କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଚକ୍ଷଣ ଯୋଜନା: ବିଜେଡି ସାଂସଦ ଅମର ପଟ୍ଟନାୟକ
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଅଗ୍ନିପଥ ଯୋଜନାର ସପକ୍ଷରେ ବାହାରିଛନ୍ତି ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ । ତେବେ ସେ ନିଜର ଟୁଇଟରରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଚକ୍ଷଣ ଯୋଜନା। ଦେଶର ସେବା କରିବ ପାଇଁ ଏହି ଯୋଜନା ସିଧାସଳଖ ଯୁବପୀଢ଼ିଙ୍କ ପାଇଁ ସୁଯୋଗ ଆଣିଦେବ। ତେବେ ସହ ଏହି ଅଗ୍ନିବୀରମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲେ ଭଲ ହୁଅନ୍ତା ଏବଂ ସରକାରୀ ଚାକିରି ପାଇଁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିୟମ ହେବା ଉଚିତ ବୋଲି କହିଛନ୍ତି ।
ସେପଟେ ୨୨ବର୍ଷ ବୟସରେ ଚାକିରିରୁ ବିରତି ନେବା ବେଳେ ଅଗ୍ନିବୀରମାନଙ୍କ ହାତରେ ଥିବ ୧୨ ଲକ୍ଷ ଟଙ୍କାର ପାଣ୍ଠି ଏବଂ ନିଜ ସାଧ୍ୟମୁତାବକ ଯୋଗ୍ୟତାପତ୍ର। ପ୍ରତି ଚାରି ବର୍ଷରେ ୭୫% ବିରତି ନେବେ। ସେମାନଙ୍କ ଜାଗାରେ ନୂଆ ତରୁଣ ଯୋଗ ଦେବେ। ପୁଣି ସେମାନଙ୍କ ମଧ୍ୟରୁ ୭୫% ବିରତି ନେବେ। ବିରତି ନେଉଥିବା ଲୋକେ ବିଭିନ୍ନ ଚାକିରି କରିବେ, ସାଧାରଣଲୋକଙ୍କ ସହ ଜୀବନ ବଞ୍ଚିବେ। କିଛି ଘରୋଇ ଉଦ୍ୟୋଗ ଚାକିରିରେ ଏମାନଙ୍କୁ ଅଗ୍ରାଧିକାର ଦେବେ।ସରକାର କହିଛନ୍ତି ଯେ ଅଗ୍ନିବୀର ଭାବେ ଚାରିବର୍ଷର ସେବା ପରେ ଯେଉଁମାନେ ଚାହିଁବେ ଛୋଟ ଛୋଟ ଉଦ୍ୟୋଗପତି ହୋଇପାରିବେ। ସେମାନଙ୍କୁ ଆର୍ଥିକ ପ୍ୟାକେଜ ସହ ବ୍ୟାଙ୍କ ଋଣ ଦେବାର ବ୍ୟବସ୍ଥା ରହିଛି।
ଯେଉଁମାନେ ଅଧିକ ପାଠ ପଢ଼ିବାକୁ ଚାହିଁବେ ସେମାନଙ୍କୁ ୧୨ଶ (+୨) ଶ୍ରେଣୀର ସମକକ୍ଷ ପ୍ରମାଣପତ୍ର ମିଳିବ ଏବଂ ନୂଆ ପାଠ୍ୟକ୍ରମ ସହ ଖାପ ଖୁଆଇବା ପାଇଁ ସେମାନଙ୍କ ଲାଗି ଏକ ‘ବ୍ରିଜିଂ କୋର୍ସ’ ଉପଲବ୍ଧ କରାଯିବ। ଯେଉଁମାନେ ଦରମା ମିଳୁଥିବା ଚାକିରି କରିବାକୁ ଚାହିଁବେ ସେମାନଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଓ ରାଜ୍ୟ ପୁଲିସ ବିଭାଗ ନିଯୁକ୍ତିରେ ପ୍ରାଥମିକତା ମିଳିବ। ଅନ୍ୟାନ୍ୟ ଚାକିରି କ୍ଷେତ୍ରରେ ବି ସେମାନଙ୍କ ପାଇଁ ଦ୍ବାର ଖୋଲା ରହିବ। ଆଗମୀ ବର୍ଷମାନଙ୍କରେ ସେନାରେ ଅଗ୍ନିବୀରମାନଙ୍କ ନିଯୁକ୍ତି ବର୍ତ୍ତମାନ ତୁଳନାରେ ପ୍ରାୟ ତିନିଗୁଣ ବଢ଼ିଯିବ। ଅଗ୍ନିବୀରମାନଙ୍କ ମଧ୍ୟରେ ଯେଉଁମାନେ ଶ୍ରେଷ୍ଠ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ। ସରକାର ଆହୁରି କହିଛନ୍ତି ଯେ ଏଭଳି ସ୍ବଳ୍ପକାଳୀନ ନିଯୁକ୍ତି ବ୍ୟବସ୍ଥା ଅନେକ ଦେଶରେ ରହିଛି। ତେଣୁ ଏ ବ୍ୟବସ୍ଥା ପୂର୍ବରୁ ପରୀକ୍ଷିତ ଏବଂ ଯୁବସୁଲଭ ଓ ଚଳଚଞ୍ଚଳ ସେନା ନିମନ୍ତେ ଏହାକୁ ଏକ ଉତ୍ତମ ପରମ୍ପରା ବୋଲି ବିଚାର କରାଯାଉଛି।
କିଛି ଲୋକ ଆଶଙ୍କା କରିଛନ୍ତି ଯେ ୨୧ ବର୍ଷର ଯୁବକ ଚାରିବର୍ଷ ସେନାରେ ଚାକିରି କଲା ପରେ ସଶସ୍ତ୍ର ତାଲିମ ନେଇ ଯେତେବେଳେ ଫେରିବ ସେତେବେଳେ ତାକୁ ଯଦି ଅନ୍ୟ ଚାକିରି ନ ମିଳେ ସେ ହତୋତ୍ସାହିତ ହେବେ ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ହୋଇପାରନ୍ତି। ଏହାର ଉତ୍ତରରେ ସରକାର କହିଛନ୍ତି ଯେ ଏପରି ଚିନ୍ତାଧାରା ଆମ ସଶସ୍ତ୍ର ସେନାର ନୈତିକତା ଓ ମୂଲ୍ୟବୋଧ ପ୍ରତି ଅପମାନ। ଯେଉଁମାନେ ଚାରିବର୍ଷ ୟୁନିଫର୍ମ ପିନ୍ଧିବେ ସେମାନେ ଆଜୀବନ ଦେଶ ପାଇଁ ପ୍ରତିବଦ୍ଧ ରହିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।