ମୋଦିଙ୍କ ରାଲି ବନାମ ମିଶନ ଶକ୍ତି ସମ୍ମିଳନୀ
ଭୁବନେଶ୍ବର () ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି । ଜାନୁଆରୀ ପ୍ରଥମ ସପ୍ତାହରୁ ଏହା ଆରମ୍ଭ ହେଉଛି । ଆସନ୍ତା 5 ତାରିଖରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ ସେହିଦିନ ରାଜ୍ୟ ସରକାରଙ୍କ ତରଫରୁ ସମାନ୍ତରାଳ ଭାବେ ପୁରୀରେ ଆୟୋଜିତ ହେଉଛି ଆଉ ଏକ କାର୍ଯ୍ୟକ୍ରମ ।
ବାରିପଦାରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଲୋକର୍ପଣ ସାଙ୍ଗକୁ ଦଳୀୟ ସମାବେଶକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହି ଦିନ ପୂରୀ ଇନଡୋର ହଲରେ ଆୟୋଜିତ ହେବ ସ୍ବୟଂ ସହାୟକ ଗୋଷ୍ଠିର ସମାବେଶ । ଏହି ସମବାେଶରେ 60ହଜାରରୁ ଅଧିକ ମହିଳାଙ୍କୁ ସରକାର ଏକାଠି କରି ସେମାନଙ୍କୁ ମୋବାଇଲ ଓ 15 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଉପକୂଳ ଓଡିଶାରୁ ପ୍ରାୟ 70ହଜାର ସ୍ବୟ ସହାୟକ ଗୋଷ୍ଠୀ ଏହି ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବ ଘୋଷଣା ଅନୁଯାୟୀ ସ୍ବୟଂ ସହାୟକ ଗୋଷ୍ଠିକୁ ମୋବାଇଲ ଓ 15ହଜାର ଟଙ୍କା ଦିଆଯିବ । 27ହଜାର ନୂଆ କରି ଗଠିତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ 15ହଜାର ଲେଖାଏଁ ଦିଆଯିବ ଏବଂ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ସିଧାସଳକ ପଠାଯିବ । ସେହିଭଳି ବଳକା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ 3ହଜାର ଟଙ୍କା ଲେଖାଏଁ ମୋବାଇଲ କ୍ରୟ ପାଇଁ ପ୍ରଦାନ କରାଯିବ । ମହିଳାଙ୍କୁ ଡିଜିଟାଲ କରିବାକୁ ଏହି ଉଦ୍ୟମ କରାଯାଉଛି । ପୁରୀ ଜିଲ୍ଲାର ମୋଟ 11ଟି ଫେଡେରେସନ ଏବଂ ପୌରାଞ୍ଚଳରେ ଗୋଟିଏ ମହିଳା ଫେଡେରେସନକୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ।
ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସମାନ୍ତରାଳ ରାଜନୈତିକ ଛକାପଞ୍ଝା ଚାଲିଥିବା ବେଳେ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ, ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଓଡିଶା ଆସୁଛନ୍ତି । ସେହି ଅବସରରେ ଦଳର ମିଶନ 120 ପ୍ଲସ ମିଶନ ଲକ୍ଷ୍ୟ ହାସଲ ପାଇଁ କର୍ମୀଙ୍କୁ ଉତ୍ସାହିତ କରିବେ । ସେପଟେ ବିଜେଡି କହିଛି ରାଜ୍ୟ ସରକାର ମହିଳାଙ୍କ ବିକାଶ, ସ୍ବାସ୍ଥ୍ୟ ସେବା ଓ ଚାଷୀ ଆଦି ସମସ୍ୟାକୁ ନେଇ ନିଜର ଯୋଜନା ଜାରି ରଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟର ସମସ୍ୟା ସଂପର୍କରେ ରାଜ୍ୟବାସୀଙ୍କ ନିକଟରେ ଜବାବ ରଖିବା ଉଚିତ ।