାପରେ ବୈଜୟନ୍ତ ସାଂସଦ ପଦ ଛାଡିଛନ୍ତି । ବର୍ତ୍ତମାନ ସିଏ ନିଜର ରାଜନୈତିକ ଭବିଷ୍ୟତ ପାଇଁ କୌଣସି ଦଳରେ ଯୋଗଦେବାକୁ ସୁଯୋଗ ଖୋଜୁଥିବାବେଳେ ତାଙ୍କର ବିଜେପି ପ୍ରବେଶ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି । ତେଣୁ ଉଭୟ ବୈଜୟନ୍ତ ଓ ଜାଗୀଙ୍କୁ ବିଜେପିରେ ନେବାପାଇଁ ପଥ ଧିରେ ଧିରେ ପରିଷ୍କାର ହେଉଥିବାବେଳେ ଜାଗୀ ପ୍ରଥମେ ବିଜେପିକୁ ଯିବେ ବୋଲି ସୂଚନା ମିଳୁଛି ।
ଜାଗୀ-ବୈଜୟନ୍ତ ବିଜେପିକୁ ଗଲାପରେ ବୈଜୟନ୍ତ କେନ୍ଦ୍ରାପଡାରୁ ଛିଡାହେବେ ଓ ଜାଗୀ ତାଙ୍କର ବିଜୟ ପଥ ପରିଷ୍କାର କରିବେ ବୋଲି କୁହାଯାଉଛି । ହାତରେ ଶିଳ୍ପ ସହିତ ବଡ ମିଡିଆ ହାଉସ୍‍ ଥିବାରୁ ଉଭୟ ବିଜେପି ଓ କଂଗ୍ରେସ ବୈଜୟନ୍ତଙ୍କୁ ନେବାପାଇଁ ଆଗ୍ରହୀ । ତେବେ କଂଗ୍ରେସ ଅପେକ୍ଷା ପତି-ପତ୍ନୀ ବିଜେପିର ନିକଟତର ହେଉଥିବାରୁ ସେମାନଙ୍କର କେବଳ ପଦ୍ମଧରିବାକୁ ରାଜନୈତିକ ମହଲରେ ଅପେକ୍ଷା କରାଯାଇଛି । ଯଦି ଉଭୟ ଏଥିରେ ସଫଳ ହୁଅନ୍ତି ତେବେ ଆଗାମୀ ନିର୍ବାଚନରେ ରାଜ୍ୟ ରାଜନୀତି ଓ ମିଡିଆ ଜଗତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଏବେଠାରୁ ଅନୁମାନ କରାଗଲାଣି ।
Share

Leave a Reply

Your email address will not be published. Required fields are marked *

2 × 3 =