ପାରାଦୀପରୁ ଭିଏତନାମ ଓ ପୂର୍ବଏସିଆକୁ ରପ୍ତାନି ହେବ ସିନ୍ଥେଟିକ ସୂତା
ଭୁବନେଶ୍ବର () ପୂର୍ବ ଏସୀୟ ଦେଶ ଗୁଡିକ ସହ ଓଡିଶାର ସମ୍ବନ୍ଧ ବହୁ ପୁରୁଣା ଓ ସମୁଦ୍ର ହିଁ ଉଭୟ ଭୂଖଣ୍ଡର ସମ୍ପର୍କର ଆଧାର ବୋଲି ତୃତୀୟ ପୂର୍ବଏସିଆ ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମାରୋହରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଓଡିଆ ମାନଙ୍କର ଦରିଆପାରି ଦେଶ ମାନଙ୍କ ସହ ବାଣିଜ୍ୟ ବିଶେଷ ଭାବେ ବସ୍ତ୍ର, ମସଲା ରପ୍ତାନୀର ଲମ୍ବା ଇତିହାସ ରହିଛି । ଓଡିଶାର କିମ୍ବଦନ୍ତୀ, ସାହିତ୍ୟ, ଧର୍ମ, ସ୍ଥାପତ୍ୟର ସମ୍ପର୍କ ପୂର୍ବ ଏସୀୟ ଦେଶ ମାନଙ୍କ ସହ ଏତେ ମାତ୍ରାରେ ଜଡିତ ହୋଇ ରହିଛି, ଏଗୁଡିକ ସମ୍ବନ୍ଧରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି । ଆଜି ବି ବାଲି ଯାତ୍ରା ମାଧ୍ୟମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ତଥା ଅତୀତର ଅର୍ଥନୈତିକ ସଫଳତରା ସ୍ମୃତି ଆକାରରେ ପାଳନ କରା ଯାଉଛି । ଓଡିଶାରେ ଡଙ୍ଗା ଭସା ପରି ଥାଇଲ୍ୟାଣ୍ଡରେ ଲୋୟକ୍ରାଥମ ପରି ପାରମ୍ପାରିକ ଡଙ୍ଗା ଭସା ଉତ୍ସବରେ ସେ ଯୋଗ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଆସିଆନ୍ ଏବଂ ପୂର୍ବଏସୀୟ ରାଷ୍ଟ୍ରଗୁଡିକ ସହ ଭାରତ ସମ୍ପର୍କ ବୃଦ୍ଧି କରିବା ଲାଗି ଅହରହ ଉଦ୍ୟମ ଚଳାଇଛି । ସଂଯୋଗୀକରଣକୁ ଅଗ୍ରପ୍ରଧାନ୍ୟ ଦିଆଯାଇଛି । ବିଶେଷ କରି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହ ସଡକ, ବାୟୁ ଏବଂ ଜଳପଥରେ ସଂଯୋଗୀକରଣ ବୃଦ୍ଧି କରିବା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଗୁରୁତ୍ବ ଦେଉଛନ୍ତି । ସାମୁଦ୍ରିକ ବାଣିଜ୍ୟ ଏବେ ଧିରେ ଧିରେ ବୃଦ୍ଧି ପାଉଥିବାରୁ ସରକାର “ନୀଳ ଅର୍ଥବ୍ୟବସ୍ଥା”କୁ ପ୍ରାଧାନ୍ୟ ଦେଉଛନ୍ତି ।
ସାମୁଦ୍ରିକ ବାଣିଜ୍ୟ ସମ୍ବନ୍ଧ ବଢ଼ାଇବାକୁ ହେଲେ ଆମର ସମୁଦ୍ର ପଥକୁ ଜଳଦସ୍ୟୁ ଏବଂ ବିଭିନ୍ନ ପ୍ରକାର ଆପଦବିପଦରୁ ସୁରକ୍ଷିତ ରଖିବାକୁ ପଡିବ । ଏଥିଲାଗି ଭାରତର ନୌବାହିନୀ ନୀଳ ଅର୍ଥ ବ୍ୟବସ୍ଥାକୁ ବଳ ଯୋଗାଉଛି ଏବଂ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ଦିଗରେ ସକ୍ରିୟ ପଦକ୍ଷେପ ନେଉଛି । ସବୁ ମିତ୍ର ରାଷ୍ଟ୍ରମାନଙ୍କର ସହଯୋଗରେ ସାମୁଦ୍ରିକ ବାଣିଜ୍ୟକୁ ସୁଗମ କରିବା ଲାଗି ପଦକ୍ଷେପ ନିଆଯାଉଛି । ସାମୁଦ୍ରିକ ବାଣିଜ୍ୟ ବୃଦ୍ଧି ଲାଗି ବନ୍ଦରଭିତିକ ବିକାଶକୁ ତାଙ୍କ ସରକାର ଗୁରୁତ୍ବ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଭାରତ ମହାସାଗରରେ ଆମ ଦେଶର ନିଧାର୍ଯ୍ୟ ଆର୍ଥିକ ଜୋନର ସୀମା ଅନେକ ଅଂଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହାର ସୁରକ୍ଷା ସହ ପୂର୍ବଏସୀୟ ରାଷ୍ଟ୍ରମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ତଥା ସବୁ ଅଂଚଳର ସାମଗ୍ରୀକ ବିକାଶ ଲାଗି ପ୍ରଧାନମନ୍ତ୍ରୀ “ସାଗର” ନୀତିର ପରିକଳ୍ପନା କରିଛନ୍ତି । ଏହାର ଅର୍ଥ ହେଲା ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର ଅଲ ଇନ ଦ ରିଜନ (ସାଗର) । ସେ କହିଛନ୍ତି ଯେ ପୂର୍ବ ଉପକୂଳରେ ଓଡ଼ିଶାର ପାରାଦୀପ ଏବଂ ଧାମରା ବନ୍ଦରର ବିକାଶ ଲାଗି ୨୦୦୦ କୋଟି ଡଲାରର ପୁଞ୍ଜି ନିବେଶ ହେବାକୁ ଯାଉଛି । ପାରାଦୀପରେ ପେଟ୍ରୋ ରସାୟନ ଉଦ୍ୟୋଗର ବିକାଶ ହେଉଛି । ଏଠାରୁ ପ୍ରସ୍ତୁତ ସିନ୍ଥେଟିକ ସୂତା ସିଧାସଳଖ ଭିଏତନାମ ଏବଂ ଅନ୍ୟାନ୍ୟ ପୂର୍ବ ଏସୀୟ ରାଷ୍ଟ୍ରରେ ସମୁଦ୍ର ପଥରେ ପହଂଚିବ । ଯାହାକି ସେଠାରେ ବୟନ ଉଦ୍ୟୋଗର ବିକାଶ ହେବ ।