ରାଜନୀତି

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି

ଭୁବନେଶ୍ବର () ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ବାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜୁ ଜନତାଦଳ ପକ୍ଷରୁ କୁହାଯାଇଛି । ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନ ପର୍ଯ୍ୟନ୍ତ ବ୍ୟାପିଛି । ଓଡିଶା ଏକ ଶାନ୍ତି ପ୍ରିୟ ଓ ଧର୍ମନିରପେକ୍ଷ ରାଜ୍ୟ ହୋଇଥିବାବେଳେ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍‍ ପରିଚିତ ।

ବିଲକୁ ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ ଏହି ବିଲରେ କୌଣସି ସଂପର୍କ ଏନ୍‍ଆରସି ସହିତ ନାହିଁ । ଏନ୍‍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି । ଏହି ବିଲ୍ ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି । ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ବ ପାଇଁ ଆବେଦନ କରିପାରୁଥିଲେ । ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ବାରା ଅନେକ ଲୋକ ଏଥିରେ ଉପକୃତ ହେବେ ।

ବିଜୁ ଜନତାଦଳ ଏହି ବିଲକୁ ସମର୍ଥନ କରିବା ସହ ଦଳ ତିନିଟି ପରାମର୍ଶ ଦେଇଛି । ସେଗୁଡିକ ହେଲା:

୧. ଶ୍ରଲଙ୍କାକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଉ । ଶ୍ରୀଲଙ୍କାଠାରେ ଅନେକ ଦଶନ୍ଧିଧରି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି । ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାନଯାଉ ।

୨. ଏହି ବିଲକୁ ଏନ୍‍ଆରସି ସହ ଯୋଡାନଯାଉ । ଏନ୍‍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

୩. ମୁସଲମାନ ସଂପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନକରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉଥାଇପାରେ ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ବ । ସରକାର ଦୃଢତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ବାସ ବୃଦ୍ଧି କରନ୍ତୁ ଯେ ଏହି ବିଲ୍ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ ବିରୋଧରେ ନୁହେଁ, ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି ।

ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍‍ ଆଣିଛନ୍ତି ତାହାର ରାଜନୀତିକରଣ ନକରାଯାଉ । ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ୍ତ ରହିବା ଆବଶ୍ୟକ । ଦଳର ଉପରୋକ୍ତ ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରି କରିବେ ବୋଲି ବିଜେଡି ଆଶା ରଖିଛି । ମୁସଲମାନ ଭାଇଭଉଣୀମାନଙ୍କର ସବୁ ସନ୍ଦେହ ଦୂର କରିବା ପାଇଁ ଯେ ସରକାରଙ୍କର ସେମାନଙ୍କ ବିରୋଧରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଯାହାକିଛି କରାଯାଉଛି ତାହା ଆମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟ ସଂପ୍ରଦାୟର ଭାଇଭଉଣୀମାନଙ୍କ ପାଇଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × two =