Business

ଟିପିଏନ୍‌ଓଡିଏଲ୍‌ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି ଦ୍ୱାରା ୧,୩୬,୦୦୦ ଗ୍ରାମୀଣ ବାସିନ୍ଦା ଉପକୃତ

ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ଥାନୀୟ ସମୁଦାୟକୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି । ଏହି ପାଂଚଟି ଜିଲ୍ଲାରେ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଚାରିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି (ଏମ୍‌ଏଚ୍‌ଡି) ମୂତୟନ କରାଯାଇଛି । ନିୟମିତ ବ୍ୟବଧାନରେ ସ୍ଥାନୀୟ ଲାଇନ୍ ମ୍ୟାନ୍ ଓ ସଂପୃକ୍ତ ବିଦ୍ୟୁତ ଡିଭିଜନର ଜୁନିୟର ଇଞ୍ଜିନିୟରଙ୍କ ସହଯୋଗରେ ଦୁର୍ଗମ ଗ୍ରାମୀଣ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ପ୍ରତି ସ୍ଥାନରେ ଶିବିର ଆୟୋଜନ ତାରିଖ ବିଷୟରେ ସମୁଦାୟର ଲୋକମାନଙ୍କୁ ପୂର୍ବରୁ ଅବଗତ କରାଯାଉଛି ।
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ନଥିବା ସମୁଦାୟରେ ଲୋକମାନଙ୍କୁ ମାଗଣା ଚିକିତ୍ସା ପରାମର୍ଶ ଓ ଔଷଧ ପ୍ରଦାନ କରିବା ଲାଗି କଂପାନି ପକ୍ଷରୁ ଏହି ଶିବିରଗୁଡ଼ିକରେ ଜଣେ ଯୋଗ୍ୟ ଏମ୍‌ବିବିଏସ୍ ଡାକ୍ତର, ଫାର୍ମାସିଷ୍ଟ୍ ଓ ନର୍ସ ମୂତୟନ କରାଯାଉଛି । ଡାକ୍ତର ଓ ତାଙ୍କ ଦଳ ପକ୍ଷରୁ ଥଣ୍ଡା, କଫ, ଜ୍ୱର, ମୁଣ୍ଡବିନ୍ଧା, ଡେଙ୍ଗୁ, ମାଲେରିଆ ଓ ଅନ୍ୟାନ୍ୟ ରୋଗ ପାଇଁ ଚିକିତ୍ସା ପ୍ରଦାନ କରାଯାଉଛି । ଏହି ମେଡିକାଲ୍ ଦଳ ପକ୍ଷରୁ ପାଂଚଟି ଜିଲ୍ଲାରେ ପ୍ରତିଷେଧମୂଳକ ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ମଧ୍ୟ ଆୟୋଜନ କରାଯାଉଛି । ଜଟିଳ ରୋଗକୁ ପ୍ରତିରୋଧ କରିବାର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ୪୦୦୦ରୁ ଅଧିକ ସମୁଦାୟର ସଦସ୍ୟମାନଙ୍କୁ ସଚେତନ କରାଯାଉଛି ।
ଟିପିଏନ୍‌ଓଡିଏଲ୍ ପକ୍ଷରୁ ୧୦୫୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ଏବଂ ୯୬୦୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା ଓ ମାଗଣା ଔଷଧ ପ୍ରଦାନ କରାଯାଇଛି । ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଦ୍ୱାରା ୧,୩୬,୦୦୦ ଗ୍ରାମୀଣ ବାସିନ୍ଦା ଉପକୃତ ହୋଇଛନ୍ତି । ବହୁବିଧ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ଗ୍ରାମୀଣ ଲୋକଙ୍କ ଜୀବନ ଓ ସମାଜର ସାମଗ୍ରିକ ଉନ୍ନତି ଉପରେ ଟିପିଏନ୍‌ଓଡିଏଲ୍‌ର ବିଶ୍ୱାସ ଥିବା ବେଳେ ସେ ଦିଗରେ କଂପାନି କାର୍ଯ୍ୟ ମଧ୍ୟ କରୁଛି ।
ଏ ସମ୍ପର୍କରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ଆମ ପାରିପାଶ୍ୱିର୍କ ଅଂଚଳରେ ସମୁଦାୟର ଉତମ ସ୍ୱାସ୍ଥ୍ୟ ଓ କଲ୍ୟାଣର ପ୍ରସାର କରିବା ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ । ଟାଟା ସଂସ୍ଥାର ନୀତି ଆଦର୍ଶ ଅନୁସାରେ ଧନ୍ଦାମୂଳକ ତାଲିମ, ଜୀବନଜୀବିକା ପଦକ୍ଷେପ, ନିଯୁକ୍ତି ସୃଷ୍ଟି, ମହିଳା ସଶକ୍ତୀକରଣ, ମେଡିକାଲ୍ ସୁବିଧା ଏବଂ ଗରିବ ଓ ଅନଗ୍ରସର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଆମର ସିଏସ୍‌ଆର୍ କାର୍ଯ୍ୟକ୍ରମ ଜରିଆରେ ଉତର ଓଡ଼ିଶାର ଲୋକମାନଙ୍କ ଜୀବନକୁ ବଦଳାଇବା ଦିଗରେ ଆମେ ସର୍ବଦା କାର୍ଯ୍ୟ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

three + twelve =