ଓଡ଼ିଶାରେ ୧୭.୩% ପୁରୁଷ ଓ ୧୬.୫% ମହିଳା ମେଦବହୁଳତାର ଶିକାର
ଭୁବନେଶ୍ୱର: ମେଦବହୁଳ ହେବାକୁ ଅଣଦେଖା କରିବାର ଖରାପ ପ୍ରଭାବଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ । ସାଧାରଣତଃ ଲୋକମାନଙ୍କ ମନରେ ଧାରଣା ରହିିଛି ଯେ ମେଦବହୁଳତା ପାଇଁ ହୃଦରୋଗ ଓ ଡାଇବେଟିସ୍ ହୋଇଥାଏ । କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଛନ୍ତି ଯେ ମେଦବହୁଳତା ପାଇଁ ଓଷ୍ଟେଓଆର୍ଥରାଇଟିସ୍ ବି ହୋଇଥାଏ ।
ବିଶ୍ୱ ମେଦବହୁଳତା ଦିବସରେ ସନସାଇନ୍ ହସ୍ପିଟାଲ୍ ଭୁବନେଶ୍ୱରର କନସଲଟାଂଟ୍-ଜଏଂଟ୍ ରିପ୍ଲେସ୍ମେଂଟ୍ ଡକ୍ଟର ଚନ୍ଦନ ପଣ୍ଡା କହିଛନ୍ତି ଯେ, “ଶରୀରର ଓଜନ ଅତ୍ୟଧିକ ବଢ଼ିବା ଦ୍ୱାରା ତାହାର ପ୍ରବଳ ଚାପ ଗଣ୍ଠି, ବିଶେଷ କରି ଓଜନକୁ ସମ୍ଭାଳୁଥିବା ଆଣ୍ଠୁ ଓ ଜଂଘ ଉପରେ ପଡ଼ିଥାଏ । ହାଡ଼ ମଧ୍ୟରେ ସୁରକ୍ଷା ଭାବେ କାମ କରୁଥିବା କାର୍ଟିଲେଜ୍କୁ ତାହା ପ୍ରଭାବିତ କରିଥାଏ । କାର୍ଟିଲେଜ୍ ପତଳା ହୋଇଗଲେ ଓଷ୍ଟେଓଆର୍ଥରାଇଟିସ୍ ଦେଖାଦିଏ ଯାହା ଫଳରେ କଠିନତା ହୋଇଥାଏ ଏବଂ ଚଳପ୍ରଚଳରେ ଅସୁବିଧା ଭୋଗିବାକୁ ପଡ଼ିଥାଏ । ତାହା ଜୀବନ ଧାରଣ ମାନକୁ ପ୍ରଭାବିତ କରିବା ସହ ଏକ ସମସ୍ୟା ଚକ୍ର ଆରମ୍ଭ କରେ । ଓଷ୍ଟେଓଆର୍ଥାରାଇଟିସ୍ ପାଇଁ ଚଳପ୍ରଚଳ କମ୍ ହୋଇଗଲେ ଶାରିରୀକ କାର୍ଯ୍ୟକଳାପ କମିଯାଏ, ଯାହା ଦ୍ୱାରା ପୁଣି ଓଜନ ବଢ଼ିବା କାରଣ ହୋଇଥାଏ ।’’
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମେଦବହୁଳତାର ଶିକାର ହୋଇଥିବା ୩୧ ପ୍ରତିଶତ ବ୍ୟକ୍ତି ଓଷ୍ଟେଓଆର୍ଥାରାଇଟିସ୍ (ଓଏ)ର ଶିକାର ହୋଇଛନ୍ତି ଏବଂ ବିଭିନ୍ନ ଗଣ୍ଠିରେ ଓଷ୍ଟେଓଆର୍ଥରାଟିସ୍ ବିକାଶ ହେବାର ବିପଦ ମଧ୍ୟ ବଢ଼ିଯାଏ । ଜନସଂଖ୍ୟାର ଏକ ବଡ଼ ଭାଗ ଯଥା ୧୭.୩ ପ୍ରତିଶତ ପୁରୁଷ ଓ ୧୬.୫ ପ୍ରତିଶତ ମହିଳା ମେଦବହୁଳତାର ଶିକାର ହୋଇଛନ୍ତି ।
ଡକ୍ଟର ଚନ୍ଦନ ପଣ୍ଡା କହିଛନ୍ତି ଯେ, “ରୋଗୀମାନେ ନିଶ୍ଚିତ ଜାଣିବା ଦରକାର ଯେ ନିଦାନ ଓ ଚିକିତ୍ସା ହେଉଛି ଗୁରୁତ୍ୱପୂର୍ଣ୍ଣ । ଗଣ୍ଠିରେ କ୍ଷତି ବହୁତ ବଢ଼ିଯିବା ପରେ ସେମାନେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି । ଓଏ ହେଉଛି ଏକ ପ୍ରଗତିଶୀଳ ରୋଗ ଯାହାର କ୍ଷତିକୁ ବିିନା ରିପ୍ଲେସ୍ମେଂଟ୍ ସର୍ଜରିରେ ଭରଣା କରିବା ଏକ ପ୍ରକାର ଅସମ୍ଭବ । ତେବେ ରୋଗର ମାତ୍ରାକୁ ଦୃଷ୍ଟିରେ ରଖି ଔଷଧ, ଇଞ୍ଜେକ୍ସନ, ଜୀବନଶୈଳରେ ପରିବର୍ତନ ଆଦିର ମିଶ୍ରଣ ଜରିଆରେ ଲକ୍ଷଣର ପରିଚାଳନା କରାଯାଇପାରିବ । ଅନ୍ୟ ସବୁ ଡାକ୍ତରୀ ପଦ୍ଧତି ପ୍ରଭାବହୀନ ମନେହେଲେ କିମ୍ବା ଶେଷ ହୋଇଗଲେ ଯନ୍ତ୍ରଣା ଉପଷମ ଓ ଚଳପ୍ରଚଳ ଲାଗି ସର୍ଜରି କରାଯାଇପାରେ ।’’
ପ୍ରଯୁକ୍ତି ଓ ସର୍ଜରି ପଦ୍ଧତିରେ ଘଟିଥିବା ଉନ୍ନତି ପାଇଁ ସର୍ବନିମ୍ନ ଛିଦ୍ରରେ ଗଣ୍ଠି ଓ ଆଣ୍ଠୁ ପରିବର୍ତନ ବେଶ ସଫଳ ହୋଇପାରୁଛି, ଯାହା ଦ୍ୱାରା ଯନ୍ତ୍ରଣା କମ୍ ହେବା ସହ ଚଳପ୍ରଚଳରେ ଉନ୍ନତି ହୋଇଥାଏ ।
ନିୟମିତ ବ୍ୟୟାମ, ସନ୍ତୁଳିତ ଆହାର ଓ ଓଜନର ପ୍ରଭାବଶାଳୀ ପରିଚାଳନା ହେଉଛି ପ୍ରଥମ ପଦକ୍ଷେପ । ତେଣୁ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଆଗୁଆ ନିଦାନ ଓ ଚିକିତ୍ସା ଲୋଡ଼ିବାକୁ ପଡ଼ିବ ।