Business

ଟାଟା ପାୱାର୍ ଓଡ଼ିଶା ଡିସ୍‌କମ୍ ପକ୍ଷରୁ ବାତ୍ୟା ‘ଦାନା’ ପରବର୍ତୀ ବିଦ୍ୟୁତ୍ ନେଟ୍‌ୱର୍କ ପୁନରୁଦ୍ଧାର ତ୍ୱରାନ୍ୱିତ

ଭୁବନେଶ୍ୱର: ବାତ୍ୟା ‘ଦାନା’ ର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଦ୍ୟୁତ ନେଟୱର୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଭାବିତ ଅଂଚଳରେ ବିଦ୍ୟୁତ୍ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ଗୁଡ଼ିକ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି।
ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଆଖପାଖ ଅଂଚଳରେ ବିଦ୍ୟୁତ୍ ଭିତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ୱେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌), ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏବଂ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ର ୧୫୦୦୦ ଉତ୍ସର୍ଗୀକୃତ ଲାଇନମ୍ୟାନ୍ ଏବଂ ଇଞ୍ଜିନିୟରମାନେ ସରକାରୀ ଏଜେନ୍ସି ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ପବନର ବେଗ କମିବା ପରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଯାହା ଦ୍ୱାରା ଡିସକମ୍‌ଗୁଡ଼ିକର ଟିମ୍ ସୁରକ୍ଷିତ ଭାବେ ମରାମତି ଆରମ୍ଭ କରିପାରିଥିଲେ।
ଗତ ଅକ୍ଟୋବର ୨୪ ତାରିଖରେ ବାତ୍ୟାର ପ୍ରକୋପ କମିବା ମାତ୍ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାଫଳରେ ଡିସକମ୍‌ଗୁଡ଼ିକର ଟିମ୍ ସୁରକ୍ଷିତ ଭାବେ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ) ଏବଂ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ଓଡ୍ରାଫ୍‌)ର ନିରନ୍ତର ସହଯୋଗରେ ଓଡ଼ିଶା ସରକାରୀ ଅଧିକାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ଏହି ଅଭିଯାନକୁ ତଦାରଖ କରୁଛନ୍ତି।
ଜଳବନ୍ଦୀ ଅଂଚଳ ଓ ରାସ୍ତା ଅବରୋଧ ସମେତ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ୱେ ଅନ୍ୟାନ୍ୟ ଏଜେନ୍ସି ସହ ଏହି ଲାଇନମ୍ୟାନ୍ ଓ ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡିସକମ୍‌ଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଭାବିତ ତିନୋଟି ଡିସକମ୍‌ର ବରିଷ୍ଠ ଅଧିକାରୀମାନେ ସମସ୍ତ ପ୍ରଭାବିତ ଅଂଚଳର କାର୍ଯ୍ୟ ଅଗ୍ରଗତି ଉପରେ ସକ୍ରିୟ ନଜର ରଖିଛନ୍ତି।
ବାତ୍ୟା ‘ଦାନା’ ପୂର୍ବରୁ ସମସ୍ତ ଡିସକମ୍ ପକ୍ଷରୁ ବାତ୍ୟା ସମୟରେ ବିଦ୍ୟୁତସୁରକ୍ଷା ନେଇ ଜନସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଯେକୌଣସି ସହାୟତା ପାଇଁ ଜନସାଧାରଣ ଚବିଶ ଘଂଟିଆ ଟୋଲ ଫ୍ରି ହେଲପଲାଇନ ୧୯୧୨ ମାଧ୍ୟମରେ ଯୋଗାଯୋଗ କରିପାରିବେ।
ଟାଟା ପାୱାର ନେତୃତ୍ୱାଧୀନ ଡିସକମ୍‌ଗୁଡ଼ିକ ଏହି ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭରସାଯୋଗ୍ୟ ବିଜୁଳି ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ।

Share

Leave a Reply

Your email address will not be published. Required fields are marked *

thirteen − three =