Business

ବ୍ୟାଙ୍କ୍ ଅଫ ବରୋଦା ପକ୍ଷରୁ ବିଓବି ଉତ୍ସବ ଜମା ସ୍କିମର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଏକ ୪୦୦ ଦିନିଆ ମିଆଦୀ ଜମା ସ୍କିମ ବିଓବି ଉତ୍ସବ ଜମା ସ୍କିମ ଘୋଷଣା କରାଯାଇଛି ଯାହା ସ୍ୱତନ୍ତ୍ର ଭାବେ ଏହି ବର୍ଷର ଉତ୍ସବ ଋତୁ ପାଇଁ ଅଣାଯାଇଛି। ଏହି ଜମା ସ୍କିମରେ ସାଧାରଣ ଗ୍ରାହକମାନେ ବାର୍ଷିକ ୭.୩୦ ପ୍ରତିଶତ, ବରିଷ୍ଠ ନାଗରିକ ଗ୍ରାହକମାନେ ବାର୍ଷିକ ୭.୮୦ ପ୍ରତିଶତ, ସୁପର ସିନିୟର ନାଗରିକ (୮୦ ବର୍ଷ ବୟସ କିମ୍ବା ତା’ଠାରୁ ଅଧିକ) ବାର୍ଷିକ ୭.୯୦ ପ୍ରତିଶତ ଏବଂ ନନ-କଲେବଲ ଜମା ଉପରେ ବାର୍ଷିକ ୭.୯୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ। ୨୦୨୪ ଅକ୍ଟୋବର ୧୪ରୁ ଏହି ସ୍କିମ୍ ଆରମ୍ଭ ହୋଇଥିବା ବେଳେ ଏହା ୩ କୋଟି ଟଙ୍କାରୁ କମ ମୂଲ୍ୟର ମିଆଦୀ ଜମା ଉପରେ ଲାଗୁ ହେବ। ବିଓବି ଉତ୍ସବ ହେଉଛି ଏକ ସୀମିତ ସମୟ ଅଫର।
ଏହି ଉତ୍ସବ ଅଭିଯାନର ଅଂଶ ସ୍ୱରୂପ ବ୍ୟାଙ୍କ ପକ୍ଷରୁ ୩ ବର୍ଷରୁ ଅଧିକ ତଥା ପାଂଚ ବର୍ଷରୁ କମ ମିଆଦୀ ଜମା ଉପରେ ସୁଧ ହାରରେ ୦.୩୦ ପ୍ରତିଶତ ବୃଦ୍ଧି କରାଯାଇଛି ଯାହା ଫଳରେ ସେଥିରେ ସୁଧ ହାର ବାର୍ଷିକ ୬.୫୦ ପ୍ରତିଶତରୁ ବୃଦ୍ଧି ପାଇ ୬.୮୦ ପ୍ରତିଶତ ହୋଇଛି। ସୁଧରେ ହୋଇଥିବା ଏହି ବୃଦ୍ଧି ଦ୍ୱାରା ବିଓବି ଏସଡିପି (ସିଷ୍ଟମେଟିକ ଡିପୋଜିଟ ପ୍ଲାନ)ର ଗ୍ରାହକମାନେ ଉପକୃତ ହୋଇପାରିବେ ଯେଉଁମାନେ ୩ରୁ ୫ ବର୍ଷର ଅବଧି ପାଇଁ ନିଜର ମାସିକ ଅବଦାନକୁ ଅଧିକ ସୁଧ ହାରରେ ଲକ-ଇନ କରିବେ। ବିଓବି ଏସଡିପି ହେଉଛି ବ୍ୟାଙ୍କ ଅଫ ବରୋଦାର ଏକ ରିକରିଂ ଜମା ସ୍କିମ ଯାହା ନିୟମିତ ମାସିକ ସଂଚୟ ଜରିଆରେ ସୁନିଶ୍ଚିତ ରିଟର୍ଣ୍ଣ ପ୍ରଦାନ କରିବ।
ବିଓବି ଆର୍ଥ ଗ୍ରିନ ମିଆଦୀ ଜମାର ସୁଧ ହାରକୁ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଅବଧିରେ ୦.୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ପ୍ରଥମ ଥର ଲାଗି ବ୍ୟାଙ୍କ ପକ୍ଷରୁ ମିଆଦୀ ଜମାରେ ସୁପର ସିନିୟର ନାଗରିକ ବର୍ଗ ସାମିଲ କରାଯାଇଛି ଯେଉଁଥିରେ ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଗ୍ରାହକମାନଙ୍କୁ ୧ ବର୍ଷରୁ ୫ ବର୍ଷ ଅବଧିର ମିଆଦୀ ଜମା ଉପରେ ଦିଆଯାଉଥିବା ସୁଧ ହାର ଉପରେ ଅତିରିକ୍ତ ୦.୧୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି।
ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ଜମା ଉପରେ ଆମେ ଅଫର ଘୋଷଣା କରି ଆନନ୍ଦିତ ଯାହା ଏହି ଉତ୍ସବ ଋତୁରେ ନିଜ ସଂଚୟକୁ ବଢ଼ାଇବାକୁ ଚାହୁଁଥିବା ଗ୍ରାହକଙ୍କୁ ଅଧିକ ଖୁସି ପ୍ରଦାନ କରିବ। ବର୍ତମାନର ସୁଧ ହାର ଚକ୍ରରେ ଅଧିକ ରିଟର୍ଣ୍ଣ ହାସଲ କରିବା ଲାଗି ବିଓବି ଉତ୍ସବ ଜମା ସ୍କିମ ଜମାକାରୀମାନଙ୍କ ଲାଗି ଏକ ଶ୍ରେଷ୍ଠ ସୁଯୋଗ। ଏଥି ସହିତ ୩ରୁ ୫ ବର୍ଷ ବର୍ଗରେ ସୁଧ ହାରରେ ଉଲ୍ଲେଖନୀୟ ବୃଦ୍ଧି ସହ ଆମେ ଦୁଇ ପ୍ରକାର ଗ୍ରାହକ ବର୍ଗଙ୍କ ଆବଶ୍ୟକତା ପୂରଣ କରୁଛୁ। ତାହା ହେଉଛି ଯେଉଁମାନେ ମଧ୍ୟମ-କାଳୀନ ଭିତ୍ତିରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଓ ସୁନିଶ୍ଚିତ ରିଟର୍ଣ୍ଣ ଚାହୁଁଛନ୍ତି ତଥା ଯେଉଁ ଗ୍ରାହକମାନେ ବିଓବି ଏସଡିପି ଜରିଆରେ ମାସିକ ନିୟମିତ ଅବଦାନ ଜରିଆରେ ସଂଚୟ କରିବାକୁ ଚାହୁଁଛନ୍ତି ଏବଂ ପ୍ରତି ମାସିକ ଜମା ଉପରେ ଅଧିକ ସୁଧ ପାଇବାକୁ ଚାହୁଁଛନ୍ତି।”
ଗ୍ରାହକମାନେ ବ୍ୟାଙ୍କର ଯେକୌଣସି ଶାଖା କିମ୍ବା ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ୍ ଯଥା ବିଓବି ୱାର୍ଲଡ ଆପ ଓ ବ୍ୟାଙ୍କର ଇଂଟରନେଟ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମରେ ମିଆଦୀ ଜମା ଓ ବିଓବି ଏସଡିପି ଖୋଲିପାରିବେ।

Leave a Reply

Your email address will not be published. Required fields are marked *

fourteen − 13 =