ନବୀନଙ୍କ ଟିପ୍ସ : ଗଣତନ୍ତ୍ରରେ ମତପାର୍ଥକ ଏକ ଅଧିକାର, କିନ୍ତୁ ଶାଳୀନତା ଏକ ଆବଶ୍ୟକତା
ଭୁବନେଶ୍ବର (): ଗଣତନ୍ତ୍ରରେ ମତ ପାର୍ଥକ୍ୟ ଏକ ଅଧିକାର । କିନ୍ତୁ ଏହି ଅଧିକାର ସାବ୍ୟସ୍ତ କରିବା ସମୟରେ ନିର୍ବାଚିତ ଲୋକ ପ୍ରତନିଧିମାନେ ଶାଳୀନତାକୁ ଭୁଲିଯିବା ଉଚିତ ନୁହେଁ । କୌଣସି ପରିସ୍ଥିତିରେ ଗଣତାନ୍ତ୍ରୀକ ଶାଳିତନା ଉପରେ ମତ ପ୍ରାର୍ଥକ୍ୟର ଅଧିକାର ଭାରି ପଡିବା ଗ୍ରହଣୀୟ ନୁହେଁ । ନିର୍ବାଚିତ ଲୋକ ପ୍ରତିନିଧିମାନେ ସଂଯମ ଓ ଶାଳୀନତା ରକ୍ଷା କରନ୍ତୁ । ନିଜେ ସରଳ ଜୀବନଯାପନ କରିବା ସହ ସାଧାରଣ ଲୋକଙ୍କ ପ୍ରତି ସହାନୁଭୂତିଶୀଳ ହେଲେ ଯାଇ ରାଜ୍ୟର ବିକାଶ ହେବ । ଓଡିଶା ବିଧାନସଭା ଓ ଲୋକସଭା ସଚିବାଳୟ ପକ୍ଷରୁ ଷୋଡ଼ଶ ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ଏକ କର୍ମଶାଳାରେ ଆଜି ଏହି ମନ୍ତ୍ର ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଧାୟକମାନେ ସେମାନଙ୍କ ଆଚରଣରେ ସରଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଣତନ୍ତ୍ରରେ ଭିନ୍ନ ମତ ରଖିବା ସମସ୍ତଙ୍କ ପାଇଁ ଏକ ଅଧିକାର । ତେବେ ଏହି ଅଧିକାର ସାବ୍ୟସ୍ତ କରିବା ବେଳେ ବିଧାୟକମାନେ ଶାଳୀନତା ଭୁଲିଯିବା ଠିକ୍ ନୁହେଁ । ଭାରତବର୍ଷର ବିବିଧତା ମଧ୍ୟରେ ଦେଶର ଗଣତନ୍ତ୍ର ଦିନକୁ ଦିନ ସୁଦୃଢ଼ ହେଉଛି । ଗଣତନ୍ତ୍ରର ଏହି ସଫଳତାର ଶ୍ରେୟ ହେଉଛନ୍ତି ସାଧାରଣ ଜନତା । ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ସେମାନଙ୍କ ବିଶ୍ବାସ ଯୋଗୁଁ ଏହା ସମ୍ଭବ ହୋଇଛି । ଯେକୌଣସି ପରିସ୍ଥିତିରେ ମଧ୍ୟ ସାଧାରଣ ଜନତା ହେଉଛନ୍ତି ପ୍ରକୃତ ମାଷ୍ଟର । ନିର୍ବାଚିତ ଲୋକପ୍ରତିନିଧିମାନେ ଏହାକୁ ଭଲ ଭାବେ ହୃଦୟଙ୍ଗମ କରି ସାଧାରଣ ଜନତାଙ୍କୁ ସବୁ କାର୍ଯ୍ୟର କେନ୍ଦ୍ରରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବିଧାୟକଙ୍କୁ ସେମାନଙ୍କ ଦାୟିତ୍ବ ବୁଝାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଧାୟକମାନଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ପ୍ରଣୟନ କରିବା । ସେଥିପାଇଁ ବିଧାନସଭା କାର୍ଯ୍ୟବିଧି ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ସହ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗ ଏବଂ ନୀତି ନିୟମ ବୁଝିବା ଦରକାର । ବିଧାୟକମାନେ ଏସବୁ ବୁଝି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଲେ ଯାଇ ପରିବର୍ତ୍ତନରେ ସେମାନଙ୍କର ପ୍ରକୃତ ସହଭାଗିତା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପାଇଁ ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଉଛି ସେମାନେ ନିଜକୁ ଏକ ଉଦାହାରଣ ଭାବେ ସୃଷ୍ଟି କରିବା ଉଚିତ । ସାଧାରଣରେ ଲୋକ ପ୍ରତିନିଧିମାନେ ସରଳ ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଲୋକଙ୍କ ସହ ଯୋଡି ହୋଇପାରିବେ ।
ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପ୍ରାଇଡ଼ ଲୋକସଭାର ନିର୍ଦ୍ଦେଶକ ପୁଲିନ୍ ଭୂତିଆ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ଭାଷଣ ଦେଇଥିଲେ ।