ରାଜ୍ୟ

ବଙ୍ଗଳା ରସଗୋଲା ମଣିଷଙ୍କ ପାଇଁ, ଓଡ଼ିଆ ରସଗୋଲା ଠାକୁରଙ୍କର

ରାମାନନ୍ଦ ସାଗରଙ୍କ ରାମାୟଣ ମୂଳ ରାମାୟଣ ନୁହେଁ : ଆର୍ଶୀଆ ସତ୍ତାର

ଭୁବନେଶ୍ବର : ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ’ ର ଦ୍ଵିତୀୟ ଦିବସରେ ବିଖ୍ୟାତ ଲେଖକ ଓ ଆଖ୍ୟାନବେତ୍ତା ଦେବଦତ୍ତ ପଟ୍ଟନାୟକ ଯୋଗଦେଇ ଓଡ଼ିଆ ରସଗୋଲା ଓ ବଙ୍ଗଳା ରସଗୋଲାର ପ୍ରଭେଦ ବିଷୟରେ କହିଛନ୍ତି।

ଭାରତୀୟ ପୁରାଣ ଓ ଆଖ୍ୟାନ ମାନଙ୍କରେ ଭକ୍ତି ଭାବ ସମ୍ପର୍କରେ ଆଲୋଚନା ଅବସରରେ ସେ କହିଥିଲେ “ଭଗବାନଙ୍କୁ ରସଗୋଲା ପ୍ରଦାନ ମଧ୍ୟ ଭକ୍ତି । ତେବେ ବଙ୍ଗଳା ରସଗୋଲା ମଣିଷଙ୍କ ପାଇଁ ଓ ଓଡ଼ିଶାର ରସଗୋଲା ଦେବତାଙ୍କ ପାଇଁ।”

ଭୋଗ ପ୍ରଦାନ ମଧ୍ୟ ଭକ୍ତିର ଅନ୍ୟ ଏକ ରୂପ ବୋଲି ସେ କହିଥିଲେ ଓ ପୁରୀ ମନ୍ଦିରରେ ପ୍ରଚଳିତ ଷାଠିଏ ପଉଟି ଭୋଗ ବିଷୟରେ ବର୍ଣ୍ଣନା କରି କହିଥିଲେ ଏହା ଧନୀ ଲୋକର ଭକ୍ତି, ଯେପରି ଦାସିଆ ବାଉରୀର ନଡ଼ିଆ ପ୍ରସାଦ ଗରୀବର ଭକ୍ତି।

ଓଡ଼ିଆ ଭକ୍ତି ସାହିତ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଏଥିରେ ଅନେକ ପ୍ରକାରର ଭାବ ରହିଛି, ଯେପରିକି ବାତ୍ସଲ୍ୟ ଭାବ, ବିରହ ଭାବ, ବିରକ୍ତି ଭାବ, ବିପରୀତ ଭକ୍ତି ଭାବ। ଓଡ଼ିଆରେ ନିନ୍ଦାସ୍ତୁତି ଏହିପରି ବିପରୀତ ଭକ୍ତିର ପ୍ରତୀକ ବୋଲି କହି ସେ କହିଥିଲେ ଭକ୍ତି ପଦ୍ୟରେ ଭଗବାନଙ୍କୁ ଗାଳି ଦେଇହୁଏ, ଯାହାକି ଆଜିକାଲି ସାମାଜିକ ଗଣମାଧ୍ୟମରେ କରିବା ଅସମ୍ଭବ, କାରଣ କିଛି ବ୍ୟକ୍ତିଙ୍କ ମତରେ ଆମର ଦିଅଁ ଦେବତା କୁଆଡେ ଅତି ସମ୍ବେଦନଶୀଳ ।”

ଏହି ଅବସରରରେ ଓଡ଼ିଆ ଭକ୍ତିରସରେ ପରିପୂର୍ଣ୍ଣ ପଦ୍ୟ ସହିତ ଦର୍ଶକଙ୍କୁ ପରିଚୟ କରେଇବା ପାଇଁ ସେ ତରୁଣ ଓଡ଼ିଆ ସଂସ୍କୃତି ଗବେଷକ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ଭକ୍ତ ଚରଣ ଦାସ, ଜଗନ୍ନାଥ ଦାସ, ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚମ୍ପୂ ଇତ୍ୟାଦିର ପରିବେଷଣ କରାଇଥିଲେ। ଏହି ସବୁ ପଦ୍ୟ ଆବୃତ୍ତି ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।

ଭକ୍ତି ପଦ୍ୟରେ ମହିଳା ମନିଷୀ ତଥା ନାରୀବାଦର ଛାପ ରହିଥିବା କଥା ଦର୍ଶାଇ ପଟ୍ଟନାୟକ କହିଥିଲେ ଯେ ଲକ୍ଷ୍ମୀ ପୁରାଣ ହେଉଛି ପାଞ୍ଚ ଶହ ବର୍ଷ ତଳର ନାରୀବାଦର ଭକ୍ତି ପଦ୍ୟ। ଭକ୍ତି ଭାବର ମୂଳଭୂତ ଅଙ୍ଗ ସମର୍ପଣ ର ପ୍ରେରଣା ନାରୀ ମାନଙ୍କ ଠାରୁ ମିଳିଥିବାରୁ ଏହା ସମ୍ଭବତଃ ନାରୀବାଦର ପ୍ରତୀକ ବୋଲି ସେ ଯୁକ୍ତ ବାଢିଥିଲେ। ଶେଷରେ ସେ କହିଥିଲେ “ଭକ୍ତି ହେଉଛି ଆବେଗର ପରିପ୍ରକାଶ ଓ ଏହାରି ମାଧ୍ୟମରେ ଦିବ୍ୟତ୍ବ ଜୀବନକୁ ପ୍ରକାଶ କରିଥାଏ।”

ଅଲୌକିକ କଳିଙ୍ଗ ମହୋତ୍ସବର ଦ୍ଵିତୀୟ ଦିବସରେ ଲେଖିକା ଆର୍ଶୀଆ ସତ୍ତାର ଯୋଗଦେଇ କହିଥିଲେ ଯେ “ଭାରତରେ ପ୍ରାୟ ପ୍ରତି ପ୍ରଦେଶର ନିଜସ୍ଵ ଏକ ରାମାୟଣ ରହିଛି ଓ ଏହା ଭିନ୍ନ ଭିନ୍ନ। ତେବେ ରାମାନନ୍ଦ ସାଗରଙ୍କ ତୁଳସୀ ଦାସ ରାମୟଣ ରୁ ପ୍ରଭାବିତ ରାମାୟଣ ଧାରାବାହିକ ଭାରତୀୟ ଜନମାନସରେ ଲିପିବଦ୍ଧ ହେଇ ରହିଛି, ଯାହାକି ବାଲ୍ମୀକି ରାମାୟଣ ଠାରୁ ଅଲଗା।

ନିଜ ବକ୍ତବ୍ୟରେ ଲେଖିକା ସତ୍ତାର କହିଥିଲେ “ରାମାନନ୍ଦଙ୍କ ରାମାୟଣ ଧାରାବାହିକରେ ଯେଉଁ ଲକ୍ଷ୍ମଣ ରେଖା କଥା ବର୍ଣ୍ଣିତ ରହିଛି ,ତାହା କେବଳ ତୁଳସୀ ଦାସ ରାମାୟଣରେ ବର୍ଣ୍ଣିତ ଅଛି। ଭାରତ ବର୍ଷର ଅନ୍ୟ କୌଣସି ରାମାୟଣ ଏପରିକି ବାଲ୍ମୀକି ରାମାୟଣରେ ଏହାର ଉଲ୍ଲେଖ ନାହିଁ,”

ଅନ୍ୟାନ୍ୟ ଅଧିବେଶନ ମାନଙ୍କରେ ବଲିଉଡର ‘ନିଉଟନ’, ‘ପିପଲି ଲାଇଭ’ ପରି ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରିଥିବା ଅଭିନେତା ତଥା କବି ଦାନିଷ ହୁସେନ ଗୀତିନାଟ୍ୟ ଏକାଙ୍କିକା ମାଧ୍ୟମରେ କାହାଣୀ କହିବାର କଳା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ମହୋତ୍ସବର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ କବି ବିଷ୍ଣୁ ନାରାୟଣ ମହାପାତ୍ର, କେଦାର ମିଶ୍ର, ଶର୍ମିଳା ବିଶ୍ବାସ ଓ ସୀତାକାନ୍ତ ମହାପାତ୍ର ପ୍ରମୁଖ ଭାରତରେ ଭକ୍ତି ଓ ଭଗବତ କବିତା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି କବୟିତ୍ରୀ ଅରୁନ୍ଧତୀ ସୁବ୍ରମଣ୍ୟମ, ଜେରୀ ପିନଟୋ, ମଣି ରାଓ, ଆନନ୍ଦ ଠାକୁର ଓ ରାହୁଲ ସୋନି ପ୍ରମୁଖ ତୁକାରାମ, ସୁରଦାସ, ତୁଳସୀ ଦାସ, ମୀରା ବାଇ ପ୍ରମୁଖଙ୍କ କବିତାର ଇଂରାଜୀ ଅନୁବାଦ ଆବୃତ୍ତି କରିଥିଲେ।

Share

Leave a Reply

Your email address will not be published. Required fields are marked *

fourteen − three =