Latestଜାତୀୟ

ତାଲାବନ୍ଦ ଯୋଗୁଁ ଭାରତୀୟ ଅର୍ଥନୀତିରେ ଏତିକି କୋଟି କ୍ଷତି

୨୦୧୯ ଡିସେମ୍ବରରେ ଚୀନରେ ଚିହ୍ନଟ ହୋଇଥିଲା ନୂଆ କରୋନା ବା ସାର୍ସ ନଭେଲ କରୋନା। ଜାନୁଆରୀ ପ୍ରଥମ ସପ୍ତାହ ବେଳକୁ ଭାରତ ସରକାର ଏହି ଭୂତାଣୁ ସଂକ୍ରମଣ ସଂପର୍କରେ ଅବଗତ ଥିଲେ। ତେଣୁ ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଥିଲେ। ମାତ୍ର, ସେହି ସ୍କ୍ରିନିଂରେ ବିମାନଯାତ୍ରୀଙ୍କଠାରେ କରୋନା ଭୂତାଣୁ ଥିବା ନେଇ କୌଣସି ସଂକେତ ମିଳିନଥିଲା। ତାହା ସ୍ୱାଭାବିକ ଥିଲା। କାରଣ ଥର୍ମାଲ ସ୍କ୍ରିନିଂରେ କେବଳ ଦେହର ଉତ୍ତାପ ମାପି ହୁଏ। କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ୮-୧୦ ଦିନ ଯାଏଁ ରୋଗର ଲକ୍ଷଣ ପ୍ରକାଶ ପାଉନଥିବାରୁ ଏହି ସ୍କ୍ରିନିଂ ଏକରକମ ଅନାବଶ୍ୟକ ଥିଲା। ବରଂ ଏହା କ୍ଷତିକାରକ ହେଲା ବୋଲି କହିଲେ ଅଧିକ ଠିକ ହେବ। କାରଣ ଥର୍ମାଲ ସ୍କ୍ରିନିଂ ପରେ ବିମାନଯାତ୍ରୀମାନଙ୍କୁ ଛାଡ଼ି ଦିଆଯାଉଥିଲା। ଏହି କ୍ରମରେ ଜାନୁଆର ୧୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ବହୁ ବିଦେଶ ଫେରନ୍ତା ବିମାନଯାତ୍ରୀ ଦେଶ ସାରା ଖେଳେଇ ହୋଇଗଲେ। ମାର୍ଚ୍ଚ ୨୩ ତାରିଖରେ ଭାରତ ସରକାର ସମସ୍ତ ପ୍ରକାର ବିମାନ ସେବା ବନ୍ଦ କଲେ। ଏହାପରଠାରୁ ଦେଶ ବାହାରୁ କୌଣସି ଲୋକ ବିମାନରେ ଆସିପାରିଲେ ନାହିଁ କି ଦେଶ ଭିତରେ ମଧ୍ୟ ବିମାନ ଯାତ୍ରା ସମ୍ଭବ ହେଲା ନାହିଁ।

ପ୍ରଧାନମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୫ ତାରିଖରୁ ମେ ୩ ତାରିଖ ଯାଏଁ ୬ ସପ୍ତାହ ତାଲାବନ୍ଦ ଘୋଷଣା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୫ ତାରିଖରୁ ତାଲାବନ୍ଦ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ତାଲାବନ୍ଦ ଯୋଗୁଁ ଭାରତୀୟ ଅର୍ଥନୀତିର ୨୩,୪୦୦ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ୧୬,୩୮,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଉଛି। ଏଥିପାଇଁ ୨୦୨୦ ବର୍ଷରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ୦ ପ୍ରତିଶତକୁ ଖସି ଆସିବ ବୋଲି ଇଂଲଣ୍ଡର ବାର୍‌କ୍ଲେ ବ୍ୟାଙ୍କ କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁସାରେ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଏବେ ଆର୍ଥନୀତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ୨୦୨୧ ବର୍ଷରେ ୧.୯ ପ୍ରତିଶତ ମଧ୍ୟରେ ସୀମୀତ ରହିବ। ଭାରତ ସରକାର ଯଦି ଜାନୁଆରୀ ମାସରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତେ ତେବେ ହୁଏତ ଭାରତ ଏହି ଆର୍ଥନୀତିକ ସଂକଟର ସାମ୍ନା କରିନଥାନ୍ତା। ବିଦେଶ-ଫେରନ୍ତାଙ୍କୁ ବିମାନ ବନ୍ଦରରୁ ଏକାନ୍ତବାସ ପଠାଇ ଏବଂ କରୋନାକ୍ରାନ୍ତ ସହର କିମ୍ବା କଲୋନୀକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲେ ଦେଶର ସାମଗ୍ରିକ ଅର୍ଥନୀତି ଅଚଳ ହୋଇନଥାନ୍ତା। କିଛିଟା କ୍ଷତି ଭରଣା ହୋଇପାରିଥାନ୍ତା।

Share

Leave a Reply

Your email address will not be published. Required fields are marked *

four × three =