ଟିସିଏସ୍ ଇନ୍କ୍ୱିଜିଟିଭ୍ ୨୦୨୪ର ଜାତୀୟ ବିଜେତା ହେଲେ କେରଳର ନବମ ଶ୍ରେଣୀ ଛାତ୍ର ଆଦିତ୍ୟ କେବି
ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ପକ୍ଷରୁ ଏହାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଟିସିଏସ୍ ଇନ୍କ୍ୱିଜିଟିଭ୍ ୨୦୨୪ର ବିଜେତା ଘୋଷଣା କରାଯାଇଛି। କେରଳର ଥ୍ରିସୂର ସ୍ଥିତ ବିଜୟଗିରି ପବ୍ଲିକ୍ ସ୍କୁଲ୍ର ନବମ ଶ୍ରେଣୀ ଛାତ୍ର ଆଦିତ୍ୟ କେବି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଜାତୀୟ ଚମ୍ପିଆନ୍ ହୋଇଛନ୍ତି। ଭୁବନେଶ୍ୱରର ଡିଏଭି ପବ୍ଳିକ୍ ସ୍କୁଲର ଛାତ୍ର ଦିବ୍ୟଜ୍ୟୋତି ସେନାପତି ପ୍ରଥମ ଉପ ବିଜେତା ହୋଇଥିବା ବେଳେ ତାମିଲନାଡୁର ଚେନ୍ନାଇ ସ୍ଥିତ ଏ ଏମ୍ ଏମ୍ ସ୍କୁଲ୍ର ଆର୍ଯ୍ୟନ ଘୋଷ ଦ୍ୱିତୀୟ ଉପ ବିଜେତା ହୋଇଛି।
ଟିସିଏସ୍ ଇନ୍କ୍ୱିଜିଟିଭ୍ ୨୦୨୪ରେ ସାରା ଭାରତର ୭୦୦ରୁ ଅଧିକ ସ୍କୁଲ୍ର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ୧୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କୁଇଜ୍ର ଲକ୍ଷ୍ୟ ହେଉଛି ବୌଦ୍ଧିକ ଉତ୍ସାହ ଜାଗ୍ରତ କରିବା ଏବଂ ସୂଚନା ପ୍ରଯୁକ୍ତି, ବିଜ୍ଞାନ, କ୍ରୀଡ଼ା, ଇଞ୍ଜିନିୟରିଂ ଓ କଳା ଭଳି କ୍ଷେତ୍ରରେ ସଚେତନତାର ପ୍ରସାର କରିବା। ପିକ୍ବ୍ରେନ୍ ଭାବେ ପରିଚିତ ଗିରି ବାଲାସୁବ୍ରମଣ୍ୟମ ଏହି କୁଇଜ୍ ପ୍ରତିଯୋଗିତାର ଜାତୀୟ ଫାଇନାଲ୍କୁ ପରିଚାଳନା କରିଥିଲେ ଯେଉଁଥିରେ ଆଠ ଫାଇନାଲିଷ୍ଟ ଭାଗ ନେଇଥିଲେ।
ଟିସିଏସ୍ର ମୁଖ୍ୟ ବିତ ଅଧିକାରୀ ସମୀର ସେକସାରିଆ କହିଛନ୍ତି ଯେ, “ଚଳିତ ବର୍ଷ ଟିସିଏସ୍ ଇନ୍କ୍ୱିଜିଟିଭ୍ର ପ୍ରତିଭାମାନଙ୍କୁ ଦେଖି ମୁଁ ଉଲ୍ଲସିତ। ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜ୍ଞାନ, ବିଶ୍ୱାସ ଓ ଉତ୍ସାହର ଅତୁଳନୀୟ ଗଭୀରତା ପ୍ରଦର୍ଶନ କରିଥିବା ବେଳେ ଆମକୁ ଶିଖିବା ଓ ଗ୍ରହଣ କରିବା ଲାଗି ଅନୁପ୍ରାଣିତ କରିଥିଲେ। ତ୍ୱରିତ ଭାବନା ଓ ଏହି ଜଟିଳ ବିଷୟ ଉପରେ ଆଲୋଚନା ବାସ୍ତବରେ ବେଶ୍ ପ୍ରେରଣାଦାୟୀ ଥିଲା। ଏହା ଆଗକୁ ଆଗମୀ ଦିନର ଉଜ୍ୱଳ ଭବିଷ୍ୟତ ଓ ଭାରତରେ ଥିବା ଅତଳୁନୀୟ ପ୍ରତିଭା ବିଷୟରେ ଅବଗତ କରିଛି। ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ।’’
୨୦୨୪ରେ ଟିସିଏସ୍ ଇନ୍କ୍ୱିଜିଟିଭ୍କୁ ହାଇଦ୍ରାବାଦ, ବେଙ୍ଗାଲୁରୁ, ଇନ୍ଦୋର, ଚେନ୍ନାଇ, ନାଗପୁର, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ୱର, ମୁମ୍ବାଇ, ପୁନେ, ଦିଲ୍ଲୀ ଓ କୋଚି ଭଳି ୧୨ଟି ସହରରେ ଆୟୋଜନ କରାଯାଇଥିଲା