ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ଓ ନିଶ୍ଚିତ ସୁଯୋଗ ରହିଛି
ଭୁବନେଶ୍ଵର () ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅର୍ଥାତ ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରିବା ତଥା ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ଶିଳ୍ପ, ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର।
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରାଧାନ୍ୟ ଦେବା ଲାଗି ରହିଥିବା ନୀତି ବିଷୟରେ ଆଲୋଚନା ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ସେ ଏହି ମତ ଦେଇଛନ୍ତି। ସେ କହିଛନ୍ତି ‘ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଦ୍ରୁତ ତଥା ନିଶ୍ଚିତ ବିକାଶ ସୁଯୋଗ ପ୍ରତିପାଦିତ ହୋଇଛି। ଏଣୁ ଏହି କ୍ଷେତ୍ରରେ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରି ଅଧିକରୁ ଅଧିକ ପୁଞ୍ଜି ନିବେଶ ଆକର୍ଷଣ ଲାଗି ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରରେ ଏହି ବିଭାଗ ଆଗକୁ ବଢ଼ିଚାଲିଛି’। ଏଣୁ ଶିଳ୍ପୋଦ୍ୟୋଗୀମାନେ ଏହାର ଫାଇଦା ନେଇ ଓଡ଼ିଶାରେ ନିବେଶ ପାଇଁ ଆଗଭର ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସରକାର ସମସ୍ତନିବେଶକ ଓ ଉଦ୍ୟୋଗୀଙ୍କୁ ସହାୟକ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସମଗ୍ର ପୂର୍ବ ଭାରତରେ ଓଡ଼ିଶାର ପ୍ରାକୃତିକ ପରିବେଶ ଏବଂ ଜଳବାୟୁ ଫଳ, ପନିପରିବା ଚାଷ, କୃଷି ଭିତ୍ତିକ ଉତ୍ପାଦନ ସାଙ୍ଗକୁ ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦ ପାଇଁ ଏକ ନିଆରା ପରିବେଶ ସୃଷ୍ଟି କରୁଛି। ଏହାର ସୁଯୋଗ ନେଇ ନିବେଶକମାନେ ତାହାର ଉଚିତ ଫାଇଦା ଉଠାଇବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ଶିଳ୍ପ ଓ ଏମ୍ଲସ୍ଏମ୍ଇ କମିଶନର ତଥା ସଚିବ ହେମନ୍ତ ଶର୍ମା, ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦେଶକ ଅର୍ଚନା ପଟ୍ଟନାୟକ, ଇପିକଲ୍ ପରିଚାଳନା ନିର୍ଦେଶକ ନିତିନ ବି. ଜାୱଳେ, ଉଦ୍ୟାନ କୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସ୍ଵତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ଵାଳ, ଶିଳ୍ପ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଏସ.କେ ହୋତା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ଖାଦ୍ୟ ଶିଳ୍ପ ଲାଗି ଯଥେଷ୍ଟ ଭିତ୍ତିଭୂମି ଓ ସୁଯୋଗ ରହିଛି। ବିଶେଷକରି ଏହାର୧୦ଟି ଭିନ୍ନ କୃଷି ଭିତ୍ତିକ ଜଳବାୟୁ ଜୋନ୍, ବିଶାଳ କୃଷି ଭିତ୍ତିଭୂମି ତଥା ଚାଷଜମି, ସାମୁଦ୍ରିକ ଖାଦ୍ୟ, ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ଏବଂ ଏସୀୟ ଦେଶ ମାନଙ୍କ ସହ ସହଜ ଯୋଗାଯୋଗ ବ୍ୟବସ୍ଥାଏହି ପ୍ରକାର ଶିଳ୍ପର ବିକାଶ ଲାଗି ଯଥେଷ୍ଟ ସହାୟକ ହେଉଛି। ଏଥିସହିତ ଯେଉଁ ଉଦ୍ୟୋଗୀମାନେ ଓଡ଼ିଶାରେ ଏହିଭଳି ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ବିଭିନ୍ନ ପ୍ରକାର ରିହାତି ବି ଦେଉଛୁ।
ଇପିକଲର ପରିଚାଳନା ନିର୍ଦେଶକ ନିତିନ୍ ଭାନୁଦାସ ଜାୱଲେ ଏହି ଅବସରରେ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସମ୍ପର୍କରେ ଆଲୋକପାତ କରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଦେଶର ଦୁଇଟି ପ୍ରମୁଖ ଅର୍ଥନୀତିକ ବ୍ୟବସ୍ଥା ଯଥା- ଶିଳ୍ପ ଓ କୃଷି ଭିତରେ ସେତୁ ଭଳି ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରେ ବୋଲି ଅଭିହିତ କରିଥିଲେ।
ଏହାସହ ସେ ଓଡ଼ିଶାରେ ଉପଲବ୍ଧ ଯେଉଁ ପୁଞ୍ଜିନିବେଶ ସୁଯୋଗଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ, ସେଗୁଡ଼ିକ ହେଲା: 1) ଖାଦ୍ୟ ପ୍ରକ୍ରିୟାକରଣ ଉପକ୍ଷେତ୍ର ଯେମିତି ମତ୍ସ୍ୟ, କୁକୁଟ ପାଳନ, ଫଳଚାଷ, ପନିପରିବା, ମସଲା ଉତ୍ପାଦନ ଏବଂ ଖାଦ୍ୟ ଉତ୍ପାଦଗୁଡ଼ିକର ପ୍ୟାକେଜିଂ ପ୍ରଭୃତି, 2) ଭିତ୍ତିଭୂମି ବିକାଶ: ସମନ୍ବିତ ଖାଦ୍ୟ ପାର୍କ, ଶୀତଳ ଭଣ୍ଡାର ଏବଂ ଅନ୍ୟ ଭିତ୍ତିଭୂମି ସହାୟକ, 3) ଦକ୍ଷତା ବିକାଶ ।