5 ରାଜ୍ୟରେ ବିଫଳତା କର୍ମୀଙ୍କୁ କରୁଛି ହତୋତ୍ସାହିତ
ଭୁବନେଶ୍ୱର () ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟର ପ୍ରଭାବ ରାଜ୍ୟ ବିଜେପି ଉପରେ ପଡିଛି । ଫଳାଫଳ ଘୋଷଣା ପୂର୍ବ ପର୍ଯ୍ୟନ୍ତ ଆବଶ୍ୟକତା ଠାରୁ ରାଜନୀତିରେ ଅଧିକ ସକ୍ରିୟ ଥିବା ବିଜେପି ନେତାମାନଙ୍କୁ ସତେ ଯେମିତି ସାପ ଶୁଙ୍ଘି ଦେଇଛି ।
ଆଜି ଦଳୀୟ କାର୍ଯ୍ୟାଳୟ ଖାଁ ଖାଁ ଦିଶୁଥିବା ବେଳେ ବରିଷ୍ଠ ନେତାମାନେ ଏହି ପରାଜୟରେ କେନ୍ଦ୍ରୀୟ ନେତାଙ୍କ ଭୂମିକା ଉପରେ ମୁହଁ ଖୋଲିବାକୁ ନାରାଜ । କିଛି ନେତା ପରୋକ୍ଷରେ ମୋଦି-ଶହ ଯୋଡି ଏବଂ ସେମାନଙ୍କ ନୀତି ପରାଜୟର କାରଣ ବୋଲି ମାନୁଥିଲେ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି ।
ଦଳର ଜାତୀୟ କାର୍ଯ୍ୟକାରିଣୀରେ ସଦସ୍ୟ ଥିବା ଜଣେ ନେତା କହିଛନ୍ତି ଯେ, ତ୍ରୁଟିପୂର୍ଣ୍ଣ ଅର୍ଥନୀତି, କୃଷକଙ୍କ ସମସ୍ୟାକୁ ନଜର ଅନ୍ଦାଜ କରିବା ଏହି ଜାତୀୟ ଦଳର ପରାଜୟର ଅନ୍ୟତମ କାରଣ । ଯଦି କେନ୍ଦ୍ରୀୟ ନେତାଙ୍କ ନୀତିରେ ପରିବର୍ତ୍ତନ ନହୁଏ, ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ଏହାର ନକରାତ୍ମକ ପ୍ରଭାବ ପଡିବ ବୋଲି କିଛି ବରିଷ୍ଠ ନେତା ଆଶଙ୍କା ପ୍ରକାଶ କରିଛନ୍ତି । ଏପରିକି ଏହି ପରାଜୟ ତୃଣମୂଳ ସ୍ତରରେ କର୍ମୀଙ୍କୁ ପ୍ରଭାବିତ କରିଛି, ଆଉ ଏହାର ପ୍ରତିଫଳନ ରାଜ୍ୟ ବିଜେପିର କ୍ଷମତା ଦଖଲର ଆସଫାଳନ ଉପରେ ପଡିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।
ସେହିଭଳି ଦିଲ୍ଲୀ ଢାଞ୍ଚାରେ ପ୍ରଶାସକଙ୍କୁ ରାଜନୀତିକୁ ଆଣି ମୋଦି ଓ ଶାହା ଯେଉଁ ରଣନୀତି କରିଛନ୍ତି ତାହା ଆଗାମୀ ଦିନରେ ଦଳ ପାଇଁ ସାଂଘାତିକ ହେବ । ଯେତେବେଳ 3ଟି ହିନ୍ଦୀ ଭାଷା ରାଜ୍ୟରେ ଦଳ ଭୋଟରଙ୍କ ଆସ୍ଥାଭାଜନ ହୋଇପାରୁନାହାଁ, ସେତେବେଳେ ସରକାର ବିରୋଧି ହାବା ନଥିବା ବିଜେଡିକୁ 2019ରେ କାଉଣ୍ଟର କରିବା ସହଜ ହେବନି ।