Business

ସ୍ମାର୍ଟ ଟେକ୍ନୋଲୋଜି ସହିତ ଜଳ ପରିଚାଳନାରେ ଅଗ୍ରଣୀ ଟାଟା ଷ୍ଟିଲ୍ FAMD

– ରିଅଲ୍ ଟାଇମ୍ ମନିଟରିଂ ଏବଂ ଡାଟା ଆନାଲିଟିକ୍ସ ଯୋଗୁ ଯୋଡା ଫେରୋ ଆଲୋଏଜ ପ୍ଲାଣ୍ଟରେ ଜଳ ବ୍ୟବହାର 40% ହ୍ରାସ
– ସ୍ୱଚ୍ଛ ଜଳ ନିଷ୍କାସନ ଏବଂ କୃଷି କାର୍ଯ୍ୟରେ ଏହାର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରୁଛି ଅତ୍ୟାଧୁନିକ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଳାଣ୍ଟ

ଭୁବନେଶ୍ୱର: ସାରା ବିଶ୍ୱରେ ଜଳ ସଙ୍କଟକୁ ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ସ୍ଥାୟୀ ଜଳ ପରିଚାଳନା ଦିଗରେ ଏକ ଉଲ୍ଲେଖନୀୟ ପ୍ରଦକ୍ଷେପ ଗ୍ରହଣ କରିଛି ଟାଟା ଷ୍ଟିଲ୍‌ର ଫରୋ ଆଲୟଜ୍ ଆଣ୍ଡ୍ ମିନେରାଲ୍‌ସ ଡିଭିଜନ୍ (ଏଫ୍‌ଏଏମ୍‌ଡି)। ଖଣି କାର୍ଯ୍ୟରେ ଜଳ ବ୍ୟବହାର କମ୍ କରିବା ଓ ଜଳ ସଂରକ୍ଷଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅଭିନବ ପଦକ୍ଷେପ ଗ୍ରହଣ କରିବାରେ କମ୍ପାନି ଆଗରେ ରହିଛି।
ଖଣି କାର୍ଯ୍ୟରେ ମାତ୍ରାଧିକ ପରିମାଣର ଜଳ ବ୍ୟବହାର ଜଳ ସମ୍ପଦ ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆଇଓଟି ସେନ୍‌ସର୍‌, ଡାଟା ଆନାଲିଟକ୍ସ ଓ ଅଟୋମେସନ୍‌ ପ୍ରକ୍ରିୟା ଦ୍ଵାରା କମ୍ପାନୀ କାର୍ଯ୍ୟକ୍ଷେତ୍ରରେ ସ୍ମାର୍ଟ ଜଳ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହି ଉନ୍ନତ ବ୍ୟବସ୍ଥା ଦ୍ୱାରା ଜଳ ପ୍ରବାହ, ବଣ୍ଟନ ଓ ବ୍ୟବହାରର ବାସ୍ତବ ସମୟ ନିରୀକ୍ଷଣ ଓ ତଥ୍ୟ ସଂଗ୍ରହ ହୋଇପାରୁଛି, ଯାହା ଫଳରେ ଦକ୍ଷତାରେ ଉନ୍ନତି ହୋଇଥିବା ବେଳେ ବର୍ଜ୍ୟ କମ୍ ହୋଇପାରିଛି।
ବାଙ୍ଗାଲୋରସ୍ଥିତ ଶିଳ୍ପ ଜଳ ପରିଚାଳନା ସଂସ୍ଥା ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜି ଫାର୍ମ ସହ ସହଯୋଗିତା ସ୍ଥାପନ କରି ଜଳ ସର୍କିଟ୍‌ର ଡିଜିଟାଲାଇଜେସନ କରାଯାଇପାରିଛି । ତଥ୍ୟ ସଂଗ୍ରହ ପାଇଁ ଏଫ୍‌ଏଏମ୍‌ଡିର ଭିତିଭୂମିର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସେନ୍‌ସର୍ ଓ ଜଳ ମିଟର ଖଞ୍ଜା ଯାଇଛି। ଏହି ବ୍ୟବସ୍ଥାର ଇଂଟରଆକ୍ଟିଭ୍ ୱେବ୍ ଓ ମୋବାଇଲ୍ ଆପ୍ଲିକେସନ୍ ବାସ୍ତବ ସମୟ ସୂଚନା ପ୍ରଦାନ କରୁଥିବାରୁ ଠିକ୍ ସମୟରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଏହାଦ୍ୱାରା ଜଳ ଉପଯୋଗିତାରେ ପାରଦର୍ଶିତା ଆସିପାରିଛି।
ପାରଦର୍ଶୀ ଜଳ ପରିଚାଳନା ଦିଗରେ କମ୍ପାନି ଗ୍ରହଣ କରିଥିବା ବ୍ୟାପକ ଉଦ୍ୟମ ଉପରେ ଆଲୋକପାତ କରି ଏଫ୍‌ଏଏମ୍‌ଡିର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଜଳ ଏକ ସୀମିତ ସମ୍ବଳ ବୋଲି ଆମେ ସମସ୍ତେ ଜାଣିଛନ୍ତି। ତେଣୁ ଏହାର ପରିଚାଳନା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପରିବେଶ ଦାୟିତ୍ୱ ଓ ଦାୟିତ୍ୱବାନ ସମ୍ବଳ ପରିଚାଳନା ପ୍ରତି ଆମର ପ୍ରତିବଦ୍ଧତା ସ୍ୱରୂପ ସ୍ଥାୟୀ ଜଳ ପରିଚାଳନା ଓ ଜଳ ବ୍ୟବହାରରେ ଉନ୍ନତି ଆଣିବା ଦିଗରେ ଆମେ ଆମ ଦ୍ୱାରା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛୁ। ପ୍ରଯୁକ୍ତିକୁ ବ୍ୟବହାର କରି ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଏହି ଦିଗରେ ଅଧିକ ସମ୍ଭାବନାର ଅନୁସନ୍ଧାନ କରୁଛୁ।’’
ଜଳ ବ୍ୟବହାରରେ ଉନ୍ନତି ଆଣିବା ସହିତ ଟାଟା ଷ୍ଟିଲ୍ ଜଳର ମାନ ପରିଚାଳନାକୁ ମଧ୍ୟ ଗୁରୁତ୍ଵ ଦେଇଛି । ଶିଳ୍ପରୁ ନିଷ୍କାସିତ ଉପଦାନ ଓ ଭୂପୃଷ୍ଠକୁ ସଫା କରିବା ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଘଣ୍ଟା ପ୍ରତି ୪୫୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଏଫ୍ଲୁଏଂଟ୍ ଟ୍ରିଟମେଂଟ୍ ପ୍ଲାଂଟ (ଇଟିପି) ସ୍ଥାପନ କରାଯାଇଛି। କମ୍ପାନିର ସାରୁଅବିଲ ଓ କମର୍ଦା ଖଣିରେ ମଧ୍ୟ ଘଣ୍ଟା ପ୍ରତି ୩୮୦ କିଲୋଲିଟରର୍ ଏକ ଇଟିପି ରହିଛି। ସାରୁଅବିଲ କ୍ରୋମାଇଟ୍ ଖଣିରେ ଘଣ୍ଟା ପ୍ରତି ୧୨୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଆଉ ଏକ ଇଟିପି ସ୍ଥାପନ କରାଯାଉଛି। ଏହି ଇଟିପି, ଶିଳ୍ପରୁ ନିଷ୍କାସିତ.ଜଳ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ସ୍ଥାପନ କରିଥିବା କଠୋର ମାନଦଣ୍ଡକୁ ପୂରଣ କରିବା ସହ କୃଷି କ୍ଷେତ୍ର ଓ ଧୂଳିକଣା ହଟାଇବା ଲାଗି ଏହାର ପୁନଃବ୍ୟବହାରକୁ ସୁନିଶ୍ଚିତ କରୁଛି।
ହେକ୍ସାଭାଲେଣ୍ଟ କ୍ରୋମିୟମ, ଟୋଟାଲ ସସପେଣ୍ଡେଡ ସଲିଡ (ଟିଏସଏସ) ଓ ପିଏଚ ସ୍ତର ପାଇଁ ସେନ୍‌ସର୍ ଅଧାରିତ ଆନାଲାଇଜର ଯୋଗେ ଖଣିରୁ ନିର୍ଗତ ଜଳ ଗୁଣବତ୍ତାର ରିୟଲ ଟାଇମ ମନିଟରିଂ କରାଯାଇପାରୁଛି। ଏଥିସହିତ ବ୍ୟାପକ ପରିବେଶ ନିରୀକ୍ଷଣ ଲାଗି ଜାତୀୟ ପରୀକ୍ଷଣ ଓ କାଲିବ୍ରେସନ ଲାବୋରଟୋରୀ ବୋର୍ଡ (ଏନଏବିଏଲ) ମାନ୍ୟତାପ୍ରାପ୍ତ ତୃତୀୟ ପକ୍ଷ ଏଜେନ୍ସି ସହ ଟାଟା ଷ୍ଟିଲ୍ ସହଯୋଗିତା ସ୍ଥାପନ କରିଛି।
ଏହାସହ ସୁକିନ୍ଦା କ୍ରୋମାଇଟ୍ ଖଣି କଲୋନିରେ ଦୈନିକ ୧୦୦୦ କିଲୋଲିଟର କ୍ଷମତା ବିଶିଷ୍ଟ ସ୍ୱେରେଜ୍ ଟ୍ରିଟମେଂଟ୍ ପ୍ଲାଂଟ୍ (ଏସଟିପି) ସହ ଗ୍ରିଟ୍ ଚେମ୍ବର, ବାୟୁପ୍ରବାହ ନେଟୱାର୍କ, ସେଟିଂ ଟ୍ୟାଙ୍କ, ପ୍ରେସର ଫିଲଟର, ଆକ୍ଟିଭେଟେଡ୍ କାର୍ବନ ଫିଲଟର, କ୍ଲୋରିନେସନ୍‌ ସହିତ ସମ୍ପୂର୍ଣ୍ଣ ଘରୋଇ ନିଷ୍କାସନକୁ ବିଶୋଧନ କରିବା ପାଇଁ ସ୍ଲଜ ଡ୍ରାଇଂ ବେଡ ସ୍ଥାପନ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ଜଳ ଗୁଣବତ୍ତା ମାନଦଣ୍ଡ ପୂରଣ କରିବା ପାଇଁ ଏସଟିପି କାର୍ଯ୍ୟକାରୀ ହେଉଛି ଏବଂ ବିଶୋଧିତ ଜଳ ବୃକ୍ଷରୋପଣ ଏବଂ ବଗିଚା କାମ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।
ଏହାବ୍ୟତୀତ କମ୍ପାନୀ ଯୋଡାସ୍ଥିତ ଫେରୋ ଆଲୟଜ ପ୍ଳାଣ୍ଟରେ (ଏଫଏପି)ରେ ଜଳ ସଂରକ୍ଷଣ ପାଇଁ ଅଭିନବ ସମାଧାନ ବିକଶିତ କରିବା ସହ ଜଳ ବ୍ୟବହାରକୁ ହ୍ରାସ କରିଛି। ବିଶୋଧିତ ବର୍ଜ୍ୟବସ୍ତୁ ଏବଂ ପୋଖରୀ ଜଳର ପୁନଃବ୍ୟବହାର କରି ଏହି କାରଖାନା ଜଳ ବ୍ୟବହାରକୁ ୪୦%ରୁ ଅଧିକ ହ୍ରାସ କରିଛି। ଯାହା ଫଳରେ ଯଥେଷ୍ଟ ଖର୍ଚ୍ଚ ସଂଚୟ ହୋଇପାରିଥିବା ବେଳେ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ମଧ୍ୟ ତାହା ହ୍ରାସ କରିଛି ।

Share

Leave a Reply

Your email address will not be published. Required fields are marked *

nineteen + twelve =