Latestରାଜ୍ୟ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୦୩/୦୮: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବଦ୍ଧିର୍ତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି କହିଛନ୍ତି । ଶ୍ରୀ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା ସହ ଏଥି ନିମନ୍ତେ କରିଥିବା ଗବେଷଣା ଓ ନଥୀକରଣ ସମୟରେ ସେ ସାମ୍ନା କରିଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହି ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ଏକୋଇଶଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତ୍ୃତ ନଥୀକରଣ, ପରିଚର୍ଯ୍ୟା ଓ ଚଳଚ୍ଚିତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି । ୨୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର ଚଳଚ୍ଚିତ୍ରର ବର୍ଗୀକରଣ ରହିଛି । ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର ସିନେମା’ର ଅନ୍ୟତମ ଆକର୍ଷଣ । ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ ଉଲ୍ଲେଖ ରହିଛି । ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ଶ୍ରୀ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି । ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + fourteen =