ଚୁଲିକୁ ଗଲାଣି ଶିକ୍ଷା, ବୈଜୟନ୍ତ ସାଜୁଛନ୍ତି ଶିକ୍ଷକ ନେତା
ଭୁବନେଶ୍ବର () କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି, ଶିକ୍ଷକ ଆନ୍ଦୋଳନ ଏବେ ବହୁ ନେତାଙ୍କୁ ରାଜନୀତିର ମଂଚ ଯୋଗାଇଛି । ବିଜେଡିରୁ ବହିଷ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ବି ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଯେଉଁ ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାରୁ ଫାଇଦା ମାରିବାକୁ ଆଜି ସେମାନଙ୍କ ନିକଟରେ ପହଁଚିଯାଇଛନ୍ତି । ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଉଚିତ ବୋଲି କହିଛନ୍ତି । ବୋଧହୁଏ ବୈଜୟନ୍ତ ବାବୁ ଭୁଲିଯାଉଛନ୍ତି ଯେ, ସେ ଯେଉଁ ବ୍ୟବସ୍ଥା ଆଡେ ଏବେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, କିଛି ମାସ ତଳ ପର୍ଯ୍ୟନ୍ତ ସେହି ବ୍ୟବସ୍ଥାର ସେ ଏକ ବଡ କାର୍ପଟଦାର ଥିଲେ ।
ରାଜ୍ୟରେ ସ୍ବାଧୀନତା ପୂର୍ବ ଏବଂ ସ୍ବାଧୀନତା ପରେ ବିଭିନ୍ନ ସମୟରେ ଭିନ୍ନ ଆଇନ ଓ ନୀତି ବଳରେ ବିଭିନ୍ନ ପ୍ରକାର ସ୍କୁଲ କଲେଜ ଖୋଲିଛି । ଏହାଦ୍ବାରା ଯଦିଓ ସବୁ ପ୍ରକାର ସ୍କୁଲ କଲେଜରେ ନିଯୁକ୍ତିପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକମାନେ ସମାନ କାମ କରୁଛନ୍ତି, କିନ୍ତୁ ଦରମା, ଚାକିରି ସର୍ତ୍ତାବଳୀରେ ତାରତମ୍ୟ ରହିଛି । ଏକଥା ସରକାର ବି ସ୍ବୀକାର କରୁଛନ୍ତି । କିନ୍ତୁ ସବୁ ସମସ୍ୟାର ସମାଧାନ ଏକ ବ୍ୟବସ୍ଥା ଏବଂ ନ୍ୟାୟୋଚିତ ଢଙ୍ଗରେ ହୁଏ । ଏକଥା କଣ ବୈଜୟନ୍ତ ବାବୁଙ୍କୁ ଜଣାନାହିଁ କି । ନା ସବୁ ଜଣି ନଜାଣିବାର ନାଟକ କରୁଛନ୍ତି ।
ଶିକ୍ଷକମାନେ ଯେଉଁ ଦାବି ନେଇ ଆନ୍ଦୋଳନ କରୁଛନ୍ତି ତାହା ନିଶ୍ଚିତ ଭାବେ ଯୁକ୍ତିସଙ୍ଗତ । ଏପରିକି ଶିକ୍ଷକ ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେଉଛି, ଏହା ବି ସ୍ବୀକାର୍ଯ୍ୟ । କିନ୍ତୁ ସରକାରଙ୍କ ବିଧି ବ୍ୟବସ୍ଥା ପ୍ରତି ବିମୁଖ ହୋଇଥିବା କର୍ମଚାରୀ ଓ ବିଭାଗ ମଧ୍ୟରେ ଏକ ଆଲୋଚନାର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉଥିବା ବେଳେ କିଛି ରାଜନୈତିକ ଦଳ ଓ ନେତା ଏଭିତରେ ରାଜନୀତିର ଛୁଙ୍କ ଦେଇ ଶିକ୍ଷକ ସମାଜକୁ ଦଳୀୟ ଭିତ୍ତିରେ ବିବେଚନା କରିବା ବୈଜୟନ୍ତଙ୍କ ପରି ଜଣେ ଅନୁଭବି ଓ ପାରଙ୍ଗମ ରାଜନେତାଙ୍କୁ କଣ ସୁହାଉଛି । ଏଭଳି ପ୍ରଶ୍ନ କରିଛନ୍ତି କିଛି ଶିକ୍ଷାବିତ ।
୭୦ ଓ ୮୦ ଦଶକରେ ରାଜ୍ୟରେ ବେସରକାରୀ ଉଦ୍ୟମରେ ହଜାର ହଜାର ସଂଖ୍ୟାରେ ସ୍କୁଲ, କଲେଜ ଗଢ଼ି ଉଠିଥିଲା। ଏହି ସ୍କୁଲଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ନିଯୁକ୍ତି ପାଇଥିଲେ। ସରକାର ନିର୍ଧାରିତ ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ନିଯୁକ୍ତି ପାଇଥିଲେ। କିନ୍ତୁ ଏହି ଘଟଣା ଯେବେ ପଦାକୁ ଆସିଲା, ସେତେବେଳ ଏହି ବେସରକାରୀ ସ୍କୁଲ, କଲେଜଗୁଡ଼ିକ ଶିକ୍ଷକ ନିଯୁକ୍ତି ନେଇ ‘ୱାଲ ନୋଟିସ’ ଜରିଆରେ ବିଜ୍ଞପ୍ତି ପ୍ରକାଶ କଲେ। ସରକାର ମଧ୍ୟ ଏହି ଶିକ୍ଷକମାନଙ୍କ ପ୍ରତି ସହାନୁଭୂତି ଦେଖାଇ ସରକାରୀ ସରକାରୀ ନୀତି ନିୟମକୁ କୋହଳ କରିଥିଲେ।
ସରକାରୀ ନିୟମ ମୁତାବକ, ବେସରକାରୀ ଶିକ୍ଷାନୁଷ୍ଠାନ ସରକାରଙ୍କ ସହ ଏକ ଚୁକ୍ତି କରିବା ପରେ ସରକାରଙ୍କଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନଓସି) ପାଇଥାନ୍ତି। ସରକାରଙ୍କ କୌଣସି ପ୍ରକାର ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ବ ଖର୍ଚ୍ଚରେ ଅନୁଷ୍ଠାନ ଚଳାଇବା ପାଇଁ ବେସରକାରୀ ଅନୁଷ୍ଠାନଗୁଡ଼ିକ ଚୁକ୍ତି କରିଥାନ୍ତି। କିନ୍ତୁ ସେହି ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ସରକାରୀ ସହାୟତା ଦାବି କରିବା ହିଁ ଏହି ଚୁକ୍ତିର ଖିଲାପି।
କିନ୍ତୁ ସରକାର ପୁଣିଥରେ ଶିକ୍ଷକଙ୍କୁ ସହାନୁଭୂତି ଦୃଷ୍ଟିରେ ଦେଖି ଉକ୍ତ ଶିକ୍ଷକମାନଙ୍କୁ ‘ବ୍ଲକ-ଗ୍ରାଣ୍ଟ’ ଅନୁଦାନ ପ୍ରକ୍ରିୟାରେ ସାମିଲ କରାଇଥିଲେ। କିନ୍ତୁ ବାରମ୍ବାର ଦାବି ଯୋଗୁଁ ସରକାର ଚଳିତ ବର୍ଷ ଜାନୁଆରି ପହିଲାରୁ ‘ବ୍ଳକ ଗ୍ରାଣ୍ଟ’ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଲାଗୁ କଲେ। ୨୦୦୯ ମସିହା ପର୍ଯ୍ୟନ୍ତ ବ୍ଲକଗ୍ରାଣ୍ଟ ପରିସରରେ ଥିବା ସମସ୍ତ ଶିକ୍ଷକ, କର୍ମଚାରୀମାନଙ୍କୁ ଦିଆଯାଉଛି ପୂର୍ଣ୍ଣ ଅନୁଦାନ। ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ୧୦୦୦ କୋଟି ଟଙ୍କାର ବୋଝ ପଡ଼ିଛି। ସ୍କୁଲସ୍ତରରେ ୬୦୦ କୋଟି ଓ କଲେଜସ୍ତରରେ ୪୦୦ କୋଟି ଅନୁଦାନ ଦିଆଯାଉଛି। ଉପକୃତ ହେଉଛନ୍ତି ୨୦,୪୫୮ ଅଧ୍ୟାପକ ଓ ୨୯,୦୦୦ ସ୍କୁଲ କର୍ମଚାରୀ। ପୁଣିଥରେ ଅନ୍ୟାନ୍ୟ ଦାବି ନେଇ ଗତ ୧୬ ଅଗଷ୍ଟରୁ ଧାରଣାରେ ବସିଛନ୍ତି ଶିକ୍ଷକ, ଅଧ୍ୟାପକ। ଦାବି ପୂରଣ କରାଗଲେ ରାଜ୍ୟ ରାଜକୋଷ ଉପରେ ପଡ଼ିବ ୮୦୦ କୋଟି ଟଙ୍କାର ବୋଝ।
ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ରାଜନୀତି କରୁଥିବା ନେତାମାନେ କେବେ ଶିକ୍ଷା ବ୍ୟବସ୍ଥାର ବାସ୍ତବତାକୁ ବୁଝିଛନ୍ତି କି । ଏଥିପାଇଁ ସ୍ବାଧୀନତା ପରଠାରୁ ଯେତେ ସରକାର ଦାୟିତ୍ବରେ ଅଛନ୍ତି ସେମାନେ ଦାୟୀ । ଦାୟୀ ତାଲିକାରୁ କଂଗ୍ରେସ, ବିଜେପି କି ବୈଜୟନ୍ତ ବାବୁ କେହି ବି ବାଦ ପଡୁନାହାଁନ୍ତି ।