Latestରାଜ୍ୟ

ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ ରଥ

ନିର୍ଦ୍ଧାରିତ ସମୟ ପୂର୍ବରୁ ଭଗବାନ ବଳଭଦ୍ର ନୀଳକନ୍ଦର ନିକଟକୁ ପହଞ୍ଚି ସାରିଛନ୍ତି। ପଛରେ ଦେବୀ ସୁଭଦ୍ରା ଦର୍ପଦଳନରେ ଆସିଛନ୍ତି। ମା’ ସୁଭଦ୍ରା ଅଳ୍ପ ସମୟ ମଧ୍ୟରେ ଶ୍ରୀମନ୍ଦିର ନିକଟକୁ ପହଞ୍ଚିବେ ବୋଲି ଆଶା କରାଯାଉଛି। ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥ ସବାଶେଷରେ ଆସୁଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ପାଲଟିଛି।

ସୂଚନାଯୋଗ୍ୟ, ତିନି ରଥରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବର୍ଣ୍ଣଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିଥିଲେ। ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ। ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବା ସ୍ଥିରୀକୃତ ହୋଇଥିଲା। ହେଲେ ଏହା ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି।

Share

Leave a Reply

Your email address will not be published. Required fields are marked *

twenty − 13 =