Latestରାଜ୍ୟ

ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ତେବେ ଏହି ଟ୍ରାନ୍ସଫରମେସନ ଜରିଆରେ ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ।

ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ତ ସେନେଇ ଗୁରୁତ୍ୱ ଦିଆଯାଉଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି । ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ଯ୍ୟ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

Share

Leave a Reply

Your email address will not be published. Required fields are marked *

fifteen − 11 =