ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି
ଭୁବନେଶ୍ୱର: ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜିରୋ ଟଲେରାନ୍ସ ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ, ଆଉ ଦୁଇ ଜଣଙ୍କର ପେନସନ୍ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି ।ବର୍ତ୍ତମାନ ମୟୁରଭଂଜ ଜିଲ୍ଲାର ଖୁଣ୍ଟା ଜିଲ୍ଲାରେ କାର୍ଯ୍ୟରତ ତଥା ବଲାଙ୍ଗୀରର ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ ଷ୍ଟାଟିକାଲ୍ ଆଶିଷ୍ଟାଣ୍ଡ ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବରଖାସ୍ତ କରାଯାଇଛି ।
ସେହିପରି ଭୁବନେଶ୍ବର ବିଇଡିର ଏକ୍ସ-ଡିଜିଏମ୍ ଇଲେକ୍ଟ୍ରିକାଲ୍ ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏ.ଏସ୍.ଆଇ ଏମ୍.ଜଗନ୍ନାଥ ରାଓଙ୍କର ପେନ୍ସନ ଏବଂ ପେନ୍ସନ ଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ବାରା ଅଭିଯୁକ୍ତ ହୋଇଥିଲେ । ଏହି ଚାରି ଜଣ ଅଭିଯୁକ୍ତଙ୍କୁ ମିଶାଇ ଗତ ଏକ ବର୍ଷ ମଧ୍ୟରେ ଏପର୍ୟ୍ୟନ୍ତ ୧୧୭ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।