ବିମୁଦ୍ରାୟନକୁ ଚାରିବର୍ଷ: ବିଶ୍ୱାସଘାତ ଦିବସ ରୂପେ ପାଳନ କଲା କଂଗ୍ରେସ
ଭୁବନେଶ୍ୱର ତା ୮.୧୧- ଆଜିକୁ ଠିକ୍ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତାଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା କରିଥିଲେ ଏବଂ ୫ଶହ ଓ ହଜରେଟଙ୍କିଆ ନୋଟକୁ ସଂପୂର୍ଣ୍ଣଭାବେ ଅଚଳ କରିଦେଇଥିଲେ । ଏହାର କୁପରିଣାମ ସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣରୂପେ ଭୁଷିଡ଼ି ପଡ଼ିଲା । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏଭଳି ଅପରିଣାମଦର୍ଶୀ ନିଷ୍ପତିର କଠୋର ସମାଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିମୁଦ୍ରାୟନକୁ ବିଶ୍ୱାସଘାତ ଦିବସରୂପେ ଅଭିହିତ କରିଥିଲେ ।
ସେ କହିଥିଲେ ଯେ ଯେଉଁ ଉଦ୍ଦେଶ୍ୟ ରଖି ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିଥିଲେ ସେ ଉଦ୍ଦେଶ୍ୟ ସାଧନ ହେଲା ନାହିଁ ପଂରନ୍ତୁ ଦେଶର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ବିଗତ ଚାରିବର୍ଷ ଭିତରେ ସଂପୂର୍ଣ୍ଣରୂପେ ଧୂଳିସାତ ହେଲା । ୨୦୧୪ ମସିହାରେ କେନ୍ଦ୍ରରେ କଂଗ୍ରେସ କ୍ଷମତାରୁ ଯିବା ସମୟରେ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି) ପାଖାପାଖି ୮% ଥିଲା ବେଳେ ନୋଟବନ୍ଦି ପରବର୍ତୀ ଅବସ୍ଥାରେ ଏହା କ୍ରମାଗତ ଭାବେ ହ୍ରାସପାଇ ୨୦୧୯ ମାର୍ଚ୍ଚମାସରେ ୩% କୁ ଚାଲିଆସିଥିଲା ଏବଂ ବର୍ତମାନ କରୋନା ପରବର୍ତୀ ଅବସ୍ଥାରେ ଏହା ବିଯୁକ୍ତ ୨୩%ରେ ପଂହଚିଲାଣି ।
ବିମୁଦ୍ରାୟନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଚାରୋଟି ପ୍ରମୁଖ କାରଣ ଦର୍ଶାଇଥିଲେ ଯଥା: ୧. କଳାଧନ ଉପରେ ରୋକ ଲାଗିବ,୨. ଜାଲିନୋଟ କାରବାର ବନ୍ଦ ହେବ, ୩. ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ୪. ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ହେବ, ଏ ସମସ୍ତ କଥା କେବଳ ଘୋଷଣରେ ହିଁ ରହିଗଲା । ବାସ୍ତବରେ ବିମୁଦ୍ରାୟନ ପରବର୍ତୀ ଅବସ୍ଥାରେ କଳାଧନ ଓ ଜାଲିନୋଟ କାରବାର ବନ୍ଦ ହେବା ପରିବର୍ତେ ଯଥେଷ୍ଟ ବଢ଼ିଥିଲା । ବିମୁଦ୍ରାୟନ ସମୟକୁ ଦେଶରେ ଚଳନ୍ତି ୫ଶହ ଓ ହଜାରେ ଟଙ୍କିଆ ନୋଟ ଯାହାର ପରିମାଣ ୧୫ଲକ୍ଷ ୪୪ ହଜାର କୋଟି ଟଙ୍କା ଥିଲା ସେଥିରୁ ୯୯.୩ ପ୍ରତିଶତ ଯାହାକି ୧୫ଲକ୍ଷ ୩୩ ହଜାର କୋଟି ଟଙ୍କା ରିଜର୍ଭବ୍ୟାଙ୍କକୁ ଫେରିଆସିଥିଲା । ଅର୍ଥାତ ମାତ୍ର ୧୧ହଜାର କୋଟି ଟଙ୍କା ବ୍ୟାଙ୍କ ବ୍ୟବସ୍ଥାକୁ ଫେରିନଥିଲା । କିନ୍ତୁ ନୂଆ ନୋଟ ଛାପିବା ଏବଂ ବିମୁଦ୍ରାୟନ ପରିବର୍ତୀ ପଦକ୍ଷେପ ନେବାରେ ରିଜର୍ଭ ବ୍ୟାଙ୍କ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେଣୁ ଏଭଳି ପଦକ୍ଷେପ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ମୋଦି ସରକାର କୁଠାରଘାତ କରିଥିଲେ ।
ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ । ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ । ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ପାଇବାପାଇଁ ଘଂଟା ଘଂଟା ଧରି ଉପାସ ଭୋକରେ ଏଟିଏମ ଓ ବ୍ୟାଙ୍କ ସମ୍ମୁଖରେ ଦିନ ଦିନ ଧରି ଧାଡ଼ିବାନ୍ଧି ଠିଆହୋଇଥିଲେ । ମୋଦି ସରକାରଙ୍କ ଏଭଳି ନିଷ୍ପତି କେବଳ ପୁଞ୍ଜିପତି ଓ କର୍ପୋରେଟ ଜଗତକୁ ଖୁସି କରିବା ତଥା ନିର୍ବାଚନ ଯିତିବାର ଏକ ସରଳ ଉପାୟ ହୋଇଥିବା ନେଇ ବରିଷ୍ଠ ନେତା ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ ।
ବିଗତ ଚାରିବର୍ଷ ଭିତରେ ବିଜେପି ଶାସିତ ରାଜ୍ୟ ଉତରପ୍ରଦେଶ ଓ ବିହାରରେ ଜାଲି ନୋଟ କାରବାର ଓ ବ୍ୟାଙ୍କ ଠକେଇର ଅଭିଯୋଗରେ ସର୍ବଭାରତୀୟ ସ୍ତରରେ ସବୁଠାରୁ ଆଗରେ ଥିବା ନେଇ କଟାକ୍ଷ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ । ସେ କହିଥିଲେ ଯେ ବିମୁଦ୍ରାୟନ ଭଳି ଅପରିଣାମଦର୍ଶୀ ନିଷ୍ପତିକୁ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ ଏବଂ ଏଭଳି ଅପରିପକ୍ୱ ନିଷ୍ପତି ଯୋଗୁଁ ନରେନ୍ଦ୍ର ମୋଦି ଭାରତବର୍ଷର ଏକ ସୁନ୍ଦର ଓ ସକ୍ଷମ ଅର୍ଥବ୍ୟବସ୍ଥାକୁ ନିମିସେକରେ ନଷ୍ଟ କରିଦେଇଥିଲେ । ନୋଟବନ୍ଦି ଠାରୁ ଏହି ଚାରିବର୍ଷ ଭିତରେ ଦେଶରେ ନକ୍ସଲବାଦ, ଆତଙ୍କବାଦ ଓ ଜାଲିନୋଟ କାରବାର ପୂର୍ବାପେକ୍ଷା ବହୁଗୁଣରେ ବଢ଼ିଛି । କେବଳ ଜାଲି ନୋଟ କାରବାର ୧୨୧ ପ୍ରତିଶତକୁ ବୃଦ୍ଧିପାଇଛି । ଦେଶର ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ୩ପ୍ରତିଶତରୁ ଅଧିକ ବଢ଼ିଛି । ତେଣୁ ନରେନ୍ଦ୍ର ମୋଦିଙ୍କର ଏଭଳି ନିଷ୍ପତି କେବଳ ପ୍ରାଦେଶିକ ନିର୍ବାଚନ ଜିତିବା ପାଇଁ ଉଦିଷ୍ଟ ଥିଲା, ଯାହପାଇଁ ସମଗ୍ର ଦେଶର ଅର୍ଥବ୍ୟବସ୍ଥାକୁ ସେ ରସାତଳକୁ ନେଇଗଲେ । ଆଜି ଆମର ଅର୍ଥ ବ୍ୟବସ୍ଥା ପଡ଼ୋଶୀ ବାଙ୍ଗଲାଦେଶ ଠାରୁ ବି ପଛରେ ପଡ଼ିଛି ।
ଦେଶରେ ବେକାରୀ ଅତି ଉତ୍କଟ ସ୍ତରରେ ପଂହଚିଛି, କଳକାରଖାନା ବନ୍ଦ ହେତୁ ଶ୍ରମିକ ରୋଜଗାର ହରାଇଛି, ଚାଷୀ କ୍ଷତିଗ୍ରସ୍ତ ଏବଂ ଦେଶର ଜିଡିପି ଆଜି ବିଯୁକ୍ତ ୨୩%ରେ ପଂହଚିଛି । ଭାରତ ବର୍ଷର ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦୀର୍ଘ ବର୍ଷର ତପସ୍ୟାକୁ ନରେନ୍ଦ୍ର ମୋଦିଙ୍କ ଗୋଟିଏ ନିଷ୍ପତି ନଷ୍ଟ କରିଦେଇଥିବା ନେଇ ଶ୍ରୀ କାନୁନଗୋ କଠୋର ସମାଲୋଚନା କରିଥିଲେ ।