ଚିଠା କୃଷି ନୀତି : ଚାଷୀଙ୍କ ଆୟ ଓ ଜମିର ଉତ୍ପାଦକତା ବୃଦ୍ଧିକୁ ଗୁରୁତ୍ବ
ଭୁବନେଶ୍ବର () ରାଜ୍ୟ ସରକାର କୃଷିକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ ବି ବିଭିନ୍ନ କାରଣରୁ ଓଡିଶାର ଚାଷୀଙ୍କ ରୋଜଗାର କମ । ଯଦିଓ ଗତ 16-17 ବର୍ଷ ମଧ୍ୟରେ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି 4.5 ପ୍ରତିଶତକୁ ଛୁଇଁଛି, ଯାହାକି ଜାତୀୟ ହାର 3.1ଠାରୁ ଅଧିକ, ଚାଷୀଙ୍କ ଆୟ କିନ୍ତୁ ସେହି ଅନୁପାତରେ ବଢିନାହିଁ । ପଡୋଶୀ ରାଜ୍ୟଗୁଡିକ ତୁଳନାରେ ଓଡିଶାରେ ହେକ୍ଟର କିଛି ଉତ୍ପାଦନ ଖର୍ଚ୍ଚ ଅଧିକ । କୃଷି ଶ୍ରମିକଙ୍କ ମଜୁରୀ ପ୍ରଦାନରେ ଚାଷୀ ଯେଉଁ ଅନୁପାତରେ ଖର୍ଚ୍ଚ କରେ ଅମଳ ପରେ ସେହି ଅନୁପାତରେ ଲାଭ ହୁଏ ନାହିଁ । ବଜାର ସୁବିଧା ମଧ୍ୟ ନାହିଁ । ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ 2019 କୃଷି ନୀତି ପ୍ରସ୍ତୁତ ହେଉଛି । କୃଷିର ବିଭିନ୍ନ ଦିଗ ଏପରିକି କୃଷିର ଯନ୍ତ୍ରୀକିକରଣ ଓ ଘରୋଇ ପୁଂଜିନିବେଶର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦେଇ ଚିଠା ନୀତି ପ୍ରସ୍ତୁତ ହୋଇଛି । ଏହା ଉପରେ ବିଭିନ୍ନ ମହଲରୁ ମତାମତ ମଗାଯାଇଛି ।
କୃଷିରେ ରାଜ୍ୟ ସରକାରଙ୍କ ସବୁଠାରୁ ବଡ ଯୋଜନା ହେଉଛି କାଳିଆ । ପ୍ରଥମ କାଳିଆ ଯୋଜନା 5ଟି ଫସଲ ଋତୁ ପାଇଁ ଘୋଷଣା ହୋଇଥିବା ବେଳେ ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । କୃଷି ନୀତିରେ କିନ୍ତୁ 5 ବର୍ଷ ପର୍ଯ୍ୟନ୍ତ କାଳିଆ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ତେବେ ଚିଠା କୃଷି ନୀତିର ଆଧାର ହେଉଛି ‘ସମ୍ବୃଦ୍ଧି’ । ଅର୍ଥାତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇବା, ଉଭୟ ଜାତୀୟ ଆନ୍ତର୍ଜାତିକ ବଜାର ସୁବିଧା ସୃଷ୍ଟି, ଅଧିକ ଉତ୍ପାଦନ ପାଇଁ ଉପବଲବ୍ଧ ପୁଂଜିର ସଠିକ ବ୍ୟବହାର, ଭିତ୍ତିଭୂମୀର ସୃଷ୍ଟି, ମାନବ ସମ୍ବଳର ଦକ୍ଷତା ବୃଦ୍ଧି ସହ ଅନୁଷ୍ଠାର ଦକ୍ଷତା ବୃଦ୍ଧି । କୃଷିର ବିକାଶ ଆଇଁ ଏହାକୁ ଆଧାର କରି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ।
2001 ଓ 2011 ଜନଗଣନା ମଧ୍ୟରେ ରାଜ୍ୟରେ କୃଷି ଶ୍ରମିକଙ୍କ ସଂଖ୍ୟା 9.2 ନିୟୁତରୁ 10.8 ନିୟୁତକୁ ବଢିଛି । ସେପଟେ କିନ୍ତୁ ନିଜସ୍ବ ଜମି ଥିବା ଲୋକଙ୍କ ସଂଖ୍ୟା 4.2 ନିୟୁତରୁ 4.1 ନିୟୁତକୁ କମିଯାଇଛି । ଭୁମିହୀନ ଶ୍ରମକଙ୍କ ସଂଖ୍ୟା ମଧ୍ୟ 5 ନିୟୁତରୁ 6.7 ନିୟୁତକୁ ବଢିଛି । ରାଜ୍ୟରେ ଚାଷୀଙ୍କ ଆୟରେ ମଧ୍ୟ ସମାନତା ନାହିଁ । 30 ଜିଲ୍ଲାରୁ 17 ଜିଲ୍ଲାରେ ଚାଷୀଙ୍କ ବାର୍ଷିକ ଆୟ ରାଜ୍ୟର ହାରାହାରି ଅନୁପାତରୁ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ଚିଠା କୃଷି ନୀତିରେ ଗୁରୁତ୍ବ ଦିଆଯାଇଛି । ଯେଉଁଥିରେ ଚାଷୀଙ୍କ ପୋଷଣୀୟ ଆୟ ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାର ବୃଦ୍ଧି ଏବଂ କୃଷି ଅଭିବୃଦ୍ଧିକୁ ପୋଷଣୀୟ ଓ ସ୍ଥିର କରିବାକୁ ଲକ୍ଷ୍ୟ ରଖାଯାଇଛି ।
କାଳିଆ ଯୋଜନାକୁ ଆହୁରୀ ୫ ବର୍ଷ କାଳ ଚାଲୁ ରଖିବାକୁ ପ୍ରସ୍ତାବ ଦେଇଛି କୃଷି ବିଭାଗ । ଏଥି ସହିତ ମହିଳା ଚାଷୀଙ୍କ ଉପରେ ମଧ୍ୟ ଫୋକସ ଦେଇଛନ୍ତି ରାଜ୍ୟ ସରକାର । କାଳିଆ ଯୋଜନାରେ ଯେଉଁମାନେ ଟଙ୍କା ନେଉଛନ୍ତି ତାକୁ ସେମାନେ କିଭଳି ଭାବରେ ବିନିଯୋଗ କରୁଛନ୍ତି ତା ଉପରେ ମଧ୍ୟ ନଜର ରଖିବାକୁ ଏକ ଦଳ ଗଠନ କରାଯିବ । ଆଉ ଯେଉଁ ଚାଷୀମାନେ କାଳିଆ ଟଙ୍କାରେ ସଫଳତା ପାଇଛନ୍ତି ତଥା ଚାଷୀରେ ଉନ୍ନତି ଘଟିଛି ସେମାନଙ୍କୁ ସରକାର ପୁରସ୍କୃତ କରିବେ ବୋଲି କୁହାଯାଇଛି ।
ସେହିପରି ପ୍ରସ୍ତାବିତ କୃଷି ନୀତିରେ ମହିଳା ଚାଷୀଙ୍କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ମୋଟ ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତ ମହିଳା ଶ୍ରମିକ । ଏଣୁ ସେମାନଙ୍କ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ରାଜ୍ୟରେ ୫ ଲକ୍ଷ ଭୂମିହୀନ ମହିଳା ଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ବତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ଉତଥାନ ପାଇଁ ପଦକ୍ଷେପ ନିଆଯିବ । ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଛି । ସେହିପରି ମହିଳା ଚାଷୀଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ ସରକାର କୃଷି ନୀତିରେ ଗୁରୁତ୍ବ ଦେଇଛନ୍ତି । ମହିଳା ଚାଷୀଙ୍କୁ ତାଲିମ ଦେଇ କୃଷିର ବିକାଶ କ୍ଷେତ୍ରରେ ନିୟୋଜନ କରିବାକୁ ପ୍ରସ୍ତାବ ରହିଛି । ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ। ମହିଳା ଚାଷୀଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର ।