ଜାତୀୟ

ପିଡିତା ବଦଳାଇଲେ ବୟାନ ରୁଜୁ ହେବ ମାମଲା

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ ବୟାନକୁ ବଦଳାନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ସେହିପରି ଯଦି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି, ତେବେ ଏହା ସତ୍ୱେ ବି ଯଦି ଦୁଷ୍କର୍ମ ପୀଡିତା ଦେଇଥିବା ନିଜ ବୟାନକୁ ବଦଳାଇ ଦିଅନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବ ।

ଜଷ୍ଟିସ ରଂଜନ ଗୋଗେଇ, ଜଷ୍ଟିସ ନବୀନ ସିହ୍ନା ଏବଂ ଜଷ୍ଟିସ କେଏମ ଜୋସେଫଙ୍କ ବେଂଚ ଏକ ମାମଲାର ଶୁଣାଣୀ କରିବାକୁ ଯାଇ ଦୋଷୀକୁ ୧୦ ବର୍ଷ କାଳ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଯେବେକି ଏହି ମାମଲାରେ ଦୁଷ୍କର୍ମ ପୀଡିତା ନିଜ ବୟାନ ବଦଳାଇଥିଲେ । ସେ କହିଥିଲେ କି, ତାଙ୍କ ସହ ଦୁଷ୍କର୍ମ ହୋଇନାହିଁ ବରଂ ସେ ପଡିଯିବାରୁ ତାଙ୍କୁ ଆଘାତ ଲାଗିଥିଲା । ତେବେ ଏହି ୩ ଜଣିଆ ବେଂଚର ଶୁଣାଣୀ ଅବସରରେ କୁହାଯାଇଛି କି, ଯଦି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମେଡିକାଲ ରିପୋର୍ଟ ବ୍ୟତୀତ ଅନ୍ୟ କୌଣସି ଆଧାରରେ ବି କ୍ଲିନ୍ ଚିଟ୍ ମିଳିଯାଏ, ତେବେ ବି ତାଙ୍କ ବିରୋଧରେ ମକଦ୍ଦମା ହେବ ।

ସୁପ୍ରିମକୋର୍ଟ ଆହୁରୀ ମଧ୍ୟ କହିଛି କି, କ୍ରିମିନାଲ ଟ୍ରାଏଲର ଉଦ୍ଦେଶ୍ୟ ହେଲା ସତ୍ୟତାତୁ ସାମ୍ନାକୁ ଆଣିବା । ତେଣୁ ଏଥିରେ କାହାକୁ ବି ଅନୁମତି ନାହିଁ କି, ସେ ଦେଇଥିବା ନିଜ ବୟାନକୁ ସଂପୂର୍ଣ୍ଣ ଭାବରେ ବଦଳାଇ ପାରିବେ କିମ୍ବା ନ୍ୟାୟ ବ୍ୟବସ୍ଥାକୁ ପରିହାସ କରିପାରିବେ । କୋର୍ଟ ୨୦୦୪ର ଏକ ମାମଲାର ଶୁଣାଣୀ ଅବସରରେ ଏଭଳି ରାୟ ଶୁଣାଇଛି ।

ଉଲ୍ଲେଖ ଥାଉ କି, ଯେଉଁ ସମୟରେ ପୀଡିତାଙ୍କ ସହ ଦୁଷ୍କର୍ମ ହୋଇଥିଲା , ସେତେବେଳେ ତାଙ୍କୁ ୯ ବର୍ଷ ହୋଇଥିଲା । ତାଙ୍କ ମାଆ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ପୀଡିତାଙ୍କ ମେଡିକାଲ ରିପୋର୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ମାତ୍ର ୬ ମାସ ପରେ ହିଁ ପୀଡିତା ଏବଂ ମାମଲାର ମୁଖ୍ୟ ସାକ୍ଷୀ ତଥା ପୀଡିତାଙ୍କ ଭଉଣୀ ନିଜର ବୟାନକୁ ବଦଳାଇଦେଇଥିଲେ ଏବଂ କହିଥିଲେ କି ପୀଡିତା ପଡିଯିବା କାରଣରୁ ତାଙ୍କୁ ଆଘାତ ଲାଗିଥିଲା ବୋଲି । ଯାହା ପରେ ଟ୍ରାଏଲକୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − two =