ଦୃଷ୍ଟି ଓ ବାକଶକ୍ତି ବାଧିତ ଛାତ୍ରଛାତୀଙ୍କର ନିଶା ବିରୋଧି ଅଭିଯାନ
ଭୁବନେଶ୍ୱର, ୩୧/୦୩: ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ନିଶା ବିରୋଧି ଅଭିଯାନରେ ସାମିଲ୍ ହୋଇଛନ୍ତି । ନିଶା ବିରୁଦ୍ଧରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜର ଭାବନା ପ୍ରକାଶ କରିଥିଲେ ।
ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କର ବିତର୍କର ବିଷୟ ଥିଲା,“ ନିଶା ନିବାରଣ ଏକ ସାମାଜିକ ଆହ୍ୱାନ’’ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ପାଇଁ ବିଷୟ ଥିଲା“ ନିଶା କବଳରୁ ମୁକ୍ତି , ସମାଜକୁ ଦିଏ ଶକ୍ତି” ।
“ଡ୍ରିମ୍ସ୍” ମିଶନ୍ , କମିଶନରେଟ ପୋଲିସ୍, ଭୁବନେଶ୍ୱର ତତ୍ୱାବଧାନ ଓ ଦିଗଦର୍ଶନରେ ଏବଂ ଓଏମସି ର ଆର୍ଥିକ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ “ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର( ଆଇଆଇଇସି)” ଦ୍ୱାରା ସଂଯୋଜନା କରାଯାଉଛି । ଏହି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରଗ୍ସ ବା ଧଳାଜହର ବିରୁଦ୍ଧରେ ସଚେତନତା ଏବଂ ନିଶାରେ କବଳିତ ବ୍ୟକ୍ତିମାନଙ୍କୁ ନିଶା ଏବଂ ଅପରାଧ ଦୁନିଆରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା, ପରାମର୍ଶ ଏବଂ ଆବଶ୍ୟକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବା ।
ଉଭୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉଦବୋଧନ ଦେଇଥିଲେ ସମ୍ ହସ୍ପିଟାଲର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର । ଧଳାଜହରର ମଣିଷ ଶରୀର ଉପରେ କିପରି କୁପ୍ରଭାବ ପକାଉଛି ସେ ବିଷୟରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।
ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଆଲୁମନି ଆସୋସିଏସନର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଭାଷଣରେ ମୁଖ୍ୟ ଅତିଥି ଭୁବନେଶ୍ୱର ପୋଲିସ୍ ଉପାଯୁକ୍ତ ଡ. ଉମାଶଙ୍କର ଦାଶ ଏହି ମହାନ ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଡ୍ରଗ୍ସ ଭଳି ଏକ ସାମାଜିକ ବ୍ୟାଧିକୁ କେବଳ ସଚେତନତା ଦ୍ୱାରା ହିଁ ଦୂର କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ସ୍ୱାଗତ ଭାଷଣରେ “ଡ୍ରିମ୍ସ”ର ସାମାଜିକ କର୍ମୀ ସୁଚିସ୍ମିତା ଦାସ ଡ୍ରିମ୍ସ ପ୍ରକଳ୍ପର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ ।
ସଭାରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାତ୍ର ଯୋଗ ଦେଇ ଛାତ୍ରସମାଜ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଶା ପ୍ରକାଶ କରିଥିଲେ ଓ ଆବଶ୍ୟକ ସମର୍ଥନର ପ୍ରତିଶୃତି ଦେଇଥିଲେ । ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ରେ ପ୍ରେରଣା ଯୋଗାଇଥିଲେ ପ୍ରବୀଣ ପ୍ରଶିକ୍ଷକ ଡ. ହରପ୍ରସନ୍ନ ଦାସ ।
ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳୀ ମହାପାତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଉଭୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଉଭୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଆଡମିନିଷ୍ଟ୍ରେଟିଭ୍ ଅଫିସର ତଥା “ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ .ସି)” ର ସହ ନିର୍ଦ୍ଦେଶିକା ଶ୍ରୀମତି ଲୋପାମୁଦ୍ରା ମହାନ୍ତି ।