Business

ହୋଣ୍ଡା ରେସିଂ ଇଣ୍ଡିଆର ମୋହସିନ ପରମବାନ ଜିତିଲେ ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌

ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଯାଇଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପର ଏନ୍‌ଏସ୍‌ଏଫ୍‌୨୫୦ଆରର ୨୦୨୪ ସିଜନ୍ ଶେଷ ହୋଇଛି। ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ରାଇଡର୍‌ମାନେ ଚମତ୍କାର ପ୍ରଦର୍ଶନ କରିବା ସହ ନୂତନ ମାନଦଣ୍ଡ ନିର୍ଧାରଣ କରିଛନ୍ତି ଏବଂ ଆଗାମୀ ସିଜନ୍ ଲାଗି ମୂଲ୍ୟବାନ ଅନୁଭୂତି ହାସଲ କରିଛନ୍ତି।
ଏହି ସିଜନ୍ ସାରା ନିଜର ଆଧିପତ୍ୟ ବଜାୟ ରଖିଥିବା ମାଲାପୂରମ୍‌ର ମୋହସିନ ପରମବାନ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଜୟ ହାସଲ କରିଛନ୍ତି। ଏହି ସାରା ଋତୁରେ ମୋହସିନ ୧୦ଟି ରେସ୍‌ରୁ ସାତଟିରେ ବିଜୟ ଲାଭ କରିଛନ୍ତି।
ଆଠ ଲ୍ୟାପ୍ ବିଶିଷ୍ଟ ଏହି ରେସ୍‌ରେ ମୋହସିନ୍ ଦୃଢ଼ ଆରମ୍ଭ କରିଥିଲେ। ମାତ୍ର ତାଙ୍କ ମେସିନ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା ଯେଉଁଥି ପାଇଁ ସେ ମନ୍ଥର ହୋଇଯାଇଥିଲେ। ସେହି ସମୟରେ ସାଭିଆନ୍ ସାବୁ ଦୃଢ଼ ନିଷ୍ପତି ନେଇ ଆଗକୁ ବଢ଼ିବା ସହ ପ୍ରତିଦ୍ୱନ୍ଦ୍ୱିତାକୁ ଆହୁରି କଡ଼ାକଡ଼ି କରିଥିଲେ। ଚୂଡ଼ାନ୍ତ ରେସ୍‌ରେ ସାଭିଆନ୍ ଚମତ୍କାର ପ୍ରଦର୍ଶନ କରି ୧୫:୦୩.୮୦୯ ସମୟ ନେଇ ଚୂଡ଼ାନ୍ତ ରେଖା ଅତିକ୍ରମ କରିଥିଲେ। ତାଙ୍କ ଶ୍ରେଷ୍ଠ ଲ୍ୟାପ୍ ସମୟ ଥିଲା ୧:୫୧.୨୬୦। ଏହି ବର୍ଗରେ ସାଭିଆନ୍ ଜଣେ ପ୍ରତିଭାବାନ ରାଇଡର ଭାବେ ଉଭା ହୋଇଛନ୍ତି।
ଏହି ରେସ୍‌ରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମୋହସିନ ପରମବାନ ୧୫:୧୦.୮୭୬ ସମୟ ନେଇ ରେସ୍ ଶେଷ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ଶ୍ରେଷ୍ଠ ଲ୍ୟାପ୍ ସମୟ ଥିଲା ୧:୫୨.୧୭୧।
ମୋହସିନଙ୍କ ପରେ ବିଦାନି ରାଜିନ୍ଦର ଅନ୍ୟମାନଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ସହ ପୋଡିୟମରେ ସ୍ଥାନ ହାସଲ କରିଥିଲେ। ସେ ୧୫:୧୦.୮୭୬ ସମୟ ନେଇ ରେସ୍ ଶେଷ କରିଥିଲେ ଏବଂ ତାଙ୍କ ଶ୍ରେଷ୍ଠ ଲ୍ୟାପ୍ ସମୟ ଥିଲା ୧:୫୨.୬୫୪।
ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନସିପ ଲାଗି ପରବର୍ତୀ ପିଢ଼ିର ରାଇଡର ବିକାଶ ଓ ସମୃଦ୍ଧ କରିବା ଲାଗି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ହେଉଛି ଏକ ସମ୍ମାନଜନକ ମଂଚ। ରେସିଂରେ ଉଚ୍ଚ ସ୍ତରକୁ ଯିବା ଲାଗି ଯୁବ ରାଇଡରମାନଙ୍କ ଲାଗି ଏହା ହେଉଛି ମୁଳଦୁଆ। ମୋଟୋ୩ ରେସିଂ ଲାଗି ବିକାଶ କରାଯାଇଥିବା ହୋଣ୍ଡା ଏନଏସଏଫ୨୫୦ଆର ମୋଟରସାଇକଲକୁ ପ୍ରତିଯୋଗୀମାନେ ଏହି ରେସରେ ବ୍ୟବହାର କରୁଛନ୍ତି। ଏହି ଚାମ୍ପିଅନସିପର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତିଭାବାନ ରାଇଡରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଫେସନାଲ ତାଲିମ ଦେବା। ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଭାରତର ଯୁବ ରାଇଡରମାନଙ୍କ ଲାଗି ପ୍ରଫେସନାଲ ମୋଟରସାଇକଲ ରେସିଂରେ ପ୍ରବେଶ କରିବାର ପଥରେ ପରିଣତ ହୋଇଛି।
୨୦୨୪ ଋତୁରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ ୧୪-୧୬ ମଧ୍ୟରେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଥିଲା। ସେହି ସମାନ ସ୍ଥାନରେ ଅକ୍ଟୋବର ୫-୬ରେ ପଂଚମ ରାଉଣ୍ଡ ଅନୁଷ୍ଠିତ ହୋଇଛି।

Share

Leave a Reply

Your email address will not be published. Required fields are marked *

seventeen − twelve =