ମଦ ବଦଳରେ ସାନିଟାଇଜର ପିଇ ୯ ମୃତ
ମଦ ବଦଳରେ ସାନିଟାଇଜର ପିଇ ୯ ମୃତ ।ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତ କିଛିଦିନ ଧରି ସାନିଟାଇଜରରେ ପାଣି ଓ ଥଣ୍ଡା ମିଶାଇ ପିଉଥିଲେ ଏହି ୯ ମୃତ ବ୍ୟକ୍ତି ।
ପୁଲିସ କହିବାନୁଯାୟୀ, ଏନେଇ ତଦନ୍ତ ଚାଲିଛି । ସେମାନେ କେବଳ ସାନିଟାଇଜର ପିଇଥିଲେ ନା ସାନିଟାଇଜର ସହ ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରିଥିଲେ ସେନେଇ ବି ତଦନ୍ତ କରଯାଉଛି । ତେବେ ପରିବାରବର୍ଗଙ୍କ କହିବା କଥା ହେଉଛି, ଗତ ୧୦ ଦିନ ଧରି ସେମାନେ ସାନିଟାଇଜର ପିଉଥିଲେ । ଫଳରେ ସାନିଟାଇଜର ନାଁରେ ଚୋରା ମଦ କାରବାର ଚାଲିଥିଲା କି ନେଇ ସେସମ୍ପର୍କରେ ବି ପୁଲିସ ତଦନ୍ତ କରିବ । ସେହି ଅଂଚଳରେ ମିଳୁଥିବା ସାନିଟାଇଜରକୁ ଯାଂଚ କରିବା ପାଇଁ ପଠାଇ ଦିଆଯାଇଛି ବୋଲି ପୁଲିସ ଏସପି ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି । କୁରିଚେଡ଼ୁ ଅଂଚଳରେ ଏବେ ଲକଡାଉନ ଚାଲିଛି । ଗତ କିଛିଦିନ ଧରି ସେଠାରେ ମଦ ଦୋକାନ ବି ବନ୍ଦ ରହିଛି । କିନ୍ତୁ ନିୟମିତ ମଦ ପିଉଥିବା ଲୋକମାନେ ସାନିଟାଇଜରରେ ଆଲକୋହଲ ଥିବାରୁ ତାହାକୁ ପିଉଥିଲେ । ପ୍ରଥମେ ଦୁଇ ଜଣ ଭିକାରୀଙ୍କର ମୃତୁ୍ୟ ହୋଇଥିଲା । ପରେ ଅନ୍ୟମାନେ ମେଡ଼ିକାଲରେ ମୃତୁ୍ୟବରଣ କରିଥିଲେ ।