Latestରାଜ୍ୟ

ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ ଏମଏମଇଙ୍କୁ ନିଜ ଗୋଡରେ ଠିଆ କରିବାକୁ ହେଲେ ଋଣ ହିଁ ପ୍ରଥମ ଆବଶ୍ୟକତା

ଭୁବନେଶ୍ବର () ଓଡିଶା ଆଜି ସଫଳତାର ସହ କୋଭିଡ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି  । ଟୀକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ବାଗତ କରୁଛୁ  । ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ  । କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ  । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କର ବର୍ତ୍ତମାନ ଋଣ ହେଉଛି ପ୍ରଥମ ଆବଶ୍ୟକତା  । ଋଣ ପାଇଲେ ହିଁ ସେମାନେ ନିଜ ଗୋଡରେ ହିଁ ଠିଆ ହୋଇପାରିବେ ଏବଂ ଆମର ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରିବ । ଆମେ ସେମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ସମୀକ୍ଷା କରି ଏହି ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ମଧ୍ୟରେ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଋଣ ଚାହୁଁଥିବା ପ୍ରତ୍ୟେକ ନାଗରିକର ଆବଶ୍ୟକତା ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବା ଜରୁରୀ । ଚାଷୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତିବର୍ଷ ଅନିୟମିତ ପାଣିପାଗର କଷ୍ଟ ସହୁଥିବା ଚାଷୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରିପାରିବା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଭଲ ଅଗ୍ରଗତି ହୋଇଛି  । ସୁନ୍ଦରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ । ମାଲକାନଗିରି, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାକୁ ଏ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ  ।

ସେହିପରି ରାଜ୍ୟ ସମବାୟ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ଏ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ ।
ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବଲପୁର, କନ୍ଧମାଳ, ନୂଆପଡା ଓ ବାଲେଶ୍ବର ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି  । ଯାଜପୁର, ମୟୁରଭଂଜ, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଉନ୍ନତି ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ବ୍ୟାଙ୍କ ମାନଙ୍କ କ୍ଷେତ୍ରରେ ଗ୍ରାମ୍ୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ଆକ୍‌ସିସ ବ୍ୟାଙ୍କ ଆଦି ଅଧିକ ଋଣ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମାନଙ୍କୁ ଋଣ ପ୍ରଦାନର ଧାରା ସନ୍ତୋଷଜନକ ରହିଛି  । ନୟାଗଡ, ଯାଜପୁର ଆଦି ଜିଲ୍ଲା ସେମାନଙ୍କର ଲକ୍ଷ୍ୟ ଠାରୁ ଅଧିକ ଉନ୍ନତ ପ୍ରଦର୍ଶନ କରିଛନ୍ତି  । ଗଜପତି, ଦେବଗଡ ଓ ନୂଆପଡା ଆଦି ଜିଲ୍ଲା ଗୁଡିକର ପ୍ରଦର୍ଶନରେ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ  । ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ତାଙ୍କର ବାର୍ଷିକ ଋଣପ୍ରଦାନ ଲକ୍ଷ୍ୟ ଠାରୁ ଅଧିକ ଋଣ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ୤ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା MSME କ୍ଷେତ୍ରକୁ ସର୍ବାଧିକ ୭୨୫୦ କୋଟି ଟଙ୍କା ପ୍ରଦାନ କରିଛି  । ତେବେ ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ ଓ ଆକ୍‌ସିସ ବ୍ୟାଙ୍କ ଏ କ୍ଷେତ୍ରରେ ଅଧିକ ଉନ୍ନତି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ  ।

ଚଳିତ ଆର୍ଥକ ବର୍ଷର ଶେଷ ତିନିମାସ ମଧ୍ୟରେ ସବୁ ଜିଲ୍ଲା ଓ ବ୍ୟାଙ୍କ ମାନେ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ଋଣ ପ୍ରଦାନର ଲକ୍ଷ୍ୟ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଆଗାମୀ ଫେବୃଆରୀ ୨୬ ତାରିଖରେ ଏ ସଂପର୍କରେ ସେ ଆଉ ଥରେ ସମୀକ୍ଷା ହେବ ବୋଲି କହିଥିଲେ । ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ମାନଙ୍କ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରି ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷରେ ପୁରସ୍କୃତ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।

ବୈଠକରେ ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ କୃଷି, ମହିଳା ଓ MSME କ୍ଷେତ୍ରରେ ବ୍ୟାପକ ଅର୍ଥନୈତିକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି  । ଏହି ତିନୋଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ପର୍ଯ୍ୟାପ୍ତ ପରିମାଣରେ ଋଣପ୍ରଦାନ କରାଯିବା ଉଚିତ ବୋଲି ସେ ମତ ଦେଇଥିଲେ  । କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ଏବଂ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଋଣପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି କହିଥିଲେ  । କୃଷି ଓ ପଶୁପାଳନରେ କିଶାନ କ୍ରେଡିଟ କାର୍ଡ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାକୁ ଋଣପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା  ।

MSME ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତ ଋଣପ୍ରଦାନ ଲକ୍ଷ୍ୟ ହାସଲ ହୋଇସାରିଛି  । ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଲକ୍ଷ୍ୟ ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ମିଶନ ଶକ୍ତି ସଂପର୍କରେ ସୂଚନା ଦେଇ ବିଭାଗର କମିଶନର ତଥା ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟ କହିଥିଲେ ଯେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀକୁ ହାରାହାରୀ ଭାବେ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଋଣ ଦେବା ଆବଶ୍ୟକ । ବ୍ୟାଙ୍କ ମାନେ ଋଣପ୍ରଦାନ ଆବେଦନକୁ ପକାଇ ନ ରଖି ତୁରନ୍ତ ଫଇସଲା କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କ ପଦାଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଅର୍ଥ ବିଭାଗ ପ୍ରମୁଖ ସଚିବ ଆଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

three × 1 =