Latestଜାତୀୟ

ମଣିପାଲ ବିଶ୍ୱବିଦ୍ୟାଳୟ ଜୟପୁରରେ ନମୁନା ମିଳିତ ଜାତିସଂଘର ଏକାଦଶ ଅଧିବେଶନ ଆୟୋଜିତ


ଜୟପୁର () ଜାତିସଂଘର ବହୁ ପ୍ରତୀକ୍ଷିତ ମଡେଲ ୟୁନାଇଟେଡ୍ ନେସନ୍ ବା ନମୁନା ମିଳିତ ଜାତିସଂଘ ସମ୍ମିଳନୀ, ରାଜସ୍ଥାନର ଜୟପୁର ସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ ସଫଳତାର ସହ ଆୟୋଜିତ ହୋଇଛି । ସେପ୍ଟେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ବାର୍ଷିକ ସମ୍ମିଳନୀ – ଏମୟୁଜେମୁନ୍ ମାଧ୍ୟମରେ କୂଟନୈତିକ ଆଲୋଚନା ଓ ତର୍କର ମୂଳ ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି ସମ୍ମିଳନୀରେ ସାରା ଦେଶରୁ ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ସାତଟି କମିଟିରେ ତିନି ଶହରୁ ଅଧିକ ପ୍ରତିନିଧି ସେମାନଙ୍କ ମତମତା ସଫଳତାର ସହ ଉପସ୍ଥାପନ କରିଥିଲେ ।

ମଣିପାଲ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମିଡିଆ ଆଣ୍ଡ୍ କମ୍ୟୁନିକେସନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ, କଳା ବିଭାଗର ମୁଖ୍ୟ ପ୍ରଫେସର ଡକ୍ଚର ଆନ୍ଥୋନୀ ସବରୀ ରାଜ, ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଅବନୀଶ କୁମାର, ଅନ୍ୟ ବରିଷ୍ଠ ପ୍ରାଧ୍ୟାପକ ଓ ଏମୟୁଜେମୁନ୍ ସଦସ୍ୟମାନେ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ । ପ୍ରଫେସର ଡକ୍ଟର ନାହାକ, ବିଶ୍ୱଶାନ୍ତିରେ ଯୁବସମାଜର ଭୁମିକା ଉପରେ ଗୁରୁତ୍ୱାରୋପ କରିବା ସହ ପରସ୍ପରକୁ ସମ୍ମାନ, ସମନ୍ୱୟ, ସମାନତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଓ ବିଶ୍ୱଭ୍ରାତୃତ୍ୱକୁ ପ୍ରାଧାନ୍ୟ ଦେଇଥିଲେ । ମଡେଲ ୟୁନାଇଟେଡ୍ ନେସନ୍ ଆଗାମୀ ଦିନରେ ବିଶ୍ୱ ନେତୃତ୍ୱ ସୃଷ୍ଟି ସାଙ୍ଗକୁ ଯୁବପିଢ଼ୀଙ୍କୁ କୂଟନୈତିକ ଦକ୍ଷତା ଅର୍ଜନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ ।

ଲିଙ୍ଗଗତ ଅସମାନତା, ସାଇବର ଆତଙ୍କବାଦ, ନିର୍ବାଚନୀ ସଂସ୍କାର, ଗଣମାଧ୍ୟମର ବ୍ୟବହାର ଆଦି ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏହି ସମ୍ମିଳନୀ ପାଇଁ ଜାତିସଂଘ ସୁରକ୍ଷା ପରିଷଦ, ଜାତିସଂଘ ଜେନେରାଲ ଆସେମ୍ଲି, ଜାତିସଂଘ ମାନବାଧିକାର ପରିଷଦ, ଜାତିସଂଘ ଆଣବିକ ଶକ୍ତି ଏଜେନ୍ସି, ଲୋକସଭା, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍ ଭଳି ବିଭିନ୍ନ କମିଟି ଗଠନ କରାଯାଇଥିଲା ।

ଏହି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପ୍ରତିନିଧିମାନେ ବିଶ୍ୱସ୍ତରୀୟ ନୀତି ନିର୍ଦ୍ଧାରଣ, ଏଦିଗରେ ରହିଥିବା ସମାସ୍ୟା ଓ ସମାଧାନ ନେଇ ନିଜକୁ ପୂର୍ବରୁ ପ୍ରସ୍ତୁତ କରିଥିଲେ । ଦୁଇ ଦିନିଆ ସମ୍ମିଳନୀର ଅନ୍ତିମ ଦିନରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା ପ୍ରତିନିଧିଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସଚେତନ କରାଇବା ଦିଗରେ ଏହି ସମ୍ମିଳନୀ ବେଶ୍ ସହାୟକ ହୋଇଛି । ସମସ୍ତ ପ୍ରକାର ସହାୟତା ଏବଂ ମାର୍ଗଦର୍ଶନ ପାଇଁ କାର୍ଯ୍ୟକ୍ରମର ଆୟୋଜକମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ର ମଙ୍ଗଳ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

five × 2 =