Latestରାଜ୍ୟ

ସମ୍ ହସ୍ପିଟାଲର ପୁଣି ଏକ ସଫଳତା

ଭୁବନେଶ୍ୱର, ୩୦/୦୫: “ହସ୍ପିଟାଲ୍କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି । ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍ରୁ ସୋମବାର ଡିସ୍ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ । ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ ।

ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ର ଡାକ୍ତର ଓ କର୍ତୃପକ୍ଷ ।
ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ହସ୍ପିଟାଲ୍ ଆସିଥିଲେ । ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ଥିବାର ଜଣାପଡ଼ିଥିଲା ଯାହାକି ହୃତ୍ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପାଶ୍ୱର୍ ଫୁସ୍ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା । ଏହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ।
ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍ସରସ ନଥିଲା ଓ ଏହାକୁ ଇନ୍ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା । ଏଥି ସହିତ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା ।
ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ । ରୋଗୀଟିର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା । ତେବେ କାର୍ଡିଆକ୍ ଆନେସ୍ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା ।
କ୍ଲାମ୍ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।
ଏହି ଅସ୍ତ୍ରୋପଚାର ଓ ପରବର୍ତୀ ଚିକିତ୍ସା କରିଥିବା ଟିମ୍ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ ।
ଅସ୍ତ୍ରୋପଚାର ପରେ ରୋଗୀଙ୍କର ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ମାସ ଧରି ଆଇସିୟୁରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ସେହିପରି ଅପରେସନ୍ ପରେ ଛାତିର କସ୍ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର ।
ବିଏସ୍କେୱାଇ ଯୋଜନାରେ ଏହି ଯୁବତୀଙ୍କର ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍ର ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ ।
ଏହା ଏକ ଡାକ୍ତରୀ ଟିମ୍ର ସଫଳତା । ସିଟିଭିଏସ୍, କ୍ରିଟିକାଲ କେୟାର, ଥୋରାସିକ୍, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇପାରିଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଝିଅଟି ସୁସ୍ଥ ହେବା ପରେ ସମ୍ ହସ୍ପିଟାଲ ଓ ଡାକ୍ତର ସାହୁଙ୍କ ସମେତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲ୍.ଏନ୍ ପଣ୍ଡା । ବିଏସ୍କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 4 =